ପୁରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସୁଆଣ୍ଡୋ ଗ୍ରାମକୁ ଗସ୍ତରେ ଆସି ଉତ୍କଳମଣି ଗୋପବନ୍ଧୁଙ୍କ ଷଠିଘର ଲୋକାର୍ପଣ କରିଛନ୍ତି । ଏଥିରେ ଗୋପବନ୍ଧୁଙ୍କ ଏନ୍ତୁଡ଼ିଶାଳ, ଷଠିଘର, ଘରର ଠାକୁର ରାଧାବିନୋଦ ବିହାରୀଙ୍କ ନୂତନ ମନ୍ଦିର ରହିଛି । ଏଥିସହିତ ସେଠାରେ ସ୍ଥାପନ କରାଯାଇଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୫ ଫୁଟ୍ ଉଚ୍ଚତାର ପୂର୍ଣ୍ଣ ଅବୟବ ପ୍ରତିମୂର୍ତି, ନବ ନିର୍ମିତ ଗୋପବନ୍ଧୁ ସଂଗ୍ରହାଳୟ, ଶିଶୁ ଉଦ୍ୟାନ ଓ ନୂତନ ପାର୍କ, ପର୍ଯ୍ୟଟକଙ୍କ ନିମନ୍ତେ ଗୃହ, ନୂତନ ପୁଷ୍କରିଣୀ, ପର୍ଯ୍ୟଟକଙ୍କ ଖାଇବା ପାଇଁ ମହିଳା ସ୍ଵୟଂ ସହାୟକ ଗୋଷ୍ଠିଙ୍କ ଦ୍ଵାରା ଫୁଡ୍ କୋର୍ଟ, ପାର୍କିଂ ସ୍ଥଳ, ସପିଙ୍ଗ ମଲ୍ ଆଦିର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୋପବନ୍ଧୁଙ୍କ ଜନ୍ମପୀଠର ରୂପାନ୍ତରଣ କାର୍ଯ୍ୟ ଶେଷ ହେବା ପରେ ଆଜି ଏହାକୁ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗୋପବନ୍ଧୁ ସଂଗ୍ରହାଳୟ ବୁଲି ଦେଖିବା ସହ ଶ୍ରୀ ଲୋକେଶ୍ଵର ମନ୍ଦିର ଦର୍ଶନ କରିଥିଲେ ଏବଂ ସେଠାରେ ପୂଜାର୍ଚ୍ଚନା କରିଥିଲେ ।
ଏହି ଅବସରରେ ସେଠାରେ ଆୟୋଜିତ ସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜୟ ଜଗନ୍ନାଥ, ମାନ୍ୟବର ମନ୍ତ୍ରୀଗଣ, ମାନ୍ୟବର ସାଂସଦ, ମାନ୍ୟବର ବିଧାୟକ ଗଣ, ଉତ୍କଳମଣିଙ୍କ ଗ୍ରାଣ୍ଡସନ ଶ୍ରୀ ଧିରେନ୍ଦ୍ର ଦାସ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀ ମାନେ । ଉତ୍କଳ ମଣିଙ୍କ ଜନ୍ମମାଟି ଏ ପବିତ୍ର ଭୂମି ସୁଆଣ୍ଡୋକୁ ମୋର ପ୍ରଣାମ । ସୁଆଣ୍ଡୋର ଜନସାଧାରଣଙ୍କୁ ମୋର ପ୍ରଣାମ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସୁଆଣ୍ଡୋକୁ ଆଜି ଆସିବାର ସୁଯୋଗ ପାଇ ନିଜକୁ ଧନ୍ୟ ମନେ କରୁଛି । ଏହି ଅବସରରେ ଉତ୍କଳମଣିଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଏହି ମହାପୁରୁଷଙ୍କ ଜନ୍ମମାଟିର ବିକାଶ ଫାଇଭ-ଟିର ନିଷ୍ପତିରେ ଅତି ସୁନ୍ଦର ଭାବରେ କରାଯାଇଥିବାରୁ ମୁଁ ବହୁତ ଖୁସି । ଗୋପବନ୍ଧୁଙ୍କ ଷଠିଘରର ବିକାଶ କରାଯାଇଛି । ମ୍ୟୁଜିୟମ କରାଯାଇଛି । ଶ୍ରୀ ଲୋକେଶ୍ୱର ଦେବଙ୍କ ମନ୍ଦିର କାର୍ଯ୍ୟ ମଧ୍ୟ ସୁନ୍ଦର ଭାବରେ କରାଯାଇଛି । ଉତ୍କଳ ମଣିଙ୍କ ବିରାଟ ମୂର୍ତି ସ୍ଥାପନ କରାଯାଇଛି । ଏଥିପାଇଁ ଉତ୍କଳମଣିଙ୍କ ପରିବାର ଓ ସୁଆଣ୍ଡୋର ଜନସାଧାରଣଙ୍କ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ଏଥିପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ । ଏହିପରି ଏକ ବିକାଶ କାର୍ଯ୍ୟକୁ ସାକାର କରିଥିବାରୁ ରାଜ୍ୟ ସଂସ୍କୃତି ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ।
ଆହୁରି ନିଜ ଅଭିଭାଷଣରେ ମୁଖମନ୍ତ୍ରୀ କହିଥିଲେ ଯେ, ଗୋପବନ୍ଧୁଙ୍କ ସ୍ମୃତି ରକ୍ଷା ପାଇଁ ଯେତେ ଯାହାକଲେ ବି ତାହା କମ୍ ହେବ । ସେ ଜଣେ ଯୁଗ ପୁରୁଷ ଥିଲେ ଏବଂ ଓଡ଼ିଆ ଜାତି ସବୁବେଳେ ତାଙ୍କ ନିକଟରେ ଋଣୀ । ଫାଇଭ୍-ଟି ନିଷ୍ପତିରେ ଓଡ଼ିଶାର ବରପୁତ୍ର ମାନଙ୍କର ଜନ୍ମପୀଠର ବିକାଶ ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଉତ୍କଳ ଗୌରବ ମଧୁସୂଦନ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ସହିଦ୍ ଲକ୍ଷ୍ମଣ ନାୟକ ଏବଂ ଅନ୍ୟ ବରପୁତ୍ର ମାନଙ୍କର ତ୍ୟାଗ ଅସାଧାରଣ । ଯାହା ଆମ ଓଡ଼ିଶାର ଗର୍ବ ବଢାଇଛି । ଉତ୍କଳ ମଣି ଥିଲେ ମାନବ ସମାଜର ମଣି । ତାଙ୍କ ତ୍ୟାଗ, ଦେଶ ଭକ୍ତି, ସେବା ଓ ଜାତି ପ୍ରୀତିର ତୁଳନା ନାହିଁ । ସ୍ଵାଧିନତା ସଂଗ୍ରାମରୁ ଆରମ୍ଭ କରି ଓଡ଼ିଶାର ଶିକ୍ଷା, ସାହିତ୍ୟ, ସଂସ୍କୃତି, ରାଜନୀତି, ସେବା ଓ ମାନବିକତାର ନୂଆ କୀର୍ତି ସ୍ଥାପନ କରିଥିଲେ । ଓଡ଼ିଶାରେ ଜାତୀୟତାବାଦୀ ଚେତନାର ସେ ଥିଲେ କର୍ଣ୍ଣଧାର । ଭୋଗ ନୁହେଁ ତ୍ୟାଗ ହିଁ ମହାନ୍, ସେବା ହିଁ ଶ୍ରେଷ୍ଠ ଏହା ହେଉଛି ଗୋପବନ୍ଧୁଙ୍କ ଜୀବନର ବାର୍ତା । ସେ ସବୁବେଳେ ଆମ ମାନଙ୍କ ପାଇଁ ପ୍ରେରଣା ହୋଇ ରହିଛନ୍ତି ଓ ରହିବେ । ଆସନ୍ତୁ ଗୋପବନ୍ଧୁଙ୍କ ସେ ଦିନର ଭାର୍ଗବୀ ସଂକଳ୍ପକୁ ଆମେ ଜୀବନର ବ୍ରତ କରିବା ଏବଂ ଏକ ନୂଆ ସଶକ୍ତ ଓଡ଼ିଶା ଗଠନ ପାଇଁ କାମ କରି ଚାଲିବା । ବନ୍ଦେ ଉତ୍କଳ ଜନନୀ କହି ମୁଖ୍ୟମନ୍ତ୍ରୀ ନିଜର ବକ୍ତବ୍ୟ ଶେଷ କରିଥିଲେ ।
ଏହି ଅବସରରେ ଉତ୍କଳମଣି ଗୋପବନ୍ଧୁଙ୍କ ୭ ନାତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧିତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ, ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ସାଂସଦ ପିନାକୀ ମିଶ୍ର, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ରପ୍ରସାଦ ମହାରଥୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପୁରୀ ସ୍ଵପ୍ନାରାଣୀ ସ୍ଵାଇଁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧିନ ନାୟକ, ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଜିଲ୍ଲାପାଳ ସମର୍ଥ ବର୍ମା, ଲୋକସେବକ ମଣ୍ଡଳର ରାଷ୍ଟ୍ରିୟ ଉପାଧ୍ୟକ୍ଷ ତଥା ସମାଜର ମୁଦ୍ରାକର ଏବଂ ପ୍ରକାଶକ ନିରଞ୍ଜନ ରଥ, ସମାଜର ସମ୍ପାଦକ କାନନ ଦାଶ, ସତ୍ୟବାଦୀ ବ୍ଲକର ଅଧ୍ୟକ୍ଷ ସୁନିଲ ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ ।
ମୁଖ୍ୟମନ୍ତ୍ରୀ ପ୍ରଥମେ ସଭାସ୍ଥଳର ଅନତି ଦୂର ହେଲିପ୍ୟାଡରେ ପହଂଚିଥିଲେ । ସେଠାରୁ କାରକେଡ୍ ରେ ଯାଇ ସଭାସ୍ଥଳରେ ପହଂଚିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁଆଣ୍ଡୋରେ ବ୍ୟାପକ ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ, ପଂଚସଖାଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ । ସେ ୧୯୦୯ ମସିହାରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଦୈନିକ ଓଡ଼ିଆ ଖବର କାଗଜ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ଥିଲେ ଗୋପବନ୍ଧୁ । ୯ ଅକ୍ଟୋବର ୧୮୭୭ରେ ଜନ୍ମଗ୍ରହଣ କରିଥିଲେ । ଏବଂ ୧୯୨୮ ମସିହା ଜୁନ୍ ୧୭ ତାରିଖରେ ତାଙ୍କର ତିରୋଧାନ ଘଟିଥିଲା ।