
ମାଲକାନଗିରି, ଅବ୍ୟବସ୍ଥା ରେ ବିଦ୍ୟାଳୟ । ଶିକ୍ଷକ ଅଭାବ ଯୋଗୁ ପାଠ ପଢାରେ ବାଧା । ବିଦ୍ୟାଳୟ ଛାଡି ଘର ମୁହାଁ ହେବାକୁ ଲାଗିଲେଣି ବଣ୍ଡା ଛାତ୍ରୀ । ଗରିବ ଆଦିବାସୀ ପିଲାଙ୍କୁ ଶିକ୍ଷିତ କରିବା ପାଇଁ ସରକାରଙ୍କ ଆନ୍ତରିକତା କେତେ ତାହା ଜଳଜଳ ଦେଖାଯାଉଛି ।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ।ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ସହିତ ପିଲାମାନେ ସ୍କୁଲ ମୂହା ହେବେ ତାକୁ ଦୃଷ୍ଟିରେ ରଖି ସ୍ମାର୍ଟ କ୍ଲାସ ଠାରୁ ଆରମ୍ଭ କରି ସ୍ମାଟ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି ସରକାର ।ଏବଂ ଗରିବ ଆଦିବାସୀ ପିଲାଙ୍କୁ ଶିକ୍ଷିତ କରିବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।ଉପାନ୍ତରେ ଏମିତି କେତେ ବିଦ୍ୟାଳୟ ଅଛି ଯେଉଁଠାରେ ଶିକ୍ଷା ବ୍ୟବସ୍ଥା ଭୁଷୁଡିବା ରେ ଲାଗିଛି!ଫଳରେ ଗରିବ ଆଦିବାସୀ ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇଯାଇଛି । କିନ୍ତୁ ପ୍ରଶାସନର ଏଥିପ୍ରତି ଗୁରୁତ୍ଵ ଦେଉନାହାନ୍ତି । କିନ୍ତୁ ସଭିଏ ପଢ଼ ସଭିଏ ଗଢ଼ ଶିକ୍ଷା ଅଭିଯାନ ଚଲେଇଛନ୍ତି ସରକାର!ବାଟବଣା ହେବାରେ ଲାଗିଛି ଶିକ୍ଷା ବ୍ୟବସ୍ଥା। ଏମିତି ଏକ ବିଦ୍ୟାଳୟ ହେଉଛି ମାଲକାନଗିରି ଜିଲ୍ଲା, ଖଇରପୁଟ ବ୍ଲକ ବଣ୍ଡାଘାଟୀର ବଡ଼ବେଲ ଗ୍ରାମର ଅନୁସୂଚିତ ଜାତି ଓ ଜନଜାତି ସରକାରୀ ବାଳିକା ବିଦ୍ୟାଳୟ । ଏଠାରେ ବଣ୍ଡା ଘାଟିର ମୁଦୁଲିପଡ଼ା ଓ ହଣ୍ଡରାହାଲ ପଞ୍ଚାୟତର ବଣ୍ଡା ଛାତ୍ରୀମାନେ ପାଠ ପଢୁଛନ୍ତି । ଅଥଚ ଏଠାରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ବଣ୍ଡା ପିଲାମାନଙ୍କୁ ଶିକ୍ଷିତ କରିବାଲାଗି ଲାଗି ସରକାରଙ୍କ ଆନ୍ତରିକତା କେତେ ତାହା ଜଳ ଜଳ ହୋଇ ଦିଶୁଛି ।
୨ 00୮ ମସିହାରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଏବେ ଏଠାରେ ୨ ୯ ୭ ଜଣ ଛାତ୍ରୀ ପାଠ ପଡ଼ୁଛନ୍ତି । ସ୍କୁଲ ରେ ରହିଛି ମୋଟ ୭ ଟି ଶ୍ରେଣୀଗୃହ ।ହେଲେ ଶ୍ରେଣୀ ଗୃହର ଅବସ୍ଥା ନକହିଲେ ଭଲ । କବାଟ ଝରକା ସବୁ ନଷ୍ଟ ହୋଇଯାଇ ଛି । ଛାତ ଉପରେ ଭରି ରହିଛି ଅନାବନା ଘାସ । ଜରାଜୀର୍ଣ୍ଣ ଅବସ୍ଥାରେ ଛିଡା ହୋଇଛି ବିଦ୍ୟାଳୟ । ମରଣ ମୁହଁକୁ ଠେଲି ଦିଆଯାଇଛି ବଣ୍ଡା ପିଲାଙ୍କୁ । ପିଲାମାନେ ରହିବା ପାଇଁ ଗୃହ ନାହି । ଶ୍ରେଣୀଗୃହରେ ରହୁଛନ୍ତି । କାନ୍ଥ ରେ ଝୁଲୁଛି ଏମାନଙ୍କର ବହି ବସ୍ତାନି , ସାର୍ଟ ପ୍ୟାଣ୍ଟ ଓ ଯାବତୀୟ ଜିନିଷ । ଶୋଇବା ଲାଗି ପଡ଼ିଥିବା କେଇଖଣ୍ଡ ଖଟ ଉପରେ ବସି ପିଲାମାନେ ପାଠ ପଢୁଛନ୍ତି । ସବୁଠୁ ବଡ଼ କଥା ହେଲା ଶିକ୍ଷକ ଅଭାବ । ପନ୍ଦର ଜଣ ଶିକ୍ଷକ ଥିବା କଥା କିନ୍ତୁ ଆଠ ଜଣ ଶିକ୍ଷକ ରହୁଛନ୍ତି । ତହିଁ ମଧ୍ୟରୁ ବେଳେ ବେଳେ ଅଫିସ କାର୍ଯ୍ୟ ଏବଂ ଅନ୍ୟାନ୍ୟ କାମ ଯୋଗୁଁ ଚାରି ପାଞ୍ଚ ଜଣ ଶିକ୍ଷକ ପଢ଼ାଉଛନ୍ତି ପାଠ । ଯାହା ଫଳରେ ପିଲାମାନଙ୍କ ପାଠ ପଢାରେ ବାଧା ସୃଷ୍ଟି ହେଉଛି । ଏହାକୁ ଦୃଷ୍ଟିରେ ରଖି ସ୍କୁଲ ପରିଚାଳନା ସଭାରେ ବାରମ୍ବାର ଉପସ୍ଥାପନ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହାକୁ ନେଇ ଏବେ ଅଭିଭାବକ ଏବଂ ପରିଚାଳନା କମିଟି ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଆଗାମୀ ଦିନରେ ଯଦି ସରକାର ଶିକ୍ଷକ ଯୋଗାଇବା ସହ ବିଦ୍ୟାଳୟ ମରାମତି ଦିଗରେ ଦୃଷ୍ଟି ନଦେଲେ ତାହେଲେ ଆମେ ପାଠ ଛାଡିବାକୁ ବାଧ୍ୟ ହେବୁ ବୋଲି ଛାତ୍ରୀ ମାନେ ପ୍ରକାଶ କରିଛନ୍ତି । ଆମେ ଯଦି ପାଠ ଛାଡୁ ତାହେଲେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ଅଭିଯୋଗ କରିଛନ୍ତି ବଣ୍ଡା ଛାତ୍ରୀମାନେ । ତେବେ ଆଗାମୀ ଦିନରେ ପ୍ରଶାସନ ଏଥିପ୍ରତି ଗୁରୁତ୍ଵ ଦେଉଛନ୍ତି କି ନାହି ତାହା ଦେଖିବାର ବାକି ରହିଲା!