ମାଲକାନଗିରି,ଦେଶ ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏବେ ବି ମାଲକାନଗିରି ଜିଲ୍ଲାର ଅନେକ ଗ୍ରାମ ବିକାଶଠୁ ବହୁ ଦୂରରେ ରହିଛି। କେଉଁଠି ପାନୀୟ ଜଳ ସମସ୍ୟା ତ ଆଉ କେଉଁଠି ରାସ୍ତା ଘାଟ ନ ଥିବାରୁ ରୋଗୀ ଓ ଗର୍ଭବତୀଙ୍କୁ ଭାରରେ ବୁହା ହେଉଛି। ଲୋକେ ୧୦ରୁ ୧୫ କି.ମି. ଚାଲି ଚାଲି ରାଶନ ସାମଗ୍ରୀ ଓ ବାର୍ଦ୍ଧକ୍ୟ ଭତ୍ତା ଆଣୁଥିବା ବେଳେ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟକୁ ଯିବା ପାଇଁ ସମସ୍ୟା ଭୋଗୁଛନ୍ତି। ସେହିପରି ଆବାସ, ଶିକ୍ଷା, ସ୍ବାସ୍ଥ୍ୟସେବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଯାହାର ଏକ ଉଦାହରଣ ହେଉଛି ମାଲକାନଗିରି ଜିଲା ଖଇରପୁଟ ବ୍ଲକ କଦମଗୁଡା ପଞ୍ଚାୟତ ଅନ୍ତର୍ଗତ ଚାପୁଲପଡା ଗ୍ରାମ।
ଚାପୁଲପଡ଼ା ଗ୍ରାମକୁ ପାହାଡିଆ ପଥୁରିଆ ବଣ ଜଙ୍ଗଲ ଦେଇ ପାଦଚଲା ରାସ୍ତାରେ ହିଁ ଯିବାକୁ ପଡ଼େ। ଏହି ରାଜସ୍ବ ଗ୍ରାମର ୫ଟି ପଡାସାହିରେ ମୋଟ ୧୦୦ ପରିବାର ବସବାସ କରୁଛନ୍ତି। ଲୋକ ସଂଖ୍ୟା ୫୦୦ରୁ ଊର୍ଦ୍ଧ୍ଵ। ଗ୍ରାମରେ କାହାର ଦେହ ଖରାପ ହେଲେ କିମ୍ବା ଗର୍ଭବତୀଙ୍କ ପ୍ରସବ ଅସୁବିଧା ହେଲେ ଗୁଣିଆ ଏକମାତ୍ର ଭରସା। ସ୍ବାସ୍ଥ୍ୟସେବା କହିଲେ ମାସକୁ ଥରେ ମାତ୍ର ସ୍ବାସ୍ଥ୍ୟକର୍ମୀ ଗ୍ରାମକୁ ଆସିଥାନ୍ତି। ସେମାନେ ଆସିବା ବେଳେ ଯେଉଁ ଲୋକଙ୍କ ଦେହ ଖରାପ ଥିବ କିଛି ଔଷଧ ଦେଇ ପଳାଇଥାନ୍ତି। ସେହିପରି ଗର୍ଭବତୀ, କୋମଳମତି ଶିଶୁ ପୁଷ୍ଟିକର ଖାଦ୍ୟ ଓ ପ୍ରାକ୍ ଶିକ୍ଷା ଠିକ୍ ଭାବେ ପାଇ ପାରୁନାହାନ୍ତି। ଅଙ୍ଗନଓ୍ବାଡି କର୍ମୀ ଦୁଇ ମାସରେ ଥରେ ଗାଁକୁ ଆସନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ଶିଶୁ ଓ ଗର୍ଭବତୀଙ୍କ ପାଇଁ ଆସୁଥିବା ପୁଷ୍ଟିକର ଖାଦ୍ୟ ଯାଉଛି କୁଆଡେ ? ଗ୍ରାମକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସିବା କଷ୍ଟକର। ଗାଁକୁ ଯିବାକୁ ହେଲେ କ୍ଷମାଗୁରୁ ଠାରୁ ଛୋଟ ବଡ ନାଳ ଓ ପଥୁରିଆ ପାହାଡିଆ ରାସ୍ତା ପାର ହେବାକୁପଡ଼େ। ବର୍ଷାଦିନେ ଗ୍ରାମବାସୀ ନା କେଉଁଠିକୁ ଯାଇପାରିବେ ନା ଗ୍ରାମକୁ କେହି ଆସିପାରୁଛନ୍ତି। ମୌଳିକ ସୁବିଧା କହିଲେ ଅନେକ ବର୍ଷ ପୂର୍ବରୁ ଗ୍ରାମରେ ଗୋଟିଏ ମାତ୍ର ନଳକୂପ ରହିଛି, ଯାହାକି ବର୍ତ୍ତମାନ ଅଚଳ ହୋଇପଡିଛି। ତେଣୁ ଝରଣା ପାଣି ଗ୍ରାମବାସୀଙ୍କ ଭରସା। ବର୍ଷାଦିନେ ଝରଣା ପାଣି ଦୂଷିତ ହେଲେ ମଧ୍ୟ ଅନ୍ୟ କୌଣସି ବିକଳ୍ପ ନାହିଁ। ତେଣୁ ବାଧ୍ୟ ହୋଇ ତାହାକୁ ବ୍ୟବହାର କରି ଗ୍ରାମବାସୀ ବିଭିନ୍ନ ରୋଗରେ ପଡୁଥିବା କୋହଭରା କଣ୍ଠରେ କହିଛନ୍ତି। ପୂର୍ବରୁ ଏହି ଅଞ୍ଚଳରେ ମାଓବାଦୀଙ୍କ ରାଜୁତି ଚାଲୁଥିବା କାରଣରୁ ବିକାଶ ହୋଇପାରୁ ନ ଥିଲା କିମ୍ବା ସରକାରୀ ବାବୁମାନଙ୍କ ପାଦ ପଡୁ ନଥିଲା। ତେବେ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ସୀମା ସୁରକ୍ଷା ବଳ ନିୟୋଜିତ ହେବା ପରେ ଆଉ ମାଓବାଦୀଙ୍କ ହିଂସା ଦେଖିବାକୁ ମିଳୁ ନ ଥିଲେ ମଧ୍ୟ ସରକାରୀ ବାବୁମାନଙ୍କ ପାଦ ପଡୁନାହିଁ। କେବଳ ଚାପୁଲପଡ଼ା ନୁହେଁ ଖଇରପୁଟ ବ୍ଲକ ଅଞ୍ଚଳରେ ଏପରି ଅନେକ ଗ୍ରାମ ଅଛି, ଯେଉଁଠି ଲୋକେ ବର୍ଷ ବର୍ଷ ଧରି ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। କିନ୍ତୁ, ସରକାର ଏଥିପ୍ରତି ଗୁରୁତ୍ଵ ଦେଉନାହାନ୍ତି। ନିର୍ବାଚନ ଆସିଲେ ଗ୍ରାମରେ ମାଳ ମାଳ ନେତା ମନ୍ତ୍ରୀ କେବଳ ପ୍ରତିଶ୍ରୁତି ଦେଇଯାଆନ୍ତି। ଏହି ପ୍ରତିଶ୍ରୁତି ପରେ ପାଣିର ଗାର ପାଲଟିଯାଏ। ଏପରି ସ୍ଥିତିରେ ତୁରନ୍ତ ଏହି ଗ୍ରାମର ସମସ୍ୟା ସମାଧାନ ନ ହେଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।