ଭୁୁବନେଶ୍ୱର , ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ମିଳିଛି । ଏହି ମାମଲାରେ ଆଜି କମିଶନରେଟ୍ ପୋଲିସ୍ ପକ୍ଷରୁ କୋର୍ଟରେ ଫାଇନାଲ ରିପୋର୍ଟ ଦାଖଲ କରାଯାଇଛି । ଆନନ୍ଦଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି କମିଶନରେଟ ପୋଲିସ୍ କୋର୍ଟକୁ ଜଣାଇଛି । ତଦନ୍ତ ବେଳେ ମିଳିଥିବା ସମସ୍ତ ପ୍ରମାଣ ସହିତ ଶବ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ଆଧାରରେ ଏହାକୁ ଆତ୍ମହତ୍ୟା କହିଛି ପୋଲିସ୍ । ଆନନ୍ଦ ଟପ୍ପୋ ବେକରେ ଫାଶୀ ଦେଇ ଝୁଲିପଡ଼ିଥିଲେ ବୋଲି ପୁଲିସ୍ କହିଛି । ମୃତ୍ୟୁ ପୂର୍ବରୁ ଆନନ୍ଦ ଟପ୍ପୋ ମଦ ପିଇଥିଲେ । ତେବେ ତାଙ୍କୁ ବଳପୂର୍ବକ ମଦ ପିଆଯାଇ ନଥିଲା । ଆନନ୍ଦଙ୍କ ମୃତ୍ୟୁ ପଛରେ କୌଣସି ଅପରାଧିକ ଦିଗ ନଥିବା ପୋଲିସ୍ ସ୍ପଷ୍ଟ କରିଛି ।
ସୂଚନାଯୋଗ୍ୟ ଯେ ଗତବର୍ଷ ଫେବୃଆରୀ ୨୮ ତାରିଖ ରେ ଭୁବନେଶ୍ୱରର ଇନଫୋସିଟି ଥାନା ଅନ୍ତର୍ଗତ ଏକ ଆପାର୍ଟମେଟର ଫ୍ଲାଟ୍ ନମ୍ବର ୪୦୧ରେ ବେକରେ ଶାଢ଼ୀ ଲଗାଇ ଆନନ୍ଦ ଆତ୍ମହତ୍ୟା କରିଥିଲେ । ଘଟଣା ସମ୍ପର୍କରେ ହକି ଷ୍ଟାର ବୀରେନ୍ଦ୍ର ଫୋନ୍ କରି ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋଙ୍କୁ ସୂଚନା ଦେଇଥିଲେ । ଏହା ପରେ ଆନନ୍ଦଙ୍କ ବାପା ବନ୍ଧନ ଭୁବନେଶ୍ୱରରେ ଆସିଥିଲେ । ଆନନ୍ଦଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିଥିଲେ । ଏଥିରେ ବୀରେନ୍ଦ୍ର ଲାକ୍ରାଙ୍କ ସହିତ ଆନନ୍ଦଙ୍କ ବାନ୍ଧବୀ ମଞ୍ଜିତ ଟପ୍ପୋ ସାମିଲ ଥିବା ସେ ଅଭିଯୋଗ କରିଥିଲେ । ବୀରେନ୍ଦ୍ରଙ୍କ ନାଁରେ ଇନ୍ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋ । ହେଲେ ପୋଲିସ୍୍ ଅଭିଯୋଗ ଗ୍ରହଣ କରିନଥିବା ଅଭିଯୋସ୍କରି ବନ୍ଧନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଘଟଣାର ସାନି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।