ଭୁବନେଶ୍ୱର, ପୂର୍ବତନ ବିଧାୟକ ରାସମଂଜରୀ ଦେବୀଙ୍କ ବିୟୋଗରେ ଆଜି ବିଧାନସଭାରେ ଶୋକ ପ୍ରସ୍ତାବ ପାରିତ ହୋଇଛି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଶୋକ ପ୍ରସ୍ତାବ ଆଗତ କରିବାକୁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଡାକିଥିଲେ । ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଯୋଡି ହୋଇ ପୂର୍ବତନ ବିଧାୟକ ରାସମଞ୍ଜରୀ ଦେବୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ସେ କହିଥିଲେ ଯେ ପଶ୍ଚିମ ବଙ୍ଗର ପୁରୁଲିଆରେ ଜନ୍ମ ଗ୍ରହଣ କରିଥିବା ତିରିରିଆ ଗଡଜାତର ପୂର୍ବତନ ଶାସିକା ତଥା ୧୯୭୭ ମସିହାରେ ଆଠଗଡ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ରାସମଂଜରୀ ଦେବୀଙ୍କ ଗତକାଲି ବିୟୋଗ ଘଟିଛି । ସେ କଟକ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କର ବିୟୋଗ ରାଜ୍ୟ ଓ ପରିବାର ବର୍ଗ ପାଇଁ ବଡ କ୍ଷତି ।
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅଣା ଯାଇଥିବା ଏହି ଶୋକ ପ୍ରସ୍ତାବକୁ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଓ କଂଗ୍ରେସ ଦଳର ବିଧାୟକ ସନ୍ତୋଷ ସିଂହ ସାଲୁଜା ସମର୍ଥନ ଜଣାଇଥିଲେ । ଏହା ପରେ ଦିବଙ୍ଗତ ଆତ୍ମାର ସଦଗତି କାମନା ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।