ନୂଆପଡ଼ା,ଖଡ଼ିଆଳ କାର୍ଯ୍ୟ ନିର୍ବାହି ଅଧିକାରୀ ଜିଲ୍ଲା ପ୍ରଶାସନ ତଥା ଜିଲ୍ଳାପାଳଙ୍କ ନିର୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିକଲେ ମୁକ୍ତାପୁର ଗ୍ରାମବାସୀ । ସୂଚନା ଅନୁସାରେ ଦୀର୍ଘ ଦିନହେବ ମୁକ୍ତାପୁର ଗ୍ରାମସ୍ଥିତ ଆରଡି କଲୋନୀ ସହ ଆଇସିଡିଏସ ଜମି ଦେଇ ଏକ ରାସ୍ତା ନିର୍ମାଣ ପାଇଁ ମୁକ୍ତାପୁର ବାସୀ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରୁ ନେଇ ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କରିଛନ୍ତି, ହେଲେ ଉଭୟ ଜିଲ୍ଲା ପ୍ରଶାସନ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ତ୍ତୃପକ୍ଷଙ୍କ ଉଦାସୀନତା ଓ ଖାମଖିଆଳି ମନୋଭାବ ଯୋଗୁଁ ଏକ ଭଲ ରାସ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି ମୁକ୍ତାପୁର ଗ୍ରାମବାସୀ । ଶେଷ ମୁହୂର୍ତ୍ତରେ ଅର୍ଥାତ ଗତ ଅଗଷ୍ଟ ଏକ ତାରିଖ ଦିନ ମଧୁସୂଦନ ହଂସଙ୍କ ସମେତ ଗ୍ରାମବାସୀ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଦେଖାକରି ରାସ୍ତା ପାଇଁ ଦାବି କରିଥିଲେ । ଉକ୍ତ ଅଭିଯୋଗକୁ ଜିଲ୍ଲାପାଳ ଗୁରୁତର ସହ ନେଇ ସ୍ଥାନୀୟ ତହସିଲଦାରଙ୍କୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦେଶ ଦେଇଥିଲେ । ଏମିତି କି କିଛି ବେସରକାରୀ ଜାଗା ଥିବାରୁ ରାସ୍ତା ନିର୍ମାଣରେ ବାଧା ହେଉଥିଲା ଶେଷରେ ବାସନ୍ତୀ ତାଣ୍ଡି ନାମକ ମହିଳା ୧୩ ଡ଼ିସିମିଲ ଜାଗା ରାସ୍ତା ନିର୍ମାଣ ପାଇଁ ଦାନ ମଧ୍ୟ କଲେ । ଖଡ଼ିଆଳ ତହସିଲ ପକ୍ଷରୁ ତଦନ୍ତ କରି ଯଥା ଶୀଘ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମାଧ୍ୟମ ଅକ୍ଟୋବର ଦଶ ତାରିଖ ୨୦୨୨ ରେ ରିପୋର୍ଟ ମଧ୍ୟ ଦାଖଲ ହୋଇଥିଲା । ଏବଂ ଉକ୍ତ ରାସ୍ତା ପାଇଁ ସହରାଞ୍ଚଳ ଉନ୍ନତି ଯୋଜନାରେ ଚାରି ଲକ୍ଷ ୮୨ ହଜାର ଟଙ୍କା ମଧ୍ୟ ଧାର୍ଯ୍ୟ ହୋଇଥିଲା । ହେଲେ ରାସ୍ତା ନିର୍ମାଣ ପାଇଁ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ଚୂଡାନ୍ତ ପ୍ରସ୍ତାବ ଜିଲ୍ଲା ପ୍ରଶାସନ କୁ ଦେବା ପାଇଁ ଗତ ଫେବୃଆରୀ ଚାରି ତାରିଖ ଦିନ ନିର୍ବାହୀ ଅଧିକାରୀଙ୍କୁ ପ୍ରେରଣ ହୋଇଥିଲା ଏବଂ ସାତ ଦିନ ମଧ୍ୟରେ ଏହାର ରିପୋର୍ଟ ଦେବା ପାଇଁ ନିର୍ଦେଶ ରହିଲା । ହେଲେ ଦୀର୍ଘ ଦିନ ହୋଇଯାଇଥିଲେ ନାଁ ରିପୋର୍ଟ ଯାଇଛି ନାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ତ୍ତୃପକ୍ଷ ପଦକ୍ଷେପ ନେଉଛନ୍ତି । ମୁକ୍ତାପୁର ଗାଁ ପ୍ରତି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବୈମାତୃକ ମନୋଭାବ କାହିଁକି ତାହା ସନ୍ଦେହ ଘେରରେ । ବର୍ତ୍ତମାନ ଅଞ୍ଚଳବାସୀ ମାନଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି, ଯଦି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳଙ୍କ ନିର୍ଦେଶ କୁ କାର୍ଯ୍ୟ ନିର୍ବାହି ଅଧିକାରୀ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ତ୍ତୃପକ୍ଷ ଅବମାନନା କରୁଚଛନ୍ତି ତେବେ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କିପରି ହେଉଥିବା ତାହା ସହଜ ଅନୁମେୟ । ଏବାବଦରେ ଆମେ ଖଡ଼ିଆଳ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟଙ୍କୁ ବାରମ୍ବାର ଯୋଗାଯୋଗ କଲେ ହେଁ ଦୀର୍ଘ ଦୁଇ ସପ୍ତାହ ରୁ ଉର୍ଦ୍ଧ୍ବ ସମୟ ହେବ ଛୁଟିରେ ଶ୍ରୀ ଆଚାର୍ଯ୍ୟ ଯାଇଥିବାରୁ ଯୋଗାଯୋଗ ମଧ୍ୟ ସମ୍ଭବ ହୋଇ ପାରୁନାହିଁ । ଜିଲ୍ଲାପାଳ ସାତ ଦିନ ମଧ୍ୟରେ ଉକ୍ତ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ ହେଁ ଆଜକୁ ଦୀର୍ଘଦିନ ହେବ ରିପୋର୍ଟ ନଯିବା ମୁକ୍ତାପୁରବାସୀଙ୍କୁ ବ୍ୟଥିତ କରିଛି । ଏଉପରେ ତୁରନ୍ତ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ମୁକ୍ତାପୁରବାସୀଙ୍କୁ ରାସ୍ତା ଯୋଗାଇ ଦେବା ଜରୁରୀ ହୋଇ ପଡିଛି ।
Related Stories
November 25, 2024