ବଲାଙ୍ଗିର,ବଲାଙ୍ଗୀର ରୁଗୁଡିପଡାନୀବାସୀ ତଥା ଜିଲ୍ଲା ଟେକ୍ସବାର ଓକିଲସଂଘର ପୂର୍ବତନ ସଭାପତି ବିଶ୍ୱଜିତ ନାୟକ(ବିଶୁ)ଙ୍କ ୬୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ଦୀର୍ଘଦିନ ହେଲା ସେ ସ୍ନାୟୁଗତ ଓ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଶନିବାର ରାତିରେ ରୁଗୁଡିପଡା ସ୍ଥିତ ବାସଭବନରେ ୧୦.୩୫ରେ ତାଙ୍କର ବିୟୋଗ ଘଟିଥିଲା। ମୃତ୍ୟୁବେଳେ ତାଙ୍କପତ୍ନୀ ନିବେଦିତା,ବିପ୍ଲବ ଓ ଝିଅ ଅର୍ପିତା ଉପସ୍ଥିତ ରହିଥିଲେ । ଆଜି ବିଭୁତିପଡା ସ୍ଥିତ ସ୍ମସାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ଏକମାତ୍ର ପୁତ୍ର ବିପ୍ଲବ ନାୟକ ମୁଖାଗ୍ନୀ ଦେଇଥିଲେ । ସ୍ୱର୍ଗତ ବିଶ୍ୱଜିତ ବଲାଙ୍ଗୀର ଟେକ୍ସବାର ଓକିଲସଂଘର ବହୁବର୍ଷ ପର୍ଯ୍ୟନ୍ତ ସଭାପତି ରହି ଓକିଲମାନଙ୍କର ଅନେକ ସମସ୍ୟାର ସମାଧାନ କରିଥିଲେ । ତାଙ୍କ ସମୟରେ ଟେକ୍ସବାରର ସ୍ୱତନ୍ତ୍ର ପ୍ରକୋଷ୍ଠ ନିର୍ମାଣ ହୋଇପାରିଥିଲା । କେବଳ ଜଣେ ଓକିଲ ନୁହେଁ ବଲାଙ୍ଗୀର ସହରର ଅନେକ ସାମାଜିକ ଓ ସାଂସ୍କୃତିକ ସଂଗଠନର ସେ ପ୍ରତିଷ୍ଠାତା ସଭ୍ୟ ମଧ୍ୟ ରହିଆସିଥିଲେ । ମିଳିତ କଳାକାର ସଂଘ ହେଉକି ରୁଗୁଡିପଡା ଦୁର୍ଗାପୂଜା କମିଟିର ଜଣେ ବରିଷ୍ଠ ଉପଦେଷ୍ଟା ଭାବରେ ଖୁବ ଜଣାଶୁଣା ଥିଲେ । ରୁଗୁଡିପଡା ସେରସୁଆଁଗୁଡି ବୈଠକିର ସେ ଜଣେ ବରିଷ୍ଠ ସଦସ୍ୟ ରହି ଅନେକ ଲୋକଙ୍କ ସହିତ ଭଲ ସଂମ୍ପର୍କ ରଖିଥିଲେ । ତାଙ୍କ ବିୟୋଗରେ ଆଜି ବଲାଙ୍ଗୀରରେ ଶୋକର ଛାୟା ଖେଳିଯାଇଛି । ଆଜି ତାଙ୍କ ଶବାଧାରରେ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ,ସାମ୍ବାଦିକ, ଓକିଲ ତଥା ବିଭିନ୍ନ ବର୍ଗର ଶତାଧିକ ଲୋକ ସାମିଲ ହୋଇଥିଲେ ।