-
ଗଣତନ୍ତ୍ରରେ ଜନ ପ୍ରତିନିଧି ମାନେ ମାଲିକ ନ ହେଲେ ଗଣତନ୍ତ୍ର ବଂଚିବ କିପରି
ଭୁବନେଶ୍ୱର, ଗଣତନ୍ତ୍ରରେ ଜନ ପ୍ରତିନିଧି ମାନେ ହେଲେ ମାଲିକ. କାରଣ ସେମାନେ ଲୋକଙ୍କ ନିକଟରେ ଉତ୍ତରଦାୟୀ । ହେଲେ ଯଦି ଗଣତନ୍ତ୍ରରେ ଅନ୍ୟ ମାନେ ମାଲିକ ହୋଇଯିବେ ତେବେ ଗଣତନ୍ତ୍ର ବଂଚିବ କିପରି ବୋଲି କହିଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ।
ଶ୍ରୀ ମିଶ୍ର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକ ସୌମ୍ୟରଂଜନଙ୍କ ବକ୍ତବ୍ୟକୁ ଉଦ୍ଧୃତ କରିଛନ୍ତି । ସେ କହିଛନ୍ତି ଯେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କାଲି କହିଛନ୍ତି ଯେ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରୁନାହାନ୍ତି’ । ମିନିଷ୍ଟର ଉପରେ ସୁପର ମିନିଷ୍ଟର ରହିଛନ୍ତି । ଖବର କାଗଜରେ ରିପୋର୍ଟ ପ୍ରକାଶ ପାଉଛି ଯେ କନସଲଟାଂଟ ମାନଙ୍କର କ୍ଷମତା ଖୁବ ଅଧିକ ହୋଇ ଯାଇଛି । ସେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଏ ସରକାରକୁ ପ୍ରକୃତରେ କିଏ ଚଳାଉଛି ।
ସେ କହିଛନ୍ତି ଯେ ବୁକ୍ ସର୍କୁଲାର ୪୭କୁ କେହି ମାନୁନାହାନ୍ତି । ଯଦି ସରକାରୀ ଦଳର ବିଧାୟକ ମାନଙ୍କର ସ୍ଥିତି ଏପରି ତେବେ ବିରୋଧୀ ଦଳର ବିଧାୟକ ମାନଙ୍କର ସ୍ଥିତି କଣ ତାହା ଅନୁମାନ କରାଯାଇ ପାରିବ । ଜଣେ କଂଗ୍ରେସର ବିଧାୟକଙ୍କ ପୁଅ ସହ ସାମାନ୍ୟ ବଚସା କାରଣରୁ ତାଙ୍କ ପୁଅ ବିରୁଦ୍ଧରେ ଗୁରୁତର ଦଫା ଲଗାଇ ଦିଆଯାଇଛି ।
ସେ ବାଚସ୍ପତିଙ୍କୁ କହିଛନ୍ତି ଯେ ଗୃହର ସୁରକ୍ଷାକର୍ତ୍ତା ହିସାବରେ ଆମ ସୁରକ୍ଷା ଆପଣଙ୍କ ଦାୟିତ୍ୱ । ତେଣୁ ‘ବୁକ୍ ସର୍କୁଲାର ଅମାନ୍ୟକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।