ଜୟପୁର – ଜୟପୁର ଦେଇଯାଇଥିବା ଜାତୀୟ ରାଜପଥ ନଂ ୨୬ର ଚାର ଗାଁ ଛକ ନିକଟରେ ଟ୍ରକକୁ ଧକ୍କା ଦେଲା ବସ୍ । ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅନ୍ୟ କେତେକ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ପ୍ରଥମେ ଜୟପୁର ମେଡ଼ିକାଲ ଏବଂ ପରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ।
ବୋରିଗୁମ୍ମାରୁ ଜୟପୁର ଅଭିମୁଖେ ଯାଉଥିବା ମହାବାହୁ ନାମକ ଯାତ୍ରୀବାହି ବସ୍ ନଂ ଓଡି ୨୪ ୬୭୫୨ଟି ଚାର ଗାଁ ନିକଟରେ ରାସ୍ତା ପାଶ୍ୱର୍ରେ ଅଟକିଥିବା ଏକ ଟ୍ରକ୍ ନଂ ଓଆର୦୯ ଏନ ୫୫୨୯କୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଟ୍ରକଟି ରାସ୍ତା ତଳକୁ ଖସି ଯାଇଥିଲା । ଦୁର୍ଘଟଣାରେ ବସରେ ବସିଥିବା ବହୁ ଯାତ୍ରା ଗୁରୁତର ହୋଇଥିଲେ । ଗୁରୁତରକୁ ଜୟପୁର ଜିଲା ଚିକିତ୍ସାଳୟକୁ ଅଣାଯାଇଥିଲା । ଜିଲା ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ସାନକାଉଡି ଗ୍ରାମର ରୁପେଇ ହାଲବା (୫୦) ନାମକ ମହିଳାଙ୍କ ମୃତ୍ୟୁ ଘଟିଥିଲା ।
ଗୁରୁତର ଅନ୍ୟ କେତେଜଣଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବସକୁ ଆମ୍ବାଗୁଡା ଫାଣ୍ଡିରେ ରଖାଯାଇଥିବା ବେଳେ ମୃତ ମହିଳାଙ୍କ ପରିବାରକୁ କ୍ଷତିପୁରଣ ଦାବୀରେ ରଣ୍ଡାପାଲ୍ଲି ଠାରେ ରାସ୍ତାରୋକ କରିଥିଲେ ଉତ୍ୟକ୍ତ ଲୋକେ । ଉଭୟ ପଟେ ଶହ ଶହ ଗାଡି ଅଟିକି ଥିବାବେଳେ ଘଟଣାସ୍ଥଳରେ ବୋରିଗୁମ୍ମା ଓ ଜୟପୁର ପୋଲିସ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥବା ଜଣାଯାଇଛି । ଅନ୍ୟପକ୍ଷରେ ଜିଲା ଚିକିତ୍ସାଳୟରେ ମହିଳା ଜଣକ ମୃତ୍ୟୁ ଘଟିବା ପରେ ଶବ ନେବା ପାଇଁ ମହାପ୍ରୟାଣ ଗାଡି ମଧ୍ୟ ଦିଆଯାଇନଥିଲା । ଫଳରେ ଶବକୁ ୧୨ କି.ମି. ବୋହି ନେଇଥିଲେ ପରିବାର ଲୋକେ । ଏନେଇ ଗ୍ରାମବାସୀ ମାନେ ଉଦବେଗ ପ୍ରକାଶ କରି କ୍ଷତିପୁରଣ ପାଇଁ ରାସ୍ତା ଅବରୋଧ କରିଛନ୍ତି ।