ଭୁବନେଶ୍ୱର, ସୋମବାର ପୂର୍ବାହ୍ନରେ କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜିତ ତୃତୀୟ ରାଜ୍ୟସ୍ତରୀୟ ସରକାରୀ ପଲିଫେଷ୍ଟ ଓ ଆଇଟିଆଇ ଫେଷ୍ଟକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଘଡ଼େଇ କହିଲେ ସ୍ୱାସ୍ଥ୍ୟ ହିଁ ସମ୍ପଦ । ଆଜି ଓଡ଼ିଶା ସମଗ୍ର ପୃଥିବୀରେ ସ୍ପୋର୍ଟସ୍ ହବ୍ ଭାବେ ସୁପରିଚିତ । ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଛନ୍ତି । କ୍ରୀଡ଼ା କ୍ଷେତ୍ରରେ ରାଜ୍ୟର ଦକ୍ଷତା ବିକାଶ ହୋଇପାରିବ । ଓଡ଼ିଶା ମାଟିର ଖଣିଜ ସମ୍ପଦକୁ ନେଇ ରାଜ୍ୟର ଅର୍ଥନୈତିକ ଓ କର୍ମନିଯୁକ୍ତି ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଓ ବିକାଶଧାରାକୁ ଆଗେଇ ନେବା ପାଇଁ ରାଜ୍ୟର ସମସ୍ତ ପଲିଟେକ୍ନିକ୍ (ଆଇଟିଆଇ) ଇଂଜିନିୟରିଂ କଲେଜ ଛାତ୍ରଛାତ୍ରୀମାନଙ୍କୁ ମନ୍ତ୍ରୀ ଶ୍ରୀ ଘଡ଼େଇ ଆହ୍ୱାନ ଦେଇଥିଲେ । ଏଥିରେ ବିଭଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଲେ ଦେଶରେ କ୍ରୀଡ଼ା ନାମ ଉଠିଲେ କେବେ ପଞ୍ଜାବ, ହରିଆନା ରାଜ୍ୟର ନାମ ରହୁଥିଲା କିନ୍ତୁ ବର୍ତମାନ କ୍ରୀଡ଼ା କଥା ପଡ଼ିଲେ ଓଡ଼ିଶାର ନାମ ଆସୁଛି । ଛାତ୍ରଛାତ୍ରୀମାନଙ୍କର ସ୍ପୋର୍ଟସ୍ ରେ ଉତ୍ସାହ ରହିଲେ ସେମାନଙ୍କର ପ୍ରତ୍ୟେକ କ୍ଷେତ୍ରରେ ଆଗ୍ରହ ସୃଷ୍ଟି ହୋଇଥାଏ । କୌଣସି କୁଶଳୀ କାରିଗର ହେବାକୁ ହେଲେ ପ୍ରଥମେ ସୁନ୍ଦର ସ୍ୱାସ୍ଥ୍ୟର ଆବଶ୍ୟକତା ରହିଛି ବୋଲି ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ ମତବ୍ୟକ୍ତ କରିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଜି.ରଘୁଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ମଣ୍ଡଳସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଡିପ୍ଲୋମା ଇଂଜିନିୟରିଂ ଏବଂ ଆଇଟିଆଇ ଛାତ୍ରଛାତ୍ରୀମାନଙ୍କୁ ନେଇ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଚାରିଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ୨୭ ଫେବୃଆରୀରୁ ମାର୍ଚ୍ଚ ମାସ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।