ଭୁବନେଶ୍ୱର, କୃଷି ଓ କୃଷକମାନଙ୍କର ବିଭିନ୍ନ ଦାବି ମୁଖ୍ୟତଃ ଧାନମଣ୍ଡିରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ଓ କଟ୍ନୀ ଛଟ୍ନୀ ବିରୁଦ୍ଧରେ ଆଜି ଓଡ଼ିଶା ବିଧାନସଭା ସମ୍ମୁଖରେ ଅଖିଳ ଭାରତ କୃଷକ ସଭା ତରଫରୁ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ବୁଧବାର ପୂର୍ବାହ୍ନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶହ ଶହ କୃଷକ ନେତାମାନଙ୍କର ଏକ ଶୋଭାଯାତ୍ରା ଅଶୋକନଗରସ୍ଥିତ ଭଗବତୀ ଭବନଠାରୁ ବାହାରି ଧାରଣା ସ୍ଥଳରେ ପହଂଚିଥିଲା ।
ସେଠାରେ କୃଷକ ସଭାର ରାଜ୍ୟ ସଭାପତି ଶଶିଭୂଷଣ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗଣଧାରଣାରେ କୃଷକ ସଭାର ସର୍ବ ଭାରତୀୟ ଉପସଭାପତି ଆଶିଷ କାନୁନ୍ଗୋ, ସିପିଆଇ ରାଜ୍ୟ ସମ୍ପାଦକ ଅଭୟ ସାହୁ ଓ କୃଷକ ସଭାର ରାଜ୍ୟ ସମ୍ପାଦକ କ୍ଷୀରୋଦ ସିଂହଦେଓ ଉଦ୍ବୋଧନ ଦେଇ କହିଲେ- ରାଜ୍ୟ ସରକାର ଓ ଧାନମଣ୍ଡି ସବୁ ମିଲ୍ ମାଲିକଙ୍କ ନିକଟରେ ବନ୍ଧା ପଡ଼ିଯାଇଥିବାରୁ ଚାଷୀମାନେ ଧାନ ବିକ୍ରିରେ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଟୋକନ ପାଇଥିଲେ ମଧ୍ୟ ସପ୍ତାହ ସପ୍ତାହ ରାତି ଅନିଦ୍ରା ରହି ଚାଷୀ ଧାନ ବିକି ପାରୁ ନାହିଁ । କଟ୍ନୀ ଛଟ୍ନୀ ବେଡ଼ି ଉପରେ କୋରନା ମାଡ଼ ଭଳି ହୋଇଛି । ପନିପରିବା ଚାଷୀ ଫସଲ ତୋଳିବାର ମଜୁରୀ ଉଠାଇ ନ ପାରି ଫସଲ କିଆରିରେ ଟ୍ରାକ୍ଟର ଚଢ଼ାଇ ଦେଉଛି ।
ଧାରଣାସ୍ଥଳରୁ ଏକ ପ୍ରତିନିଧି ଦଳ ରାଜ୍ୟର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ଦାବିପତ୍ରରେ ଧାନ କୁଇଂଟାଲ ୩ହଜାର ଟଙ୍କା ଧାର୍ଯ୍ୟ କରିବା, ଭାଗଚାଷୀମାନଙ୍କୁ ଚାଷୀର ମାନ୍ୟତା ଦେବା, କଟ୍ନୀ ଛଟ୍ନୀ ବନ୍ଦ କରିବା, ଫସଲ ଅମଳ ପୂର୍ବରୁ ଟୋକନ ବ୍ୟବସ୍ଥା ବନ୍ଦ କରି ଫସଲ ଅମଳ ପରେ ଟୋକନ ଲାଗୁ କରିବା, ମଣ୍ଡିକୁ ଆଣିବା ପାଇଁ ପରିବହନ ଓ ଅଖା ଖର୍ଚ୍ଚ ଏବଂ ମଣ୍ଡିରେ ଅଟକି ରହୁଥିବା ଟ୍ରାକ୍ଟର/ଟ୍ରକର ଭଡ଼ା ପ୍ରଦାନ, କେନ୍ଦ୍ର ସରକାର ୩ହଜାର ଟଙ୍କାର ଗ୍ୟାରେଂଟି ନ ଦେବା ପର୍ଯ୍ୟନ୍ତ ରାଜ୍ୟ ସରକାର ଧାନ କୁଇଂଟାଲ ପ୍ରତି ୮୦୦ ଟଙ୍କା ବୋନସ ପ୍ରଦାନ କରିବା ପ୍ରଭୃତି ଅନ୍ତର୍ଭୁକ୍ତ ।
ଏହି ଧାରଣାରେ କୃଷକ ନେତା ସନାତନ ପାତ୍ର, କୃଷ୍ଣଚନ୍ଦ୍ର ରାଉତ, ରାମଚନ୍ଦ୍ର ମୁଦୁଲି, ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି, ବିକେଏମ୍ୟୁ ରାଜ୍ୟ ସମ୍ପାଦକ ସୁର ଜେନା, ଏଆଇଟିୟୁସି ନେତା ଜୟନ୍ତ ଦାସ, ଉତ୍କଳ ମହିଳା ସମିତିର ପ୍ରମୋଦିନୀ ପାଇକରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।