
ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ସ୍ବରାଷ୍ଟ୍ର ବିଭାଗର ସେକ୍ସନ ଅଫିସର ସଞ୍ଜୀବ କୁମାର ମହାନ୍ତିଙ୍କ ଅକାଳ ବିୟୋଗରେ ଗତ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ୟୁନିଟ-୯ସ୍ଥିତ ଏମ. ଆଇ. ଷ୍ଟାଫ କ୍ଲବଠାରେ ଏକ ଶୋକସଭା ଆୟୋଜିତ ହୋଇଥିଲା। ସ୍ବରାଷ୍ଟ୍ର ବିଭାଗର ଅବସରପ୍ରାପ୍ତ ଅଧିକାରୀ ରବୀନ୍ଦ୍ରନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶୋକସଭାରେ ବିଭାଗୀୟ ସାଂସ୍କୃତିକ ପରିଷଦର ସାଧାରଣ ସମ୍ପାଦକ ବିଜୟ ସ୍ବରୂପ ପଣ୍ଡା, ବରିଷ୍ଠ ଆଇନଜୀବୀ ବିଭୂତି ରଞ୍ଜନ ମହାନ୍ତି, ଶିକ୍ଷାବିତ ଡକ୍ଟର ନାରାୟଣ ମହାନ୍ତି, ସମାଜସେବୀ ବିଶ୍ବଜିତ ଦାସ, ସ୍ବରାଷ୍ଟ୍ର ବିଭାଗର ଅଧିକାରୀ ନିରଞ୍ଜନ ମହାନ୍ତି ଓ ଅକ୍ଷୟ କୁମାର ପତି ଏବଂ ସୁକାନ୍ତ କୁମାର ଚୌଧୁରୀ, ଅନିମେଷ ମହାନ୍ତି ପ୍ରମୁଖ ସ୍ବର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରି ତାଙ୍କ କାର୍ଯ୍ୟଦକ୍ଷତା ଓ କର୍ତ୍ତବ୍ୟନିଷ୍ଠାର ଭୂୟସୀ ପ୍ରଶଂସା କରିଥିଲେ। ସ୍ବର୍ଗତ ଆତ୍ମାର ସଦଗତି କାମନା କରି ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ସଚିବାଳୟର ରେକର୍ଡ ରୁମ୍ ଦାୟିତ୍ୱରେ ଥିବା ସ୍ବର୍ଗତ ମହାନ୍ତିଙ୍କର ଏମ୍ସଠାରେ ଚିକିତ୍ସାଧୀନ ଅବସ୍ଥାରେ ୫୬ବର୍ଷ ବୟସରେ ପରଲୋକ ଘଟିଥିଲା।