ଭୁବନେଶ୍ୱର,ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଦୀର୍ଘ ୯ ବର୍ଷରୁ ଅଧିକ ଦିନ ଧରି ଚୁକ୍ତିଭିତିକ ପ୍ରଥାରେ ସ୍ୱଳ୍ପ ଦରମାରେ କାର୍ଯ୍ୟରତ ୧୧୭୨ ଜଣ ଆର.ବି.ଏସ୍.କେ ଆୟୁଷ ଡାକ୍ତର ସୋମବାରଠାରୁ ଭୁବନେଶ୍ୱର ଲୋୟର ପିଏମ୍ଜିଠାରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।
ବିଭିନ୍ନ ସ୍ଥାନରୁ ଆସିଥିବା ୧୦୦୦ରୁ ଉର୍ଦ୍ଧ୍ୱ ରାଜ୍ୟ ଆରବିଏସ୍କେ ଆୟୁଷ ଡାକ୍ତର କଂଗ୍ରେସ ଭବନଠାରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଯାଇ ଗାନ୍ଧୀମାର୍ଗରେ ବସି ରହିଛନ୍ତି । ସଂଘର ସଭାପତି ପ୍ରଭାତ ମହାନ୍ତି ଓ ସାଧାରଣ ସମ୍ପାଦକ ଡାକ୍ତର ରବିନ୍ଦ୍ର ସେଠି କହିଛନ୍ତି ଯେ ଆମ୍ଭେମାନେ ଏକ ଜରୁରୀକାଳୀନ ବିଭାଗରେ କାର୍ଯ୍ୟ କରୁଥିବାରୁ ଆମେ କେବେ ଚାହିଁବୁ ନାହିଁ କି ଆମ ପାଇଁ ଓଡ଼ିଶାର ଜନସାଧାରଣ କୌଣସି ସ୍ୱାସ୍ଥ୍ୟସେବାରୁ ବଂଚିତ ହୁଅନ୍ତୁ । ତେଣୁ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରୁଛି ଯଥାଶୀଘ୍ର ସେମାନଙ୍କ ଗୁହାରି ତଥା ଦାବି ବିଷୟରେ ସରକାରଙ୍କ ପକ୍ଷରୁ ରାଜ୍ୟ ଆରବିଏସ୍କେ ଆୟୁଷ ଡାକ୍ତର ସଂଘ, ଓଡ଼ିଶା ସହିତ ଆଲୋଚନା ପାଇଁ ବ୍ୟବସ୍ଥା କରାଗଲେ ଆରବିଏସ୍କେ ଆୟୁଷ ଡାକ୍ତରମାନେ ଆନ୍ଦୋଳନକୁ ବନ୍ଦ କରି ନିଜ ନିଜର କାର୍ଯ୍ୟରେ ଯୋଗଦାନ କରିବେ ।