-
ନବ ଦାସ ହତ୍ୟା ମାମଲା
ଭୁବନେଶ୍ୱର, ଓଡ଼ିଶାର ଯୁବକଙ୍କ ସୁରକ୍ଷା, ନବ ଦାସ ହତ୍ୟାର ସଠିକ୍ ତଦନ୍ତ, ଷଡଯନ୍ତ୍ରକାରୀଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଆସନ୍ତା ୨୮ତାରିଖରେ ବିଧାନସଭା ଘେରାଉ କରିବ । ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟୠୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଗତକାଲି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଓଡ଼ିଶାର ଯୁବକମାନଙ୍କୁ ଦୁଃଖିତ ଓ ମର୍ମାହତ କରିଛି । ୨୩ ବର୍ଷ ଶାସନ କାଳରେ ଓଡିଶାରେ ଯୁବପୀଢ଼ି ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ଏନେଇ ଯୁବକମାନେ ରାଜ୍ୟ ଛାଡି ଅନ୍ୟ ରାଜ୍ୟକୁ ପଳାୟନ କରୁଛନ୍ତି । ଓଡ଼ିଶାରେ ଜଣେ କ୍ୟାବିନେଟ୍ ମନ୍ତ୍ରୀ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ ସୁରକ୍ଷାକର୍ମୀ ଦିବାଲୋକରେ ଗୁଳିକରି ହତ୍ୟାକଲେ । ଯଦି ରାଜ୍ୟରେ ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେବାର ବିଫଳ ସେଠି ସାଧାରଣ ଜନତାଙ୍କ କଥା ନକହିବା ଭଲ ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ସ୍ୱର୍ଗତଃ ଦାସଙ୍କ ହତ୍ୟାର ତଦନ୍ତ ସଠିକ୍ ଢଙ୍ଗରେ କରୁନାହାନ୍ତି । ନବ ଦାସଙ୍କ ମୃତ୍ୟୁର ୨୬ଦିନ ବିତି ଯାଇଥିଲେ ବି ହତ୍ୟା ପଛର ଷଡଯନ୍ତ୍ରକାରୀଙ୍କୁ ଧରିବାରେ ବିଫଳ ରାଜ୍ୟ ସରକାର । ସ୍ୱର୍ଗତଃ ଦାସଙ୍କ ହତ୍ୟାର ସମସ୍ତ ତଥ୍ୟକୁ ଲୁଚାଇ ଓଡିଶାବାସୀଙ୍କୁ ଭୂଆଁ ବୁଲାଇବାର ଷଡଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର । ବିଧାନସଭା ଆରମ୍ଭ ଦିନ ହତ୍ୟାକାରୀ ଗୋପାଳ ଦାସର ନୂଆ ଏଡିଟିଙ୍ଗ ଭିଡିଓ ସୋସିଆଲ ମିଡିଆରେ ଛାଡିବାର ରହସ୍ୟ କ’ଣ? ଅଭିଯୁକ୍ତ ଗୋପାଳଙ୍କ ଆଉ କିଛି ଭିଡିଓ ଅଛି କି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।
ରାଜ୍ୟ ସରକାର କ’ଣ ପାଇଁ ଯୁବକ ଓ ଜନତାଙ୍କୁ ସତ ଲୁଚାଉଛନ୍ତି । ସ୍ୱର୍ଗତଃ ଦାସଙ୍କ ହତ୍ୟାର କାରଣ ଲୁଚାଯାଇ ଓଡ଼ିଶାର ଲୋକଙ୍କୁ ଅନ୍ଧାରରେ ରଖାଯାଉଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଭାରତୀୟ ଜନତା ପାର୍ଟିର ବିଧାୟକମାନେ ସ୍ୱର୍ଗତଃ ଦାସଙ୍କ ହତ୍ୟାର କିଭଳି ସଠିକ୍ ତଦନ୍ତ ହେବ ସେନେଇ ବିଧାନସଭାରେ ସ୍ୱର ଉଠାଇ ପ୍ରତିବାଦ କରୁଛନ୍ତି । ଯଦି ରାଜ୍ୟ ସରକାର ସ୍ୱର୍ଗତଃ ଦାସଙ୍କ ହତ୍ୟାର ତଦନ୍ତ ସଠିକ୍ ନକରନ୍ତି ତାହାଲେ ଆଗାମୀ ଦିନରେ ଯୁବମୋର୍ଚ୍ଚା ତୀବ୍ରତର ଆନ୍ଦୋଳନ କରିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ବିଶ୍ୱଜିତ୍ ଷଡଙ୍ଗୀ, ରାଜ୍ୟ ସାଧାରଣ ସଂପାଦକ ଦୀପକ୍ ଗୋଚ୍ଛାୟତ, ରାଜ୍ୟ ସମ୍ପାଦକ ପ୍ରୀତେଶ ବହିଦାର, ବିକ୍ରମ ବିଶ୍ୱାଳ, ଯୁବମୋର୍ଚ୍ଚା ଗଣମାଧ୍ୟମ ସଂଯୋଜକ ଅଭିଜିତ୍ ମିଶ୍ର, ସ୍ମରଜିତ୍ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।