ଢ଼େଙ୍କାନାଳ, ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟସେବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ଏବଂ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ଏଡିଏମଓ)ଙ୍କୁ ଘେରିଛନ୍ତି ଢ଼େଙ୍କାନାଳ ଜିଲ୍ଲା ବଣିକ ସଂଘ, ଓକିଲ ସଂଘ, ସାମ୍ବାଦିକ ସଂଘର କର୍ମକର୍ତା ଓ ବୁଦ୍ଧିଜିବୀ । ଆଜି ସକାଳେ ଏମାନେ ହଠାତ୍ ମିଳିତ ଭାବେ ମେଡ଼ିକାଲରେ ପହଂଚି ବର୍ହି ବିଭାଗ (ଓପିଡି) ଏବଂ ବିଭିନ୍ନ ବିଭାଗ ବୁଲି ଦେଖିବା ସହ ରୋଗୀଙ୍କ ସହିତ କଥା ହୋଇଥିଲେ । ସେମାନଙ୍କର ବିଭିନ୍ନ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଏନେଇ ରୋଗୀଙ୍କ ସହ କଥାବାର୍ତା ପରେ ସମସ୍ଯାର ସମାଧାନ ଦାବିରେ ସିଡ଼ିଏମଓ, ଏଡିଏମଓଙ୍କୁ ପ୍ରାୟ ୧ ଘଂଟା କାଳ ଅଟକ ରଖିଥିଲେ ସଂଘର କର୍ମକର୍ତା । ଏପରିକି ମେଡ଼ିକାଲରେ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ସୁଧାର ନଆସିଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ସଂଘ ।
ଏଠାରେ ଉଲ୍ଲେଖଯୋଗ୍ୟ, ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଠିକ୍ ସମୟରେ ଆସୁନଥିବା, ରୋଗୀଙ୍କୁ ଉପଯୁକ୍ତ ସ୍ଵାସ୍ଥ୍ୟସେବା ମିଳୁନଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା । ଆଜି ସଂଘର ସଦସ୍ୟ ମାନେ ଡାକ୍ତରଖାନା ପରିଦର୍ଶନ ସମୟରେ ମଧ୍ୟ ଏ କଥା ଅନୁଭବ କରିଥିଲେ ।