ମାଲକାନଗିରି, ପ୍ରତି ଦୁଇ ବର୍ଷରେ ଥରେ ପାଳନ ହେଉଥିବା ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ଗଣପର୍ବ ବଡ଼ଯାତ୍ରା ଆରମ୍ଭ ହୋଇଥିବା ବେଳେ ସୋମବାରରେ ଆନ୍ଧ୍ରର ତାଡକାରେଉ ଜଙ୍ଗଲ ଗର୍ତ୍ତରେ ଥିବା ଜଳକୁଣ୍ଡରେ ତିନି ଠାକୁର କାନ୍ନାମରାଜୁ, ପୋତରାଜୁ ଓ ବାଲରାଜୁ ସ୍ନାନ କରିଛନ୍ତି । ଏହି ମୁହୁର୍ତ୍ତକୁ ଦର୍ଶନ କରିବାକୁ ଦୂର ଦୂରଦୂରାନ୍ତରୁ ଲୋକଙ୍କ ସୁଅ ଛୁଟିଛି । ତେବେ ୧୦ ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କ ଏଠାରେ ସମାଗମ ହୋଇଥିବା ଅନୁମାନ କରାଯାଇଛି। ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ ଓ ଓଡିଶା ଦଣ୍ଡକାରଣ୍ୟ ଅଞ୍ଚଳର ପ୍ରସିଦ୍ଧ ଓ ପୁରାତନ ଏହି ବଡ଼ ଯାତ୍ରା ପାଇଁ ମାନ୍ୟମକୋଣ୍ଡା ସମେତ ସମଗ୍ର ଜିଲ୍ଲା ଚଳଚଞ୍ଚଳ ହୋଇ ଉଠିଛି । ଆଦିବାସୀ ସଂସ୍କୃତି ଓ ପରମ୍ପରା ନୀତି ନିୟମରେ ଅନୁଷ୍ଠିତ ଏହି ଯାତ୍ରା ଏକ ମାସ ବ୍ୟାପୀ ପାଳନ କରାଯାଇଥାଏ । ପାଟପୂଜାରୀ ମାନେ ବିମାନ ଓ ଅନେକ ବାଉଁଶ ଲାଠି ସମେତ ଜିଲ୍ଲା ସଦରରୁ ମାନ୍ୟମକୋଣ୍ଡା ପର୍ଯ୍ୟନ୍ତ ପଦଯାତ୍ରାରେ ପହଞ୍ଚିଥିଲେ । ଗତ ରବିବାର ଦିନ ମାନ୍ୟମକୋଣ୍ଡା ପର୍ବତ କୋଳରୁ ତିନି ଠାକୁର ଉକ୍ତ ବିମାନରେ ସମାବେଶ ହୋଇ ସ୍ନାନ କରିବାକୁ ସୀମାନ୍ତ ଆନ୍ଧ୍ରର ପୋଲୁର ଅଭିମୁଖେ ଯାତ୍ରା କରିଥିଲେ । ଯିବା ବାଟରେ ଓଡ଼ିଶା ପୋଲୁର ଠାରେ ପହଞ୍ଚି ରାତ୍ରି ରହଣି କରିଥିଲେ । ସୋମବାର ସକାଳେ ଓଡ଼ିଶା ଓ ଆନ୍ଧ୍ର ପୋଲୁର ମଝିରେ ଥିବା ସିଲେରୁ ନଦୀରେ ନୌକା ବିହାର କରି ଆନ୍ଧ୍ର ପୋଲୁର ନିକଟସ୍ଥ ତାଡକାରେଉ ଜଙ୍ଗଲ ଗର୍ତ୍ତରେ ପହଂଚି ଥିଲେ । ଏବଂ ସେଠାରେ ଥିବା ଜଳ କୁଣ୍ଡରେ ଠାକୁର ସ୍ନାନ ସାରି ସେଦିନ ସନ୍ଧ୍ୟାରେ ମାନ୍ୟମକୋଣ୍ଡାକୁ ଫେରିଛନ୍ତି । ମଙ୍ଗଳବାର ଦିନ ମାନ୍ୟମକୋଣ୍ଡାରେ ଆଡମ୍ବର ସହିତ ପୂଜାର୍ଚ୍ଚନା ପଶୁ ପକ୍ଷୀ ବଳି ସମେତ ପ୍ରଥମ ଅନ୍ନଭୋଗ ଅର୍ପଣ କରାଯାଇଛି । ବୁଧବାର ଦିନ ମାନ୍ୟମକୋଣ୍ଡରୁ ମାଲକାନଗିରି ଅଭିମୁଖେ ତିନି ଠାକୁର ସମେତ ଦେବୀ ମୁତ୍ୟାଲୁଆମା ଗମନ କରିବେ ବୋଲି ଜଣାପଡିଛି । ଗୁବଲେର ନଦୀ କୂଳ ଏବଂ କାଲିମେଳା ବଦୁ ଗୁଡାରେ ପୂଜା ପରେ ବୁଧବାର ରାତ୍ରିରେ କାଲିମେଳା ପୂଜା ସ୍ଥଳରେ ଠାକୁର ରହଣି କରିବେ । ଗୁରୁବାର ସକାଳେ କାଲିମେଳା ଠାରେ ପୂଜା ଅନୁଷ୍ଠିତ ହେବ । ଏପରି ୯୦ କିମି ଦୂର ପାଦଯାତ୍ରା କଲା ପରେ ମାଲକାନଗିରି ସଦର ସ୍ଥିତ ମାଣ୍ଡିଆଭଟ୍ଟା ଏବଂ ମାଉଳିମା ମନ୍ଦିରରେ ଶେଷ ପୂଜା ଅନୁଷ୍ଠିତ କରାଯିବ । ଜିଲ୍ଲା ସଦର ମହକୁମାରେ ପହଞ୍ଚିବା ପର୍ଯ୍ୟନ୍ତ ବିଭିନ୍ନ ପୂଜା ମଣ୍ଡପ ସମେତ ତାଙ୍କ ଚଲା ପଥରେ ପୂଜାର୍ଚ୍ଚନା ସହିତ ବ୍ୟାପକ ପଶୁପକ୍ଷୀ ବଳି ଦିଆଯିବ । ଅର୍ଥାତ୍ ପ୍ରତି ପାଦରେ ପୂଜାର୍ଚ୍ଚନା, ବଳି ପୂଜା କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଏହି ବଡ଼ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବାକୁ ଆଜି ମାନ୍ୟମକୋଣ୍ଡା ଅଞ୍ଚଳରେ ପ୍ରଶାସନିକ ଅଧିକାରୀ ସମେତ ବିଭିନ୍ନ ବିଭାଗର କର୍ମଚାରୀ ବୃନ୍ଦ, ପୁଲିସ, ସ୍ବାସ୍ଥ୍ୟ ବିଭାଗ, ସ୍ବେଚ୍ଛାସେବୀ, ମାନ୍ୟମକୋଣ୍ଡା ବଡ଼ ଯାତ୍ରା କମିଟିର କର୍ମକର୍ତା ପ୍ରାମୁଖ ଉପସ୍ଥିତ ରହିଥିଲେ ।