ଭୁବନେଶ୍ୱର, ମୋଦି ସରକାର ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପର୍ଯ୍ୟାପ୍ତ ଅର୍ଥ ଦେଉଥିବା ବେଳେ ଗରିବ ଲୋକଙ୍କୁ ସେମାନଙ୍କର ହକର ଘର ଦେବାରେ ଶାସକ ଦଳ ଏତେ ସମ୍ବେଦନହୀନ କଣ ପାଇଁ ବୋଲି ପ୍ରଶ୍ନ କରିଛି ବିଜେପି । ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀରେ ଶାସକ ଦଳ ବିଜେଡି ଦଳର ଭୂମିକା “ମନ୍ଦିର ଭିତରେ କିଏ, ନା ମୁଁ କଦଳୀ ଖାଇନି” ସଦୃଶ ବୋଲି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ସେ କହିଛନ୍ତି ଆମ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାରମ୍ବାର ହସ୍ତକ୍ଷେପ ଓ କେନ୍ଦ୍ର ଗ୍ରାମୀଣ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କ କାରଣରୁ ଓଡ଼ିଶାକୁ ଅଧିକ ଘର ଆସୁଛି । ନିକଟରେ ମୋଦି ସରକାର ଓଡ଼ିଶାକୁ ମୋଟ ପ୍ରାୟ ୨୮ ଲକ୍ଷ ଘର ଦେଇଛନ୍ତି । ଓଡ଼ିଶା ସରକାରଙ୍କ ଅପାରଗତା ଓ ସମ୍ବେଦନହୀନତା ଯୋଗୁ ଆଜି ବି ଲକ୍ଷ ଲକ୍ଷ ଓଡିଆଙ୍କ ମୁଣ୍ଡ ଉପରେ ଛାତ ନାହିଁ । ଆବାସରେ ୧ ହଜାର କୋଟି ଟଙ୍କାରୁ ଅଧିକ ଦୁର୍ନୀତି ନେଇ କେନ୍ଦ୍ର ରିପୋର୍ଟ ଦେଲା ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ ।
୨୦୨୧-୨୨ ଆର୍ôଥକ ବର୍ଷ ପାଇଁ ଚୂଡ଼ାନ୍ତ ଆବାସ ପ୍ଲସ ତାଲିକାରେ ୮ ଲକ୍ଷ ୧୭ ହଜାର ୫୧୩ ଘର ପ୍ରଦାନ କରାଯାଇଥିବା ବେଳେ ରାଜ୍ୟ ସରକାର ଶାସକ ଦଳର ଭୋଟ୍ ହାର ଅଧିକ ଥିବା ଜିଲ୍ଲାରେ ଜାଣିଶୁଣି ଅଧିକ ଘର ପ୍ରଦାନ କରିଥିଲେ । ଦକ୍ଷିଣ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୧୪ଟି ଜିଲ୍ଲା ଜନଜାତି ବହୁଳ ଏବଂ ମାଓବାଦୀ ପ୍ରବଣ ଅଂଚଳକୁ ମାତ୍ର ୬ହଜାର ୬୪୮ ଘର ଆବଂଟନ କରାଯାଇଛି ।
ଆୱାସ ସଫ୍ଟରେ ଦିଆଯାଇଥିବା ତଥ୍ୟରେ ବ୍ୟାପକ ଅନିୟମିତତା ହୋଇଛି । ବହୁ ଯୋଗ୍ୟ ହିତାଧିକାରୀଙ୍କୁ ପରମାନେଟ୍ ୱେଟିଂ ଲିଷ୍ଟରୁ ବାଦ ଦିଆଯାଇଛି । ଅପରପକ୍ଷରେ ୨୦୦୫-୦୬ ମସିହାରୁ କାର୍ଯ୍ୟକାରୀ ହୋଇଥିବାବସୁନ୍ଧରା ଯୋଜନା ରେ ଗତ ୧୩ ବର୍ଷ ମଧ୍ୟରେ କେବଳ ୧୩ ପ୍ରତିଶତ ଭୂମିହୀନ ପରିବାରକୁ ଘରବାଡି ଜମି ଯୋଗାଇଛି, ଆହୁରି ୮୭ ପ୍ରତିଶତ ପରିବାର ବିନା ଜମିରେ ଆଜି ବି ନିଜର ଘର ତିଆରି କରି ପାରି ନାହାନ୍ତି ।
ପର ଘର ତିଅଣରେ ଅତିଥି ସତ୍କାର କରିବା ବିଜୁ ଜନତା ଦଳର ଦୈନାନ୍ଦିନ ବେପାର ବୋଲି ଶ୍ରୀ ସାମନ୍ତସିଂହାର କହିବା ସହ କହିଛନ୍ତି ଯେ ଦୁଇ ଦୁଇ ଥର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଠାରୁ ତାଗିଦ ସତ୍ୱେ ବି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଲୋଗୋର ଟ୍ୟାମ୍ପରିଂ ଆଜି ବି କରାଯାଉଛି । ଏହି ଯୋଜନା କୁ ଆଜି ବି ବିଜୁ ପକ୍କା ଘରର ଷ୍ଟିକର ଲଗାଇ ନିଜ ଯୋଜନା ଭଳି ପ୍ରଦର୍ଶିତ କରାଯାଉଛି ବୋଲି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ।
ଏହି ଅବସରରେ ରାଜ୍ୟ ସମ୍ପାଦିକା ଶ୍ରୀମତୀ ପିଙ୍କି ପ୍ରଧାନ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାନେତ୍ରୀ ଅର୍ପିତା ବଡଜେନା, ପ୍ରମୁଖ ଉପସ୍ଥିତ ଥିଲେ ।