
କେନ୍ଦୁଝର, ସ୍ଵାମୀର ବିନା ଅନୁମତିରେ ପରିବାର କଲ୍ୟାଣ ଅସ୍ତ୍ରୋପଚାର ମହଙ୍ଗା ପଡିଛି ପତ୍ନୀଙ୍କୁ । ଘରେ ପୁରାଇ ଦେଉ ନାହାଁନ୍ତି ସ୍ଵାମୀ । ଯେଉଁଥିପାଇଁ ଚାରି ଦିନ ଧରି କୁନି ଛୁଆ ସହ ଗଛ ମୂଳେ ଆଶ୍ରୟ ନେବାକୁ ପଡିଛି ପତ୍ନୀଙ୍କୁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ତେଲକୋଇ ଥାନା ଅନ୍ତର୍ଗତ ଡିମିରିଆ ଗ୍ରାମରେ ।
ସ୍ଵାମୀ ରବି ଦେହୁରୀର କହିବା କଥା, ତୁ ମୋତେ ନ ଜଣାଇ କିପରି ନିଜ ମନ ଇଚ୍ଛା ଅସ୍ତ୍ରୋପ୍ରଚାର କଲୁ । ସେଥିପାଇଁ ତୋତୋ ଘରେ ପୁରାଇବି ନାହିଁ, ଘରୁ ପତ୍ନୀଙ୍କୁ ବାହର କରିଦେଲେ । ଏବଂ ଘରେ ଯଦି ପଶିବୁ ତେବେ ମାରିବି, ଗରମପାଣି ଢାଳିଦେବି ଆଦି କହି ଧମକ ଦେଉଛନ୍ତି । ରବିଙ୍କ ପତ୍ନୀ ଜାନକୀ ଦେହୁରୀ ଗତ ୧୪ ତାରିଖରେ ତେଲକୋଇ ମେଡିକାଲରେ ପରିବାର ନିୟୋଜନ ଅସ୍ତ୍ରୋପ୍ରଚାର କରାଇଥିଲେ । ଜାନକୀ ପୂର୍ବରୁ ୧୧ ଟି ସନ୍ତାନ ଜନ୍ମ ଦେଇସାରିଥିବା ସୂଚନା ମିଳିଛି । ତେବେ ରବି ଦେହୁରୀ ଘରେ ନଥିବା ବେଳେ ତାକୁ ନଜଣାଇ ଗ୍ରାମର ଆଶା ଦିଦି ଜାନକୀଙ୍କୁ ମେଡିକାଲ ନେଇ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପ୍ରଚାର କରାଇଥିଲେ । ତାପରେ ଜାନକୀଙ୍କୁ ନେଇ ତାଙ୍କ ଘରେ ଛାଡି ଆସିଥିଲେ ମଧ୍ୟ ତଥାପି ରବିକୁ ଖବର ଦେଇ ନଥିଲେ । ପରେ ରବି ଏ ସମ୍ପର୍କରେ ଜାଣିବା ପରେ ତା ସ୍ତ୍ରୀ ଉପରେ ରାଗି ତାକୁ ଘରେ ପୁରାଇ ଦେଇ ନଥିଲା । ଫଳରେ ଜାନକୀ ତାର ଏକମାସର ଶିଶୁପୁତ୍ର ସହ ଘର ନିକଟରେ ଥିବା ଏକ ଆମ୍ବ ଗଛ ମୂଳେ ଆଶ୍ରୟ ନେଇଛି । ବହୁ ବିଳମ୍ବରେ ପ୍ରାୟ ଚାରିଦିନ ପରେ ହେଲେ ବି ତେଲକୋଇ ମେଡିକାଲ କର୍ତୃପକ୍ଷ ରବି ଘରକୁ ଯାଇ ତାକୁ ବୁଝାସୁଝା କରି ଜାନକୀଙ୍କୁ ଘରେ ପ୍ରବେଶ କରାଇଥିବା କଥା କହିବା ପରେ ଜାନକୀଙ୍କୁ ପୂର୍ବଭଳି ଗଛମୂଳେ ରହୁଥିବା ଦେଖିବାକୁ ମିଳୁଥିବା ବେଳେ ଏ ସମ୍ପର୍କରେ ତେଲକୋଇ ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ମତାମତ ଜାଣିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ଠାରୁ କିଛି ଉତର ମିଳିନଥିଲା ।
ଏଭଳି ସ୍ଥିତିରେ ଏତେ ଗୁଡିଏ ପିଲାଙ୍କୁ ଜାନକୀ କିପରି ଖାଇବାକୁ ଦେବ ଓ ଯତ୍ନ ନେବ ତାହା ତା ପାଖରେ ଏକ ବଡ ସମସ୍ୟା ହୋଇ ଛିଡାହୋଇଥିବା କହିଛି ।