ଭୁବନେଶ୍ୱର – ଦେଶରେ କ୍ରମଶଃ ଧର୍ଷଣଜନିତ ମାମଲା ବଢୁଥିବା ବେଳେ ତ୍ୱରିତ ନ୍ୟାୟ ପ୍ରଦାନ କରିବାରେ ବିଚାର ବ୍ୟବସ୍ଥା ବିଫଳ ହୋଇଛି । ବିଗତ ୩୦ ବର୍ଷ ଭିତରେ ଏହିଭଳି ମାମଲା ତଳ ଉପର କୋର୍ଟ ହୋଇ ପୀଡ଼ିତାର ନ୍ୟାୟ ବ୍ୟବସ୍ଥା ଉପରେ ଆସ୍ଥା ତୁଟିଯାଉଛି । ଗତ ୧୫ ବର୍ଷ ଭିତରେ ଏହିଭଳି ଦେଢଲକ୍ଷ ମାମଲା ବିଭିନ୍ନ କୋର୍ଟରେ ପଡ଼ି ରହିଥିବା ବେଳେ ଦିଲ୍ଲୀରେ ନିର୍ଭୟା ଭଳି ଘଟଣାରେ ୭ବର୍ଷ ଲାଗିଗଲାଣି । ଏହିପରି ଅବସ୍ଥାରେ ହାଇଦ୍ରାବାଦର ମହିଳା ଡ଼ାକ୍ତରଙ୍କ ଗଣଧର୍ଷଣ ଓ ନିର୍ମମଭାବେ ଜିଅନ୍ତା ଜାଳି ହତ୍ୟା କରିବା ଘଟଣାରେ ଦେଶ ଏକପ୍ରକାର ରୋଷରେ ଥିଲା । କିନ୍ତୁ ଆକସ୍ମିକ ଘଟଣାକ୍ରମେ ପୋଲିସ୍ ହାତରୁ ଖସି ଯାଉଥିବା ସମୟରେ ପୋଲିସ୍ ଦ୍ୱାରା ଗୁଳି ମାଡ଼ରେ ୪ଜଣ ଆସାମୀଙ୍କ ମୃତୁ୍ୟ ଦେଶକୁ ଏକ ପ୍ରକାର ଶାନ୍ତି ଆଣି ଦେଇଛି । ଯଦିଓ ଏହା ନ୍ୟାୟ ପ୍ରଣାଳୀ ମାଧ୍ୟମରେ ହୋଇପାରିଲା ନାହିଁ ତଥାପି ଦେଶବାସୀ ଏଥିନେଇ ଆଶ୍ୱସ୍ତ ହୋଇଛନ୍ତି । ଏହିଭଳି ଘଟଣାକୁ ଏଡ଼ାଇବା ପାଇଁ ବିଭିନ୍ନ ରାଜ୍ୟରେ ତୁରନ୍ତ ଫାଷ୍ଟଟ୍ରାକ୍ କୋର୍ଟ କରିବା ସହିତ ବିଚାରପତି ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ଆବଶ୍ୟକ । ଏହାଛଡ଼ା ମହିଳା ସୁରକ୍ଷା ଦିଗରେ ବିଭିନ୍ନ ରାଜ୍ୟ ସରକାରମାନ ଦୃଢ ପଦକ୍ଷେପ ନେବା ଦରକାର ବୋଲି ରାଜ୍ୟ ନାଗରିକ ସମାଜର ଅଧ୍ୟକ୍ଷ ପ୍ରକାଶ ରଥ ପ୍ରକାଶ କରିଛନ୍ତି ।
Related Stories
January 2, 2025
January 2, 2025