ଭୁବନେଶ୍ୱର, ପ୍ରଥମେ ସରକାରୀ ଦଳ ଓ ପରେ ବିରୋଧୀ ଦଳର ବିଧାୟକ ମାନେ ବିଧାନସଭାରେ ହଟ୍ଟଗୋଳ କାରଣରୁ ବିଧାନସଭା ଅପରାହ୍ନ 4ଟା ଯାଏ ସ୍ଥଗିତ ରହିଛି । ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଥିବା ବେଳେ ଶୂନ୍ୟକାଳରେ ହଟ୍ଟଗୋଳ ହୋଇଥିଲା । ଫଳରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ନ 4ଟା ଯାଏ ସ୍ଥଗିତ ରଖିବାକୁ ଘୋଷଣା କରିଥିଲେ ।
ପ୍ରଶ୍ନକାଳ ସମାପ୍ତ ହୋଇ ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ବାଚସ୍ପତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ରଙ୍କୁ କହିବାକୁ ଡାକିଥିଲେ । ଜୟନାରାୟଣ ମିଶ୍ର ମଧ୍ୟ କହିବା ଆରମ୍ଭ କରିଥିଲେ ।
ହେଲେ ବିଜେଡି ଦଳର ବିଧାୟକ ମାନେ ତାଙ୍କ ନିଜ ନିଜ ଆସନରେ ଠିଆ ହୋଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶା ପ୍ରତି ଅନ୍ୟାୟ କରାଯାଉଥିବା ଅଭିଯୋଗ କରି ନାରାବାଜୀ କରିଥିଲେ । ସେମାନେ ହାତରେ ପ୍ଲାକାର୍ଡ ମଧ୍ୟ ଧରିଥିଲେ । ସେମାନେ ଜୋରଦାର ନାରାବାଜୀ କରୁଥିବା କାରଣରୁ ବିରୋଧୀ ଦଳର ନେତା ଯାହା କହୁଥିଲେ ତାହା ସ୍ପଷ୍ଟ ହୋଇ ପାରୁ ନ ଥିଲା । ତଥାପି ନାରାବାଜୀ ମଧ୍ୟରେ ସେ ତାଙ୍କର ଭାଷଣ ଜାରୀ ରଖିଥିଲେ ।
ସେ କହି ସାରିବା ପରେ ନାରାବାଜୀ ମଧ୍ୟରେ ବାଚସ୍ପତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ କହିବାକୁ ଡାକିଥିଲେ । ସେ କହିବା ଆରମ୍ଭ କରିବା ମାତ୍ରେ ବିଜେଡି ବିଧାୟକ ମାନେ ମାନେ ନାରାବାଜୀ ବନ୍ଦ କରି ଦେଇଥିଲେ । ତେବେ ଏହା ପରେ ବିରୋଧୀ ବିଜେପି ଓ କଂଗ୍ରେସର ବିଧାୟକ ମାନେ ନବ ଦାସ ହତ୍ୟା ମାମଲାକୁ ନେଇ ନାରାବାଜୀ କରିବା ସହ ଗୃହର ମଧ୍ୟ ଭାଗକୁ ଚାଲି ଆସିଥିଲେ । ଏହା ପରେ ବାଚସ୍ପତି ଗୃହକୁ ଅପରାହ୍ନ 4ଟା ଯାଏ ସ୍ଥଗିତ ରହିଲା ବୋଲି ଘୋଷଣା କରିଥିଲେ ।