ସାଲେପୁର, ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ମୋଟ ୧୫ ଗୋଟି ଧାନ ମଣ୍ଡି ଖୋଲାଯାଇ ଚାଷୀମାନଙ୍କଠାରୁ ଧାନ କିଣା ଚାଲିଛି । ପ୍ରଥମ ପର୍ଯ୍ୟାୟରେ ମଣ୍ଡି ଗୁଡିକୁ ସରକାରଙ୍କ ପକ୍ଷରୁ ଧାନ କିଣିବା ପାଇଁ ଯେତିକିି ଟାର୍ଗେଟ୍ ଦିଆଯାଇଥିଲା ତାହା ଏବେ ଶେଷ ହେବାକୁ ଲାଗିଲାଣି । ୧୫ ଟି ମଣ୍ଡି ମଧ୍ୟରୁ ୧୦ ଟି ମଣ୍ଡିରେ ଟାର୍ଗେଟ୍ ଶେଷ ହୋଇଥିଲା ବେଳେ ଅନ୍ୟ ୫ଟି ମଣ୍ଡିରେ ଆଉ କମ୍ ପରିମାଣରେ ଟାର୍ଗେଟ୍ ରହିଥିବା ଜଣାଯାଇଛି । ବହୁ ଚାଷୀ ଧାନ ବିକ୍ରି କରିବା ପାଇଁ ଟୋକନ୍ ପାଇଥିଲେ ମଧ୍ୟ ଟାର୍ଗେଟ୍ ନଥିବାରୁ ସେମାନେ ମଣ୍ଡିରେ ଧାନ ବିକ୍ରି କରିନପାରି ମାନସିକ ଦୁଃଶ୍ଚିନ୍ତାରେ ପଡିଛନ୍ତି । ଟାର୍ଗେଟ୍ ଶେଷ ହେଲେ କାଳେ ମଣ୍ଡି ବନ୍ଦ ହୋଇଯିବ ସେନେଇ ଆଶଙ୍କା ପ୍ରକାଶ କରି ଚାଷୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି । ଅଭାବୀ ଧାନ ବିକ୍ରିକୁ ଏଡାଇବା ପାଇଁ ଏହି ବ୍ଲକ ଅଂଚଳରେ ଧାନ ବିକ୍ରି କରିପାରିନଥିବା ୩୧୦୧ ଚାଷୀଙ୍କ ପାଇଁ ୮୧ ହଜାର ୬୦୦ କୁଇଣ୍ଟାଲ ଧାନ ଟାର୍ଗେଟ୍ ଆସିଲେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ମଣ୍ଡି ଦାୟିତ୍ଵରେ ଥିବା ସମବାୟ ସମିତିର ସଂପାଦକମାନେ ପ୍ରକାଶ କରିଛନ୍ତି ।
ଅପରପକ୍ଷରେ ସରକାରଙ୍କ ପକ୍ଷରୁ ମଣ୍ଡିଗୁଡିକୁ ତୁରନ୍ତ ଟାର୍ଗେଟ୍ ଯୋଗାଇ ଦେବା ପାଇଁ ଦାବି କରାଯାଇଛି । ଏହି ବ୍ଲକରେ ଚଳିତ ବର୍ଷ ଧାନ ବିକ୍ରି କରିବା ପାଇଁ ଖୋଲାଯାଇଥିବା ମୋଟ ୧୫ ଟି ମଣ୍ଡିରେ ୬୪୬୪ ଚାଷୀ ଅନ୍ ଲାଇନ୍ ମାଧ୍ୟମରେ ନାମ ପଞ୍ଜିକୃତ କରିଥିଲେ । ସେମାନଙ୍କ ମଧ୍ୟରୁ ୩୩୬୩ ଚାଷୀ ଅଦ୍ୟାବଧି ୧ ଲକ୍ଷ ୫ ହଜାର ୩୮୩ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି । ଅବଶିଷ୍ଟ ୩୧୦୧ ଜଣ ଚାଷୀ ଧାନ ବିକ୍ରି କରିପାରିନଥିବା ବେଳେ ସେଥିମଧ୍ୟରୁ ଗତ ଜାନୁୟାରୀ ମାସରୁ ବହୁ ଚାଷୀ ଟୋକନ ଧରି ବସି ରହିଥିବା ଜଣାଯାଇଛି । ବାକି ରହିଥିବା ଏହି ଚାଷୀମାନେ ୮୧ ହଜାର ୬୦୦ କୁଇଣ୍ଟାଲ ଧାନ ବିକ୍ରି କରିବା ପାଇଁ ମଣ୍ଡି ପକ୍ଷରୁ ଲକ୍ଷଧାର୍ଯ୍ୟ କରାଯାଇଛି । ନିଶ୍ଚିନ୍ତକୋଇଲି ମଣ୍ଡି ପକ୍ଷରୁ ୨୪୧ ଜଣ ଚାଷୀ ପାଇଁ ୫ ହଜାର କୁଇଣ୍ଟାଲ ଟାର୍ଗେଟ୍ ଆବଶ୍ୟକ ଥିବା ବେଳେ ପଲ୍ଳୀଶ୍ରୀ ସମିତିରେ ୧୮୬ ଚାଷୀ ପାଇଁ ୪ ହଜାର କୁଇଣ୍ଟାଲ, ନରେନ୍ଦ୍ରପୁର ମଣ୍ଡିରେ ୧୮୬ ଚାଷୀ ପାଇଁ ୨ ହଜାର କୁଇଣ୍ଟାଲ, ବାଲିଆପଦା ମଣ୍ଡିରେ ୧୪୫ ଚାଷୀ ପାଇଁ ୩ ହଜାର କୁଇଣ୍ଟାଲ, କେନ୍ଦୁପାଟଣା ମଣ୍ଡିରେ ୨୫୨ ଚାଷୀ ପାଇଁ ୭ ହଜାର କୁଇଣ୍ଟାଲ, ଓରତି ମଣ୍ଡିରେ ୩୦୯ ଚାଷୀଙ୍କ ପାଇଁ ୫ ହଜାର କୁଇଣ୍ଟାଲ, ନଗସପୁର ମଣ୍ଡିରେ ୧୧୯ ଚାଷୀ ପାଇଁ ୨୧୦୦ କୁଇଣ୍ଟାଲ, ଅସୁରେଶ୍ଵର ମଣ୍ଡିରେ ୨୦୨ ପାଇଁ ୫ ହଜାର କୁଇଣ୍ଟାଲ, ବଳଦେବଜୀଉ ମଣ୍ଡିରେ ୭୩ ଚାଷୀ ପାଇଁ ୧ ହଜାର କୁଇଣ୍ଟାଲ, ସୁକରପଡା ମଣ୍ଡିରେ ୨୨୫ ଜଣ ଚାଷୀଙ୍କ ପାଇଁ ୯ ହଜାର କୁଇଣ୍ଟାଲ, କଳମିଶ୍ରି ମଣ୍ଡିରେ ୧୪୩ ଚାଷୀ ପାଇଁ ୫୫୦୦ କୁଇଣ୍ଟାଲ, ବନ୍ଧକାଟିଆ ମଣ୍ଡିରେ ୩୪୦ ଚାଷୀଙ୍କ ପାଇଁ ୧୦ ହଜାର କୁଇଣ୍ଟାଲ, ଅଚ୍ୟୁତାନନ୍ଦ ମଣ୍ଡିରେ ୨୫୦ ଚାଷୀଙ୍କ ପାଇଁ ୭୫୦୦ କୁଇଣ୍ଟାଲ, ଶିର୍ଲୋ ମଣ୍ଡିରେ ୩୨୬ ଚାଷୀଙ୍କ ପାଇଁ ୧୦ ହଜାର ୫୦୦ କୁଇଣ୍ଟାଲ, ଉତ୍ତରକୂଳ ମଣ୍ଡିରେ ୨୬୬ ଚାଷୀ ପାଇଁ ୫ ହଜାର କୁଇଣ୍ଟାଲ ଟାର୍ଗେଟ୍ ଆବଶ୍ୟକ ରହିଛି । ସମବାୟ ସମିତିର ସଂପାଦକମାନେ ଚାଷୀମାନଙ୍କଠାରୁ ସଠିକ୍ ସମୟରେ ଧାନ କିଣି ପାରୁନଥିବାରୁ ଅନେକ ସମୟରେ ଟୋକନ୍ ପାଇଥିବା ଚାଷୀମାନେ ଆସି ସେମାନଙ୍କ ସହିତ କଳିଝଗଡା କରୁଥିବା ଦେଖିବାକୁ ମିଳୁଛି । ସରକାର ଚାଷୀମାନଙ୍କର ସୁବିଧା ପାଇଁ ଆବଶ୍ୟକ ମୁତାବକ ଧାନ କିଣା ଟାର୍ଗେଟ୍ ଯୋଗାଇ ଦେଲେ ସମସ୍ତ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ଚାଷୀ ମହଲରେ ଦାବି ହୋଇଛି ।