-
ଡାକ୍ତର ପଦବୀ ପୂରଣ ନ ହେଲେ ଆମରଣ ଅନଶନ କରିବାକୁ ଧମକ ଦେଲେ ବିଧାୟକ ନବ ମାଝୀ
ଭୁବନେଶ୍ୱର, ରାଜ୍ୟରେ ବିଭିନ୍ନ ଡାକ୍ତରଖାନାରେ ଆବଶ୍ୟକୀୟ ସଂଖ୍ୟାରେ ଶଯ୍ୟା ନ ରହିବା, ଡାକ୍ତରଖାନା ମାନଙ୍କରେ ମଂଜୁରୀ ପ୍ରାପ୍ତ ପଦବୀ ଠାରୁ ଢେର କମ ସଂଖ୍ୟାରେ ଡାକ୍ତର ରହିବା ଆଦି ପ୍ରସଙ୍ଗକୁ ନେଇ ବିଧାନସଭାରେ ଆଜି ବିଧାୟକ ମାନେ ଗଭୀର ଭାବେ ଉଦବେଗ ପ୍ରକାଶ କରିଥିଲେ । ପ୍ରଶ୍ନକାଳରେ ସ୍ୱାସ୍ଥ୍ୟ ବିଭାଗ ସହିତ ଜଡିତ ଏକ ପ୍ରଶ୍ନ ଉପରେ ଆଲୋଚନା ବେଳେ ବେଡ୍ ଓ ଡାକ୍ତର ଅଭାବ ବିଷୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଂଜନ ପୁଜାରୀ କହିଛନ୍ତି ଯେ ରାଜ୍ୟରେ ବିଭିନ୍ନ ଡାକ୍ତରଖାନା ମାନଙ୍କରେ ବେଡ୍ ସଂଖ୍ୟା ବୃଦ୍ଧି କରିବା ସହ ଆଗାମୀ ଦିନରେ ପାଂଚ ହଜାର ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଜାରୀ ରହିଛି ।
ପ୍ରଶ୍ନକାଳରେ ବିଧାୟକ ମୋହନ ଚରଣ ମାଝୀଙ୍କ ମୂଳ୍ ପ୍ରଶ୍ନର ଉତ୍ତର ବେଳେ ଆଲୋଚନାରେ ଅଂଶଗ୍ରହଣ କରି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ କହିଥିଲେ ରାଇରଙ୍ଗ ସବଡିଭିଜନ ହସପିଟାଲରେ ୩୭ଟି ମଂଜୁରୀ ପ୍ରାପ୍ତ ଡାକ୍ତର ପଦ ରହିଛି । ଏଥି ମଧ୍ୟରୁ କେବଳ ୬ ଜଣ ଡାକ୍ତର ଅଛନ୍ତି । ସମସ୍ତ ରୋଗୀଙ୍କୁ ବାରିପଦା ରେଫର କରି ଦିଆଯାଉଛି । ବାରିପଦା ସେଠାରୁ ଶହେ କିମି ଦୂର । ତେଣୁ ଏହି ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ୱାସ୍ଥ୍ୟ ସଚିବ, ଜିଲ୍ଲାପାଳ ଓ ସିଡିଏମଓଙ୍କୁ ପତ୍ର ଲେଖି ସାରିଛନ୍ତି । ଏହା ସତ୍ୱେ କିଛି ହେଉ ନାହିଁ । ତେଣୁ ସେ ଆମରଣ ଅନଶନ କରିବାକୁ ବାଧ୍ୟ ହେବେ ବୋଲି ଧମକ ଦେଇଛନ୍ତି ।
ଏହାର ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ରାଜ୍ୟରେ ୫ହଜାର ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ଯାଉଛନ୍ତି ରାଜ୍ୟ ସରକାର । ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକତା ଭିତ୍ତିରେ ଡାକ୍ତର ପଦବି ପୂରଣ କରାଯିବ ।
ସ୍ୱାସ୍ଥ୍ୟ ମନ୍ତ୍ରୀ ଆହୁରି କହିଛନ୍ତି ଯେ ଶଯ୍ୟା ଅଭାବରୁ କାହାକୁ ଫେରାଇ ଦିଆଯାଉ ନାହିଁ । ୨୦୧୭-୨୦୧୮ରୁ ୨୦୨୨-୨୦୨୩ ମଧ୍ୟରେ ୧୭ ହଜାର ୧୩୦ରୁ ୨୫ ହଜାର ୬୫୦ ବେଡ ବୃଦ୍ଧି କରାଯାଇଛି । ଆଗାମୀ ଆର୍ôଥକ ବର୍ଷରେ ୨୧ ହଜାର ୩୪୨ ବେଡ ବଢ଼ାଇବାକୁ ନୀତିଗତ ନିଷ୍ପତ୍ତି ହୋଇଛି ।