ଭୁବନେଶ୍ୱର, ସଠିକ୍ ଆକଳନ ଜଣା ନଥିବା ରାଜ୍ୟ ସରକାର କେବଳ ସ୍ୱପ୍ନ ଦେଖିବାରେ ବ୍ୟସ୍ତ ରହି ରାଜ୍ୟବାସୀଙ୍କୁ ଗୋଟିଏ ପରେ ଗୋଟିଏ ଗୋଲାପୀ ସ୍ୱପ୍ନ ଦେଖାଇ ଚାଲିଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଗତକାଲି ରାଜ୍ୟ ସରକାର ଉପସା୍ଥପିତ କରିଥିବା ବଜେଟରେ ଏହା ପୁଣି ଥରେ ପ୍ରତିଫଳିତ ହୋଇଛି । ସଂପୂର୍ଣ୍ଣ ବଜେଟ୍କୁ ଅନୁଧ୍ୟାନ କଲେ, ଏହା “ବସ୍ତାନି ବଡ, ପାଠ କମ୍” ସଦୃଶ ଅଟେ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି ।
ଶନିବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ମିଛ କଥା କହି ରାଜ୍ୟବାସୀଙ୍କୁ ସୁନେଲୀ ସ୍ୱପ୍ନ ଦେଖାଉଥିବା ରାଜ୍ୟ ସରକାର ପ୍ରତି ବର୍ଷ ବଜେଟର ଅକାର ବଢେଇ ବଢେଇ ଚାଲିଛନ୍ତି ସତ, ମାତ୍ର ବର୍ଷ ଶେଷକୁ ୧୭ ପ୍ରତିଶତରୁ ୩୯ ପ୍ରତିଶତ ପର୍ଯ୍ୟନ୍ତ ଖର୍ଚ୍ଚ କରିବାରେ ବିଫଳ ହେଉଛନ୍ତି । ୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ ଆକଳନ ହୋଇଥିବା ବଜେଟରୁ ୯୯,୬୯୬ କୋଟି ଟଙ୍କା ଖର୍ଚ୍ଚ ହୋଇ ନପାରିବା ରାଜ୍ୟ ସରକାରଙ୍କ ଦୁର୍ବଳ ଆର୍ଥୀକ ପରିଚାଳନାକୁ ପ୍ରମାଣିତ କରୁଛି । ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ଓ ନିଯୁକ୍ତି କ୍ଷେତ୍ରରେ ବଜେଟରେ ବ୍ୟୟବରାଦ ଓ ଗ୍ରାଉଣ୍ଡ ଜିରୋରେ ବାସ୍ତବିକତା ଭିତରେ ଆକାଶ ପାତାଳ ଫରକ ଅଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
କେନ୍ଦ୍ର ସରକାରଙ୍କ ଅଂଶଧନ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଏହି ବଜେଟ । ରାଜ୍ୟ ସରକାରଙ୍କ ନିଜସ୍ୱ ରୋଜଗାର ୧,୦୫,୫୦୦କୋଟି, ଯାହା ଦରମା ଓ ପେନସନ ବାବଦରେ ଖର୍ଚ୍ଚ ହୋଇଯାଉଛି । ଓଡ଼ିଶାର ମୋଟ ରାଜସ୍ୱରେ କେନ୍ଦ୍ରୀୟ ଟିକସ ୩୬,୯୭୮କୋଟିରୁ ୪୬,୨୫୧କୋଟି ଟଙ୍କାକୁ ବୃ୍ଦ୍ଧି ପାଇଛି । ଏହା ସହ କେନ୍ଦ୍ରୀୟ ଅନୁଦାନ ବାବଦରେ ୩୨,୭୪୯କୋଟି ଟଙ୍କା ଓଡ଼ିଶାକୁ ମିଳିଛି । ରାଜ୍ୟ ରାଜସ୍ୱ ପ୍ରାପ୍ତିର ମୋଟ ୧,୮୪,୫୦୦କୋଟି ଟଙ୍କାରୁ ପାଖାପାଖି ୭୯,୦୦୦ କୋଟି ଟଙ୍କା ହେଉଛି କେନ୍ଦ୍ରର ଅବଦାନ । ସେହିପରି ମିଶନ ଶକ୍ତି, ପିଇବା ପାଣି, ପକ୍କାଘର ନିର୍ମାଣ, ଭିତିଭୁମି ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ବଜେଟରେ ବ୍ୟୟବରାଦ ହୋଇଥିବା ସମସ୍ତ ଅନୁଦାନ କେନ୍ଦ୍ର ସରକାରଙ୍କର । ଜଳଜୀବନ ମିଶନ ପାଇଁ ୫୭୫୦ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୯୩୪ କୋଟି, ଭିତିଭୁମି ନିର୍ମାଣ ପାଇଁ ୧୯୪୫୨ କୋଟି ଟଙ୍କା ହେଉଛି କେନ୍ଦ୍ରୀୟ ଅନୁଦାନ ଓ ଯୋଜନାର ଅଂଶସ୍ୱରୁପ ।
ବଜେଟ୍ରେ ଖର୍ଚ୍ଚ ବଢ଼ିଥିଲେ ମଧ୍ୟ ଜାତୀୟ ହାର ୧.୭୦ଲକ୍ଷ ତୁଳନାରେ ଓଡିଶାର ମୁଣ୍ଡପିଛା ଆୟ ୧.୫୦ଲକ୍ଷ ଟଙ୍କା ରହିଛି । ଜାତୀୟ ହାର ୨୨.୫ପ୍ରତିଶତ ଥିବା ସମୟରେ ଓଡ଼ିଶାର ୨୯.୫ପ୍ରତିଶତ ଜନସାଧାରଣ ଏବେ ବି ଗରିବ ଅଛନ୍ତି । ଟିକସ ଦାତାଙ୍କ ପଇସାକୁ କିଭଳି ଭାବରେ ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟାପକ ଅବ୍ୟବସ୍ଥା କରାଯାଉଛି, ତାହା ବଜେଟରେ ପ୍ରତିଫଳିତ ହୋଇଛି ।
ବାସ୍ତବରେ ବଜେଟ୍ରେ କୌଣସି ନୂତନତ୍ୱ ନାହିଁ । ନୂତନତ୍ୱ ନାଁରେ ଯେଉଁ କେତେକ ନୂଆ ଯୋଜନା ସୃଷ୍ଟି କରାଯାଇଛି, ତାହା କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡପ କରାଯାଇ ଲୋକଙ୍କୁ ଭ୍ରମିତ କରିବା ଉଦ୍ଦେଶ୍ୟରେ କରାଯାଇଛି । ମିଶନଶକ୍ତି ସ୍କୁଟର ଯୋଜନାରେ ୫୦କୋଟି ଟଙ୍କା ବ୍ୟୟ ବରାଦ କରି “ନୂଆ ଯୋଜନା”ର ସୃଷ୍ଟି ହେଉଛି ବୋଲି ପ୍ରହେଳିକା ସୃଷ୍ଟି କରାନଯାଉ । ରାଜ୍ୟ ସରକାର “କାଳିଆ” ଯୋଜନାରେ ଚଳିତବର୍ଷ ଅନୁଦାନ ବଢ଼ାଇଲେ ନାହିଁ । ଗତବର୍ଷ ଏହି ଯୋଜନା ପାଇଁ ୧୮୭୪କୋଟି ଟଙ୍କା ବ୍ୟୟବରାଦ କରିଥିବାବେଳେ ଏହି ବର୍ଷ ଏହା ୧୮୭୯କୋଟି ଟଙ୍କା ବ୍ୟବରାଦ କରିଛନ୍ତି । ମୋଦି ସରକାରଙ୍କ ‘ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା’କୁ ଓଡ଼ିଶା ସରକାର “କାଳିଆ” ଅନୁଦାନ ଭାବରେ ଭ୍ରମ ସୃଷ୍ଟି କରିବାର ପ୍ରୟାସ ଜାରୀ ରଖିଛନ୍ତି । ରାଜ୍ୟରେ ବର୍ଷ ବର୍ଷ ଧରି ବିଭିନ୍ନ ଉଦ୍ୟାନ କୃଷି ଓ ଫଳ ପରିବା ମିଶନ ଅସଫଳ ହେବାର ମୁଖ୍ୟ କାରଣ ହେଉଛି ରାଜ୍ୟରେ ଶୀତଳଭଣ୍ଡାର ଏବଂ ଆନୁଷଙ୍ଗିକ ବିତରଣ ବ୍ୟବସ୍ଥାର ଅଭାବ । ସ୍ୱତନ୍ତ୍ର କୃଷି ବଜେଟ୍ ହେଲା ପରେ ବି ସରକାର ଗୋଟିଏ ହେଲେ ନୂଆ ଶୀତଳଭଣ୍ଡାରର ଯୋଜନା କରିନାହାନ୍ତି । ଏହା ସମସ୍ତ ଫଳ, ପନିପରିବା, ମାଛ ଚାଷୀଙ୍କୁ ହତୋତ୍ସାହିତ କରିଛି । ୨୦୨୦ ଆର୍ଥିକ ବର୍ଷ କୃଷି ବଜେଟରେ ୨,୯୦୧ କୋଟି; ୨୦୨୧ ରେ ୧,୫୪୪ କୋଟି ଖର୍ଚ୍ଚ ନ ହୋଇପାରିବା ଅତ୍ୟନ୍ତ ଦୁର୍ଭଗ୍ୟଜନକ ଓ ଚାଷୀକୁଳ ପ୍ରତି ଉପହାସ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ସେହିପରି ଉଚ୍ଚ ମାଧ୍ୟମିକରେ ୨୭.୩ପ୍ରତିଶତ ଅଧାରୁ ପାଠପଢ଼ା ଛାଡୁଛନ୍ତି । ଉଚ୍ଚ ମାଧ୍ୟମିକରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଅନୁପାତ ୬୨:୧ । ଗୁଣାତ୍ମକ ଶିକ୍ଷା ପାଇଁ ବଜେଟରେ କୌଣସି ବ୍ୟବସ୍ଥା ନାହିଁ ।
ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ଉପସ୍ଥିତ ଥିଲେ ।