ଭୁବନେଶ୍ୱର. ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି । ରାଜ୍ୟପାଳ ଅଭିଭାଷଣ ଆରମ୍ଭ କରିବା ମାତ୍ରେ କଂଗ୍ରେସ ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଆସି ନବ ଦାସ ହତ୍ୟା ମାମଲାରେ ନାରାବାଜୀ କରିଥିଲେ । ବିଜେପି ବିଧାୟକ ମାନେ ମଧ୍ୟ ନାରାବାଜୀ କରିବା ସହ ପ୍ରଥମେ ଏହି ମାମଲାରେ କକ୍ଷତ୍ୟାଗ କରିଥିଲେ ।
ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ପୋଡିୟମ ତଳେ ଛିଡ଼ା ହୋଇ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତକୁ ନେଇ ପ୍ରତିବାଦ କରିବା ସହ ହଟ୍ଟଗୋଳ କରୁଥିବାର ଦେଖିବାକୁ ମିଳିଥିଲା । ନବ ଦାସ ହତ୍ୟାକାଣ୍ଡର ପର୍ଦାଫାସ କରା ନ ଯିବା ଓ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ବୋଲି ଦର୍ଶାଇ ପ୍ରଥମେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ନିଜ ସ୍ଥାନରେ ଠିଆ ହୋଇ ପ୍ରତିବାଦ ଜଣାଇଥିଲେ । ଠିକ୍ ସେହିପରି କଂଗ୍ରେସ ସଦସ୍ୟମାନେ ବି କକ୍ଷତ୍ୟାଗ କରିଥିଲେ ।
ଏହାପୂର୍ବରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା । ବିଧାନସଭାରେ ସର୍ବପ୍ରଥମେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିଛନ୍ତି ।