
-
ଦେବଗଡ ଓ ସମ୍ବଲପୁର ଜିଲ୍ଲା ସମେତ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡାର ପର୍ଯ୍ୟଟନର ବିକାଶ ପାଇଁ ଦିଆଯାଉ ସ୍ୱତନ୍ତ୍ର ପ୍ୟାକେଜ୍ – ଧର୍ମେନ୍ଦ୍ର ପ୍ରଧାନ
-
ସମ୍ବଲପୁରରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିଲେ ସ୍ଥାନୀୟ ସାମଗ୍ରୀର ପ୍ରଚାର ପ୍ରସାର ହେବ
-
ଖିଣ୍ଡାକୁ ଯାଇ ପର୍ଯ୍ୟଟକମାନେ ବୀର ସୁରେନ୍ଦ୍ର ସାଏଙ୍କ ଜୀବନ ଓ ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅବଦାନ ବିଷୟରେ ଅବଗତ ହୋଇପାରିବେ
-
ଦେବଗଡରେ ପ୍ରଧାନପାଟ ଝରଣା, ଦେବଗଡ ରାଜଉଆସ,ଅନେକ ପୁରାତନ ମନ୍ଦିର ଓ ଦୁର୍ଗ ରହିଛି
-
ଏହି ସବୁ ସ୍ଥାନ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରାଗଲେ ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢ଼ ହେବ
-
ରୋଜଗାର ସୃଷ୍ଟି ହେବ, ସଂସ୍କୃତି ଏବଂ ପ୍ରାକୃତିକ ଐତିହ୍ୟ ସୁରକ୍ଷିତ ରହିବ
-
ଗତ ଜାନୁଆରୀ ୨୩ରେ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଖିଣ୍ଡା ଗସ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର,ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡା ସମେତ ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ଅପାର ସମ୍ଭାବନା ରହିଛି । ପୁରୀ ଏବଂ ଭୁବନେଶ୍ୱର ଭଳି ସମ୍ବଲପୁର ଜିଲ୍ଲାର ମହାନଦୀ ତଟରେ ଅବସ୍ଥିତ ଥିବା ବିଶ୍ୱର ଦୀର୍ଘତମ ନଦୀବନ୍ଧ ହୀରାକୁଦ, ହୁମା ମନ୍ଦିର ଉଭୟ ଘରୋଇ ଏବଂ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କ ଦୃଷ୍ଟିଗୋଚର ହୋଇନାହିଁ । ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସହର ସମ୍ବଲପୁର ପାରମ୍ପରିକ ହସ୍ତଶିଳ୍ପ, ବସ୍ତ୍ର ଏବଂ ଶାଢୀ ପାଇଁ ଅଧିକ ପରିଚିତ । ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ସେମାନେ ସମ୍ବଲପୁରୀ ବସ୍ତ୍ରାଳୟକୁ ଯାଇ ପୋଷାକ ବୁଣିବା ପଦ୍ଧତି ଶିଖିବା ସହ ସ୍ଥାନୀୟ ସାମଗ୍ରୀ ମଧ୍ୟ କିଣିବେ ।
ସେହିପରି ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ହେଉଛି ସମ୍ବଲପୁର ଜିଲ୍ଲା ଖିଣ୍ଡା । ୧୮୫୭ ମସିହାରେ ବ୍ରିଟିଶଙ୍କ ବିରୋଧୀରେ ସଂଗ୍ରାମ କରି ସୁରେନ୍ଦ୍ର ସାଏ ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ କାରାଦଣ୍ଡ ଭୋଗ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତି ସମ୍ମାନାର୍ଥେ ଝାରସୁଗୁଡା ଏୟାରପୋର୍ଟକୁ ଏହି ସଂଗ୍ରାମୀଙ୍କ ନାଁରେ ନାମିତ କରିଥିଲେ । ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଏ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ପର୍ଯ୍ୟଟକ ଓ ଐତିହାସିକମାନେ ତାଙ୍କ ଜନ୍ମସ୍ଥାନକୁ ଯାଇ ସୁରେନ୍ଦ୍ର ସାଏଙ୍କ ଜୀବନ ଓ ଦେଶ ସ୍ୱାଧୀନତା ପାଇଁ ତାଙ୍କ ସଂଗ୍ରାମ ବିଷୟରେ ଜାଣିପାରିବେ ।
ଅନୁରୂପ ଭାବେ ଜଙ୍ଗଲ, ଝରଣା, ପର୍ବତର ସବୁଜିମା ମଧ୍ୟରେ ଅବସ୍ଥିତ ଦେବଗଡ ସହର । ପ୍ରକୃତି ପ୍ରେମୀଙ୍କ ପାଇଁ ଏହା ଉପଯୁକ୍ତ ସ୍ଥାନ । ପ୍ରଧାନପାଟ ଝରଣା, ଦେବଗଡ ରାଜଉଆସ, ଗୋପୀନାଥ ମନ୍ଦିର ସମେତ ସେଠାରେ ଅନେକ ପୁରାତନ ମନ୍ଦିର ଏବଂ ଦୁର୍ଗ ରହିଛି । ଏହା ଅଞ୍ଚଳର ଗୌରବମୟ ଇତିହାସକୁ ବର୍ଣ୍ଣନା କରେ ।
କୋଭିଡ୍ ମହାମାରୀ ସମୟରେ ଦେଶବ୍ୟାପୀ ଲକଡାଉନ କାରଣରୁ ପର୍ଯ୍ୟଟନ କ୍ଷେତ୍ର ବିଶେଷ ଭାବରେ ପ୍ରଭାବିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ “ଦେଖୋ ଅପନା ଦେଶ” ଅନ୍ତର୍ଗତ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ଦେଶ ଏବଂ ବିଦେଶରୁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛି ।
ଏହି ସବୁ ସ୍ଥାନ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରାଗଲେ ପର୍ଯ୍ୟଟନ ଭିତ୍ତିଭୂମି ବୃଦ୍ଧି ହେବ । ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳର ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ । ରୋଜଗାର ସୃଷ୍ଟି ହେବା ସହ ଅଞ୍ଚଳର ସଂସ୍କୃତି ଏବଂ ପ୍ରାକୃତିକ ଐତିହ୍ୟକୁ ସୁରକ୍ଷିତ ରଖିବାରେ ସହାୟକ ହେବ । ଏହାକୁ ଦୃଷ୍ଟିରେ ରଖି ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମେତ ଦୁଇଟି ଜିଲ୍ଲାରେ ପର୍ଯ୍ୟଟନ ଭିତ୍ତିଭୂମି ଓ ସୁବିଧାକୁ ବଢାଇବା ଦିଗରେ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବା ପାଇଁ ଶ୍ରୀ ପ୍ରଧାନ ଶ୍ରୀ ରେଡ୍ଡୀଙ୍କୁ ନିବେଦନ କରିଛନ୍ତି ।
ଉଲ୍ଲେଖନୀୟ ଯେ, ଗତ ଜାନୁଆରୀ ୨୩ ତାରିଖରେ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଖିଣ୍ଡା ଠାରେ ଆୟୋଜିତ ‘ପଦଯାତ୍ରା’ରେ ସାମିଲ ହୋଇଥିଲେ । ଅନୁରୂପ ଭାବରେ ନିକଟରେ ଶ୍ରୀ ପ୍ରଧାନ ଦେବଗଡ ଓ ସମ୍ବଲପୁର ଜିଲ୍ଲା ଗସ୍ତ କରି ପର୍ଯ୍ୟଟନ କ୍ଷେତ୍ରକୁ ବୃଦ୍ଧି କରିବା ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ।