-
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଶ୍ରୀ ନୀଳାଚଳ ତତ୍ତ୍ଵ ସନ୍ଧାନ ପରିଷଦ ର ଦ୍ୱାବିଂଶତମ ବାର୍ଷିକ ଉତ୍ସବ ରବିବାର ଦିନ ପୁରୀ ସଂସ୍କୃତି ଭବନ ପରିସର ରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସର ରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।କାର୍ଯକ୍ରମ ର ପ୍ରଥମ ଅଧିବେଶନ କୁ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ଶ୍ରୀ ସଦାଶିବ ପରିସରର ନିର୍ଦ୍ଦେଶକ ପ୍ରଫେସର ଗଣେଶ୍ୱର ମିଶ୍ର ପ୍ରଫେସର ଗୋପାଳକୃଷ୍ଣ ଦାସ ସଭାପତି ଏବଂ ଆଧାର ପୁରୁଷ ପ୍ରଫେସର ପ୍ୟାରୀମୋହନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ।ପ୍ରାଧ୍ୟାପକ ସୁନିଲ ରଥ ଙ୍କ ଆୟୋଜନରେ ଡ. ଶ୍ରୀନିବାସ ଆଚାର୍ଯ୍ୟ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିବା ପରେ କୋଡ଼ିଏ ଜଣ ଆଲୋଚକ ପ୍ରବନ୍ଧ ପାଠ କରିଥିଲେ।
ଆଲୋଚନା ରେ ଭାଗ ନେଇ ବକ୍ତା ମାନେ ଉପସ୍ଥାପନା କରିଥିଲେ ଯେ ଅଷ୍ଟାଦଶ ପୁରାଣ ମଧ୍ୟରେ ସ୍କନ୍ଦପୁରାଣକ୍ତ ଶ୍ରୀ ପୁରୁଷୋତ୍ତମ ମାହାତ୍ମ୍ୟ ରେ ଯେପରିଭାବେ ଶ୍ରୀ ଜଗନ୍ନାଥ ଏବଂ ତାଙ୍କ କ୍ଷେତ୍ର ମାହାତ୍ମ୍ୟ ର ବିସ୍ତୃତ ବିବେଚନ ରହିଛି, ଅନ୍ୟତ୍ର ବିରଳ ହେତୁ ଏହା ନିଶିତରୁପେ ତତ୍ଵ ଜିଜ୍ଞାସୁ ମାନଙ୍କର ଉପଜୀବ୍ୟ ଗ୍ରନ୍ଥ ଅଟେ।ଗ୍ରନ୍ଥଟିରେ ଶ୍ରୀ ଜଗନ୍ନାଥ ଙ୍କ ଦାରୁ ବିଗ୍ରହ ନିର୍ମାଣ ,ମନ୍ଦିର ପ୍ରତିଷ୍ଠା,ପୂଜାବିଧି, ବିଭିନ୍ନ ଯାତ୍ରା ପର୍ବୋତ୍ସବ, ଦେବ ଦେବି, ପଞ୍ଚତିର୍ଥ,ଅଷ୍ଟଶମ୍ଭୁ, ଅଷ୍ଟଶକ୍ତି,ମହାପ୍ରସାଦ ମାହାତ୍ମ୍ୟ ଶ୍ରୀକ୍ଷେତ୍ର ମହିମା,ଉତ୍କଳ ବର୍ଣ୍ଣନା ଆଦିସହ ବୈଦିକ ତତ୍ତ୍ଵ,ଭକ୍ତି ତତ୍ତ୍ଵ,ଉପାସନା ତତ୍ତ୍ଵ ଧର୍ମ ଶାସ୍ତ୍ର,କର୍ମକାଣ୍ଡ,ଜ୍ୟୋତିସାଦି ଶାସ୍ତ୍ର ର ବିବେଚନା ରହିଛି । ଗ୍ରନ୍ଥଟି ର ଛତ୍ରେ ଛତ୍ରେ କଳାପକ୍ଷ ଏବଂ ଭାବପକ୍ଷ ସମୃଦ୍ଧ,ଯେଉଁଥିରେ ଲୋକ ମଙ୍ଗଳ ତତ୍ତ୍ଵର ଅବତାରଣା ଲକ୍ଷ୍ୟ କରାଯାଏ। ଶ୍ରୀକ୍ଷେତ୍ର ର ପ୍ରାଚୀନ ଇତିହାସ ସହ ଏଥିରେ ବହୁ ରୋଚକ ଉପାଖ୍ୟାନ ଏବଂ ସମ୍ବାଦ ରହିଛି ।
ଏଭଳି ଗୁରୁତ୍ଵପୂର୍ଣ୍ଣ ଗ୍ରନ୍ଥ ବିଭିନ୍ନ ବିଷୟ ଆଧାରିତ ପ୍ରବନ୍ଧ ଗୁଡ଼ିକୁ ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ଡ଼.ଉମେଶଚନ୍ଦ୍ର ଚିନେରା,ଡ. ନରେଶଚନ୍ଦ୍ର ଦାଶ,ଡ. ଭାସ୍କର ମିଶ୍ର,ଡ. ନୃସିଂହ ଚରଣ ସାହୁ,ଡ.କାଦମ୍ବିନୀ ଦାଶ,ଡ.କଲ୍ୟାଣୀ ନନ୍ଦୀ,ଡ.ପ୍ରମୋଦ କୁମାର ଦଳେଇ,ଡ.ବିଶ୍ବରଂଜନ ପତି,ଡ. ଚକ୍ରଧର କର, ଲକ୍ଷ୍ମୀଧର ପଣ୍ଡା, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଗୋଛିକାର,ଶ୍ରୀ ନାରାୟଣ ନନ୍ଦ, ଶ୍ରୀ ପୁର୍ଣ୍ଣଚନ୍ଦ୍ର ଦାସ ଆଦି ପାଠ କରିଥିଲେ ଯାହା ଉପରେ ତାତ୍ଵିକ ଆଲୋଚନା ହୋଇଥିଲା ।
ସନ୍ଧ୍ୟା ସମୟ ରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ରେ ମୁଖ୍ୟଅତିଥି ରୂପେ ମାନ୍ୟବର ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ର ମାନ୍ୟବର କୁଳପତି ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା ଯୋଗଦାନ କରିଥିଲେ ।ଏଥିରେ ପ୍ରଫେସର ଗୋପାଳକୃଷ୍ଣ ଦାଶ ସଭାପତିତ୍ଵ କରିଥିଲେ । ଡ଼. ଶ୍ରୀନିବାସ ଆଚାର୍ଯ୍ୟ ସଂପାଦକୀୟ ବିବରଣୀ ପାଠ କରିଥିଲେ। କାର୍ଯକାରୀ ସଭାପତି ଡ଼. ଉମେଶ ଚନ୍ଦ୍ର ଚିନେରା, ଉପସଭାପତି ପୁର୍ଣ୍ଣଚନ୍ଦ୍ର ଗୋଛିକାର ,ଯୁଗ୍ମ ସମ୍ପାଦକ ନାରାୟଣ ନନ୍ଦ , ସଂଗଠନ ସମ୍ପାଦକ ଅନାମଚନ୍ଦ୍ର ସାହୁ ଓ କୋଷାଧ୍ୟକ୍ଷ କଲ୍ୟାଣୀ ନନ୍ଦି ମଞ୍ଚାସିନ ଥିଲେ।ପରିଷଦର ମୁଖପତ୍ର ତତ୍ଵଦର୍ଶି,ଆଲୋଚନା ଆଲେଖ୍ୟ ୨୦୨୩ ଓ ସତ୍ୟନାରାୟଣ ମିଶ୍ର ଙ୍କ ରଚିତ ଉତ୍କଳମଣି ପୁସ୍ତକ ଲୋକାର୍ପିତ ହୋଇଥିଲା।ପଣ୍ଡିତ ଗଣେଶ୍ୱର ଦାସଙ୍କ ସ୍ମୃତିରେ ପ୍ରଦତ୍ତ ତତ୍ଵଦର୍ଶୀ ଗବେଷକ ସମ୍ମାନ ରେ ପ୍ରାଧ୍ୟାପକ ମଥୁରେନ୍ଦ୍ର ପୃଷ୍ଟି ,ମହାମହୋପାଧ୍ୟାୟ ପଣ୍ଡିତ ହରିହର ମହାପାତ୍ର ଙ୍କ ସ୍ମୃତି ରେ ପ୍ରଦତ୍ତ ତତ୍ୱଦର୍ଶୀ ପ୍ରାବନ୍ଧିକ ସମ୍ମାନ ରେ ପ୍ରାଧ୍ୟାପିକା ବାସନ୍ତୀ ଦେବି , ଏଵଂ ତତ୍ୱଦର୍ଶି ସାହିତିକ ସମ୍ମାନ ରେ ଗବେଷକ ଜଗବନ୍ଧୁ ପାଢୀଙ୍କ ସ୍ମୃତିରେ ସତ୍ୟନାରାୟଣ ମିଶ୍ର ଙ୍କୁ ମାନପତ୍ର, ଉତ୍ତରୀୟ, ଉପଢୌକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିବା ପ୍ରାବନ୍ଧିକ ମାନଙ୍କୁ ପ୍ରମାଣପତ୍ର ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।ପରିଶେଷରେ ଅନାମ ଚାନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।