ଭୁବନେଶ୍ୱର, ନବ ଦାସ ହତ୍ୟାକାଣ୍ଡର ସତ୍ୟାସତ୍ୟ ଉନ୍ମୋଚନ, ଘଟଣାର ସିବିଆଇ ତଦନ୍ତ ଏବଂ ଓଡିଶାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ବିଜେପି ଯୁବମୋର୍ଚ୍ଚା ତରଫରୁ ବିଧାନସଭା ଘେରାଓ କରାଯିବ ।
ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ପ୍ରତି ବର୍ଷ ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ଗତ ୫ ବର୍ଷରେ ୬୫.୯୦ ପ୍ରତିଶତ ଅପରାଧ ବୃଦ୍ଧି ପାଇଛି । ୨୦୧୮ରେ ୧୦୭୪୦୮; ୨୦୧୯ରେ ୧୨୧୫୨୫; ୨୦୨୦ରେ ୧୩୪୨୩୦; ୨୦୨୧ରେ ୧୫୫୪୨୦; ୨୦୨୨ରେ ୧୭୮୧୯୦ଟି ଅପରାଧ ରେକର୍ଡ ହୋଇଥିବାର ଗୃୃହ ରାଜ୍ୟ ମନ୍ତ୍ରୀ ବିଧାନସଭାରେ କହିଛନ୍ତି । ହତ୍ୟା, ଚୋରୀ, ଡକାୟତି, ଧର୍ଷଣ, ଠକାମି ଭଳି ଅପରାଧ ଉପରେ ରୋକ୍ ଲଗାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ଆଜି ବିଧାନସଭାରେ ବିଧାୟିକା ଶ୍ରୀମତୀ କୁସୁମ ଟେଟେ ଙ୍କର ପ୍ରଶ୍ନର ଉତରରେ ଗୃହ ରାଜ୍ୟମନ୍ତ୍ରୀ ତୁଷାରିକାନ୍ତ ବେହେରା ଯେଉଁଭଳି ଉତର ଦେଇଛନ୍ତି ଏହା ପ୍ରକୃତରେ ଓଡିଶାବାସୀଙ୍କ ସନ୍ଦେହକୁ ଆହୁରି ଘନୀଭୂତ କରୁଛି ।
ନବ ଦାସ ହତ୍ୟାକାଣ୍ଡ ଏକ ଯୋଜନାବଦ୍ଧ ହତ୍ୟା । ଏହି ହତ୍ୟାକାଣ୍ଡର ଷଡଯନ୍ତ୍ରକାରୀ ଓ ମୁଳ କାରଣକୁ ନଖୋଜି ସତ୍ୟାସତ୍ୟକୁ ଚପେଇ ଦେବା ପାଇଁ ସୁଚିନ୍ତିତ ଯୋଜନା କରୁଛି ଶାସକ ଦଳ । ପ୍ରକୃତରେ ବିଜେଡି ଷଡଯନ୍ତ୍ର କରି ଗୋପାଳ ଦାସକୁ ମୋହରା ବନାଇ ନବ ଦାସଙ୍କୁ ହତ୍ୟା କରିଛନ୍ତି । ଏ ପ୍ରସଙ୍ଗରେ ଓଡିଶାବାସୀଙ୍କୁ ରାଜ୍ୟ ସରକାର ଅନ୍ଧକାର ଭିତରେ ରଖିଛନ୍ତିି ।