
ଭୁବନେଶ୍ୱର, ଆଜିଠୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା । ଚଳିତ ବର୍ଷ ୧୧ଶହ ୪୫ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩ ଲକ୍ଷ ୫୭ହଜାର ୯୪୨ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଯୁକ୍ତ ୨ କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକ ରେ ୫ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେବେ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀ ।
ଅପରପକ୍ଷରେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସୋସିଆଲ ମିଡିଆରେ ପରୀକ୍ଷା ପ୍ରଶ୍ନପତ୍ର ଘୁରି ବୁଲୁଛି । ସୋସିଆଲ ମିଡିଆରେ ଘୁରିବୁଲୁଥିବା ନକଲି ପ୍ରଶ୍ନ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ସିଏଚଏସ୍ଇ କର୍ତୃପକ୍ଷ । ସୋସିଆଲ ମିଡିଆରେ ଛାତ୍ରଛାତ୍ରୀଙ୍କୁ ଠକିବା ପାଇଁ କିଛି ଅସାମାଜିକ ବ୍ୟକ୍ତି ଜାଲ ବୁଣିଛନ୍ତି । ନିଜ ପେଜ୍ର ଭ୍ୟୁ ବଢାଇବା ପାଇଁ ଏଭଳି ନକଲି ପ୍ରଶ୍ନ ପତ୍ର ଅପଲୋଡ୍ କରାଯାଉଛି । ସେସବୁ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତୃପକ୍ଷ । ଏନେଇ ସାଇବର ଥାନାର ସହଯୋଗ ମଧ୍ୟ ନିଆଯାଇଛି ।