ବଲାଙ୍ଗିର, ନିଶାସକ୍ତ ଜେଲ ୱାର୍ଡରଙ୍କ ଉନ୍ମତ୍ତ କାଣ୍ଡ। ହସ୍ପିଟାଲ ପରିସରକୁ ପଶି ଦମ୍ପତ୍ତିଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ।
ଗତକାଲି ଠାରୁ ଗଇଁତଲା ଗାଁ ର ରମାକାନ୍ତ ନାଗ ହସ୍ପିଟାଲରେ ନିଜ ବାପାଙ୍କୁ ଭର୍ତି କରିଛନ୍ତି। ରମାକାନ୍ତ ନିଜ ସ୍ତ୍ରୀ ଙ୍କ ସହିତ ହସ୍ପିଟାଲ ନିକଟରେ ଥିବା ଆଉଟଡୋର ଠାରେ ଛିଡା ହୋଇଥିଲେ। ସେହି ରାସ୍ତାରେ ଜେଲକୁ ଯାଉଥିବା ଜିଲ୍ଲା କାରାଗାରର ୱାର୍ଡର ବିଜୁ ଛତ୍ରିଆ ହଠାତ ନିଶାସକ୍ତ ଅବସ୍ଥାରେ ଦମ୍ପତ୍ତିଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ। ପ୍ରତିବାଦ କରିବାରୁ ଉଭୟଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ ମାରିଥିଲେ। ଏନେଇ ହସ୍ପିଟାଲ ଫାଣ୍ଡିକୁ ଯାଇ ଲିଖିତ ଅଭିଯୋଗ କରିଥିଲେ ରମାକାନ୍ତ। ଘଟଣାରେ ହସ୍ପିଟାଲ ଫାଣ୍ଡି ପୋଲିସ ଜେଲ ୱାର୍ଡରଙ୍କୁ ଅଟକ ରଖିଥିଲା। ପରେ ଟାଉନ ଥାନାର ପୋଲିସ ଟିମ ଆସି ୱାର୍ଡର ବିଜୁ ଛତ୍ରିଆଙ୍କୁ ଟାଉନ ଥାନାକୁ ନେଇ ଅଧିକ ପଚାର ଉଚୁରା କରୁଛନ୍ତି। ସେପଟେ ଜଣେ ଜେଲ ୱାର୍ଡର ମଦ୍ୟପାନ କରି ହସ୍ପିଟାଲ ପରିସରରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ ମାରିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।