ସାଲେପୁର,ନିଶ୍ଚିନ୍ତକୋଇଲି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନରେ ଥିବା ବିଦ୍ୟାଳୟ ଗୁଡିକୁ ବିଗତ ୫ ମାସ ହେବ ମଧ୍ୟାହ୍ନ ଭୋଜନ ପରିଚାଳନା ଅର୍ଥ ମିଳିନାହିଁ । ଯାହାଦ୍ୱାରା ବର୍ତ୍ତମାନ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପାଇଁ ଆବଶକୀୟ ରାସନ ସାମଗ୍ରୀ, ପନିପରିବା ଦୋକାନୀମାନେ ବାକି ଦେବାକୁ ମନା କରିଦେଲେଣି । ଫଳରେ ଅନେକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ସୁପରିଚାଳନା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଥମେ ବିଦ୍ୟାଳୟରେ ଶିକ୍ଷକମାନେ ଦୋକାନୀମାନଙ୍କ ଠାରୁ ବାକିରେ ଜିନିଷପତ୍ର ଆଣି ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ କରିଥାଆନ୍ତି । ଯେଉଁ ବିଦ୍ୟାଳୟ ଗୁଡିକରେ ସ୍ଵୟଂ ସହାୟିକା ଗୋଷ୍ଠୀ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ସେମାନେ ମଧ୍ୟ ନିଜ ହାତରୁ ଅର୍ଥ ଖର୍ଚ୍ଚ କରିଥାଆନ୍ତି । ପରବର୍ତ୍ତୀ ସମୟରେ ତିନି ମାସକୁ ଥରେ ବି.ଇ.ଓ. ଅଫିସ୍ ଦ୍ଵାରା ବିଲ୍ କରାଯାଇ ଅର୍ଥ ମିଳିଥାଏ । ଗତ ଅକ୍ଟୋବର ମାସଠାରୁ ଅଦ୍ୟାବଧି ମଧ୍ୟାହ୍ନ ଭୋଜନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଅର୍ଥ ଯୋଗାଇ ଦିଆଯାଇ ନାହିଁ । ଦୋକାନୀମାନେ ତିନି ମାସ ବାକି ଦେବା ପରେ ଚତୁର୍ଥ ମାସକୁ ଆଉ ବାକି ଦେଉନଥିବା ବହୁ ଶିକ୍ଷକ ପ୍ରକାଶ କରିଛନ୍ତି । ଦୋକାନୀ ବାକି ନଦେବାରୁ ଶିକ୍ଷକମାନେ ନିଜ ହାତରୁ ମଧ୍ୟାହ୍ନ ଭୋଜନ ପାଇଁ ଅର୍ଥ ଖର୍ଚ୍ଚ କରୁଛନ୍ତି । ନିଜ ପାଖରେ ଅର୍ଥ ନଥିବା ବେଳେ ଏହି କାର୍ଯ୍ୟକ୍ରମ ପରିଚାଳନା ପାଇଁ ଶିକ୍ଷକମାନେ ହଟହଟାର ଶୀକାର ହେଉଥିବା ଦେଖାଯାଇଛି । ଏହା ପୂର୍ବରୁ ମଧ୍ୟାହ୍ନ ଭୋଜନ ଚାଉଳ ମଧ୍ୟ ଯୋଗାଣ ଠିକାଦାର ସଠିକ୍ ଭାବେ ଯୋଗାଇ ନଥିଲେ । ଫଳରେ ବହୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ ଶେଷ ହୋଇଯିବାରୁ ସେମାନେ ପାଖ ବିଦ୍ୟାଳୟ ଗୁଡିକରୁ ଧାର ଆଣି ମଧ୍ୟାହ୍ନଭୋଜନ କାର୍ଯ୍ୟ ଚଳାଇଥିଲେ । ଏବେ ଯୋଗାଣ ଠିକାଦାର ପରିବର୍ତ୍ତନ ହୋଇଥିବାରୁ ସୋମବାର ଠାରୁ ବିଦ୍ୟାଳୟରେ ଚାଉଳ ଦେବା ଆରମ୍ଭ ହୋଇଛି । ହେଲେ ଅର୍ଥ ନଆସିବାରୁ କେତେବେଳେ ଯେ ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଯିବ ସେନେଇ ଆଶଙ୍କା ପ୍ରକାଶ ପାଇଛି । ବିଗତ ତିନିମାସ ହେବ ବି.ଇ.ଓ. କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରିଚାଳନା ପାଇଁ ରହିଥିବା ଡାଟା ଏଣ୍ଟ୍ରି ଅପରେଟର ଆସୁନଥିବାରୁ କାର୍ଯ୍ୟ ପରିଚାଳନାରେ ଏଭଳି ବିଭ୍ରାଟ ହୋଇଥିବା କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି ।
ଏହି ବ୍ଲକ ଅଧିନରେ ଥିବା ମୋଟ ୧୨୦ଟି ବିଦ୍ୟାଳୟରେ ୧୫ ହଜାରରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ କରାଯାଇଥାଏ । ଏଥିନିମନ୍ତେ ଦୋକାନୀମାନେ ବିଦ୍ୟାଳୟ ଗୁଡିକୁ ହଜାର ହଜାର ଟଙ୍କା ବାକି ଦେଇସାରିଲେଣି । ଏଥିପ୍ରତି ଜିଲ୍ଲା ମଧ୍ୟାହ୍ନ ଭୋଜନ ପରିଚାଳନା ନୋଡାଲ ଅଫିସର ତଥା ଜିଲ୍ଲା ଶିକ୍ଷାଅଧିକାରୀ ଦୃଷ୍ଟି ଦେଇ ତୁରନ୍ତ ମଧ୍ୟାହ୍ନ ଭୋଜନ ଅର୍ଥ ଯୋଗାଇ ଦେବାକୁ ଦାବି ହୋଇଛି ।