ରାଉରକେଲା, ରାଉରକେଲା ସହରରେ ଏବେ ଦିର୍ଘ ଦିନ ହେଲା ଚାଲିଥିବା ଆରଟିଓ ଅଫିସ ର ନୂଆ କାରସାଦି ସମ୍ପର୍କରେ ଜଣାପଡିଛି। ପୁଲିସ ଲଗାଇ ଆରଟିଓ ଅଫିସ ସମ୍ମୁଖରୁ ଦଲାଲ ମାନଙ୍କୁ ହଟାଇବା ପରେ ନୂଆ ଗାଡି ସୋ ରୁମ ମାଲିକ ଓ ସେମାନଙ୍କ ପାଖରେ କାମ କରୁଥିବା ପିଲା ମାନଙ୍କୁ ସୁରକ୍ଷିତ ଆରଟିଓ ଦଲାଲ ଭାବେ କାମ କରାଯାଇ ମୋଟା ଅଙ୍କର ଅର୍ଥ ରୋଜଗାର ଚାଲିଛି। ଏଥିରେ ଗାଡି ମାଲିକ ତ୍ରାହି ତ୍ରାହି ଡାକ ଦେଉଥିଲେ ମଧ୍ୟ ବିଭାଗୀୟ ଉଚ୍ଚ ଅଧିକାରୀ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଭିଜିଲାନ୍ସ ନୀରବଦ୍ରଷ୍ଟା ସାଜିଛନ୍ତି ।
ଖବରରୁ ଜଣାପଡିଛି ଯେ, ବର୍ତମାନର ଆରଟିଓ ଦିର୍ଘ ଦିନ ତଳେ ଏଠାରେ ଯୋଗଦାନ କରିବା ପରେ ଆରଟିଓ ଅଫିସରେ ଦଲାଲି କରି ଚଳୁଥିବା ଲୋକ ମାନଙ୍କୁ ଏଠାରୁ ଉଠାଇ ଏକ ପରିବର୍ତନ କରିବାଲାଗି ଚାହୁଁଛନ୍ତି ଓ ଲୋକେ ଏଥିରେ ଉପକୃତ ହେବେ, ଦଲାଲିକରଣ ବନ୍ଦ ହୋଇଯିବ ବୋଲି ବାର୍ତା ଲୋକ ଲୋଚନରେ ଆଲୋଚନା ହେଲା । ଦେଖାଗଲା ଏସପି ରାଉରକେଲା ବାରମ୍ବାର ଚଢଉ କରି ଦଲାଲ ମାନଙ୍କୁ ଗିରଫ କଲେ, ଅନେକ ଦଲାଲ ଫେରାର ହେଲେ, ନିଜ ଟେବୁଲ ଧରି ଘରକୁ ଗଲେ । ତା ପରେ ଦେଖିବା ବେଳେକୁ ସାଧାରଣ ଲୋକଟିଏ ଦୁଇ ଚକିଆ ଠାରୁ ୧୨ ଚକିଆ କିଣିଲା ବେଳେ ଗାଡି ସୋ ରୁମରେ ଆରଟିଓଙ୍କ ଲାଗି ଏକ ମୋଟା ଅଙ୍କର ପାଉଣା ଦେବାକୁ ପଡୁଛି । ସେହି ଅର୍ଥ ନଦେଲେ ଗାଡି କାଗଜ ପତ୍ରରେ ଅସୁବିଧା ହେବ ବୋଲି ସୋରୁମରେ କାମ କରୁଥିବା ବାବୁ ମାନେ ବୁଝାଇ ଦେଉଛନ୍ତି । ଦୁଇ ଚକିଆ ଗାଡି କିଣିଲେ ଗାଡିର ନମ୍ବର ବୀମା ଆଦି ଲାଗି ଯାହା ଲାଗିବ ତାଠାରୁ ଅଧିକ ୨ ହଜାର ଦେବାକୁ ପଡୁଛି ତାହା ଆରଟିଓ ରାଉରକେଲାଙ୍କ ନାମରେ ଦେବାକୁ ପଡୁଛି, ଯାହାର ରସିଦ ସୋ ରୁମ ମାଲିକ ଦେଉନାହାନ୍ତି । ସେହିଭଳି ଏକ ଅଟୋ କିଣିବାକୁ ଯାଇଥିବା ଲୋକକୁ ଅଟୋର ମୂଲ୍ୟ କୁହାଜିବା ସହ ଆରଟିଓ କାମ ଲାଗି ୩୦ ହଜାର୨୦୦ ଦେବାକୁ କୁହାଗଲା ।ଏନେଇ ପ୍ରଶ୍ନ ହେବାରୁ ତାଙ୍କୁ କୁହାଗଲା, ବୀମା, ଫିଟନେସ, ପରମିଟ ପରେ ଆରଟିଓ ଖର୍ଚ୍ଚ ଦେବାକୁ ପଡିବ ଯାହାର ରସିଦ ମିଳିବ ନାହିଁ, ରସିଦ ନେଇ ଯୁକ୍ତିତର୍କ ହେବାରୁ ସେ ଖର୍ଚ୍ଚର ରସିଦ ମଧ୍ୟ ମିଳିଜିବ ବୋଲି ବିହାର ଅଂଚଳର ସେ ଯୁବକ ଦାମ୍ଭିକତାର ସହ କହିଲେ, ଏହି କଥାରୁ ଅଧିକ ସନ୍ଦେହ ହେବା ସହ ଆରଟିଓ ଖର୍ଚ୍ଚ ନେଇ ଏମାନେ ନକଲି ରସିଦ ମଧ୍ୟ ଦେଉଥାଇପାରନ୍ତି ବୋଲି ଆଲୋଚନା ଚାଲିଛି । ତେବେ ଏନେଇ ଅଧିକ ତଥ୍ୟ ନେବାରେ ଜଣାପଡିଥିଲା ଯେ, ଏଥିରେ ପ୍ରାୟ ୭ ହଜାର ଟଙ୍କା ଆରଟିଓ ଏମଭିଆଇ ଓ ଗାଡି ବିକୁଥିବା ମାଲିକ ଭାଗ କରିନେଉଛନ୍ତି । ଠିକ ସେହିଭଳି ଯେତେ ବଡ ଦାମୀ ଗାଡି ସେହି ଅନୁଶାରେ ସୋରୁମ ରୁ ଲାଂଚ ଅର୍ଥ ନେଇ ଦଲାଲ ଆରଟିଓ ଅଫିସରେ ଦେବା ପରେ କାମ ହେଉଥିବା ଖବର ମିଳିଛି । ଆଜିକାଲି ସବୁକିଛି ଅନଲାଇନ କାମ ଚାଲିଛି, କିନ୍ତୁ ନିଜ କାରବାର ଲାଗି ଏହି ଅନଲାଇନକୁ ନିଜ ଲାଇନ କରାଯାଇ ଆରଟିଓ ରାଉରକେଲା ଲୁଟୁଥିବା ଅଭିଯୋଗ ହେଉଛି । ଖାଲି ସେତିକି ନୁହେଁ, ଟ୍ରାନ୍ସପୋର୍ଟିଂ ଲାଇସେନ୍ସ, ଫଇନାନ୍ସ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଆଦିରେ ଲାଂଚ ନଦେଲେ କାମ ହେଉନାହିଁ, ପ୍ରତି କାମ ଲାଗି ଏଠି ଖୋଲା ଖୋଲି ଲାଂଚ କାରବାର ଚାଲିଛି । ମୋଟା ମୋଟି ଆଗରୁ ଯାହା ଚାଲିଥିଲା ତାହା ଚାଲିଛି କେବଳ ବାହାରେ ବସିଥିବା ଏଜେଂଟ ମାନଙ୍କୁ ହଟାଇ ଦିଆଯାଇଛି । କିଛି ଏଜେଂଟ ଯେଉଁମାନଙ୍କୁ ଆଗରୁ ନିଜର କରି ରଖାଯାଇଥିଲା ସେମାନେ ଆଜିବି ସକ୍ରିୟ ରହିଛନ୍ତି । ବାହାରେ ବସୁଥିବା ଏଜେଂଟ ମାନଙ୍କୁ ପୁଲିସ ଜଗିବା ଲାଗି ଯାହାକୁ ଦାୟିତ୍ଵ ଦେଇଛି ସେ ବାବୁ କୁଆଡେ କହୁଛନ୍ତି ମାସିକିଆ ଦେଲେ ବସେଇ ଦେବି ନଚେତ ଏସପିଙ୍କୁ ରିପୋର୍ଟ କରିଦେବି । ଏଥିରୁ ଜନସାଧାରଣ ବୁଝିଗଲେଣି ଆରଟିଓ ଅଫିସରେ ମିଳୁଥିବା ସେବା କଣ, ସରକାରୀ ବ୍ୟବସ୍ଥାରେ ଚାଲିଛି କଣ, ଏହା ହେଉଛି ତାହାର ଜ୍ଵଳନ୍ତ ଉଦାହରଣ । ଏନେଇ ଭିଜିଲାନ୍ସର ଦୃଷ୍ଟି ଆକର୍ଷଣ କରାଜିବାରୁ ଉତର ମିଳୁଛି ଦେଖିବା ଆଜ୍ଞା ।