ମାଲକାନଗିରି, ମାଲକାନଗିରି ଜିଲା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିରେ ସର୍ବଦା ରହିଛି। ଜିଲାର ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ତେବେ ଜିଲାରେ ପାନୀୟ ଜଳ ସମସ୍ୟା ଦୂର କରିବାକୁ ଗତମାସରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲାର କାଲିମେଳା ବ୍ଲକରେ ୨ଟି, ମାଲକାନଗିରି, ମାଥିଲି ବ୍ଲକରେ ଗୋଟିଏ ଲେଖାଏ ମୋଟ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ଏଥିପାଇଁ ୪୬୫ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ୪ଟି ପ୍ରକଳ୍ପ ଦ୍ୱାରା ୩୫ଟି ପଞ୍ଚାୟତର ୨୩୧ଟି ଗ୍ରାମର ୩୮ ହଜାର ୮୮୬ ପରିବାରର ୧ଲକ୍ଷ ୭୭ ହଜାର ୪୨୪ ଜଣ ଜନସାଧାରଣ ଉପକୃତ ହେବେ। ଦାୟିତ୍ୱ ନେଇଥିବା ଠିକାଦାରମାନେ ମଧ୍ୟ ଇତିମଧ୍ୟରେ ରାସ୍ତା କଡ଼ରେ ପାଇପ୍ ଜମା କରିବା ସହ କେତେକ ଅଞ୍ଚଳରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ଏହି ମେଗା ଜଳପ୍ରକଳ୍ପର ଦୀର୍ଘ ସ୍ଥାୟିତ୍ୱ ଉପରେ ପ୍ରଶାସନ ସବୁ କ୍ଷେତ୍ରରେ ଗୁରୁତ୍ୱ ଦେବାକୁ ମତ ପ୍ରକାଶ ପାଉଛି।
ଅନ୍ୟପକ୍ଷରେ ପୂର୍ବରୁ ମାଲକାନଗିରି ଜିଲାରେ ପାନୀୟ ଜଳ ଯୋଗାଣ ପାଇଁ ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତର ୨୫୪ ଗ୍ରାମ ପାଇଁ ୯୨୫ ନଳକୂପ, ୪୯୮ ପାଇପ ଜଳ ଯୋଗାଣ, କାଲିମେଳା ବ୍ଲକର ୨୩ ପଞ୍ଚାୟତର ୧୪୫ଟି ଗ୍ରାମକୁ ୨୬୮୫ ନଳକୂପ, ୭ ପାଇପ ଜଳ ଯୋଗାଣ, ଖଇରପୁଟ ବ୍ଲକର ୧୧ ପଞ୍ଚାୟତର ୧୪୩ ଗ୍ରାମ ନିମନ୍ତେ ୧୧୦୧ ନଳକୂପ, ୨୦୫ଟି ପାଇପ ଜଳ ଯୋଗାଣ, କୋରୁକୋଣ୍ଡା ବ୍ଲକର ୧୨ ପଞ୍ଚାୟତର ୧୨୦ ଗ୍ରାମକୁ ୧୩୫୬ ନଳକୂପ, ୬୨ଟି ପାଇପ ଜଳ ଯୋଗାଣ, ମାଲକାନଗିରି ବ୍ଲକର ୧୯ ପଞ୍ଚାୟତର ୧୩୭ ଗ୍ରାମକୁ ୨୨୪୪ଟି ନଳକୂପ, ୧୫ଟି ପାଇପ ଜଳ ଯୋଗାଣ, ମାଥିଲି ବ୍ଲକର ୨୦ ପଞ୍ଚାୟତର ୧୪୫ ଗ୍ରାମ ପାଇଁ ୧୯୮୮ ନଳକୂପ, ୧୮୦ ପାଇପ ଜଳ ଯୋଗାଣ ଓ ପଡ଼ିଆ ବ୍ଲକର ୮ ପଞ୍ଚାୟତର ୪୮ ଗ୍ରାମ ଲାଗି ୧୦୪୦ ନଳକୂପ ବ୍ୟବସ୍ଥା କରାଯାଇଛି। ତେବେ ମାଲକାନଗିରି ଜିଲାରେ ମୋଟ ୧୧,୩୩୯ନଳକୂପ ଓ ୯୬୭ ପାଇପ ଜଳ ଯୋଗାଣ ନେଇ ବ୍ୟବସ୍ଥା ଥିବା ବେଳେ ଭୂତଳ ଜଳ ନିମ୍ନସ୍ତର ହେବା ଯୋଗୁ ପ୍ରାୟ ୫୦ ପ୍ରତିଶତ ନଳକୂପ ଓ ପାଇପ ଜଳ ଯୋଗାଣ ବ୍ୟବସ୍ଥା ଅଚଳ ହୋଇପଡ଼ିଛି। ଯେଉଁ ନଳକୂପର ପାଣି ବ୍ୟବହାର କରାଯାଉଛି ସେହି ସବୁ ପାଣିରେ ଲୌହ ଅଂଶ ଅଧିକ ଥିବାରୁ ଲୋକେ କିଡ୍ନୀ ଓ ପେଟବ୍ୟଥା ରୋଗର ଶିକାର ହେଉଛନ୍ତି।
ଜିଲା ପାଇଁ ଘୋଷଣା ହୋଇଥିବା ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଯେଉଁ ଟେଣ୍ଡର ସବୁ ହୋଇଛି, ଟେଣ୍ଡର ପାଇଥିବା ଠିକାଦାରମାନେ ପାଇପ ବିଛାଇବା, ପ୍ରତି ଗ୍ରାମର ଘରେ ଘରେ ପାଣି ଯୋଗାଇବା ପାଇଁ ପାଇପ ସଂଯୋଗ ଦେବା ଏବଂ ଯେଉଁ କମ୍ପାନୀ ପାଇପ ଯୋଗାଇଛି ସେମାନେ ନିଜ କାର୍ଯ୍ୟ ପରେ ତାଙ୍କ ଅର୍ଥ ନେଇଯିବେ। ମାତ୍ର ଏହି ପ୍ରକଳ୍ପ ଦୀର୍ଘଦିନ ଧରି ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇପାରିବ କି ନାହିଁ ସେ ନେଇ ଆଲୋଚନା ହେଉଛି। ପୂର୍ବରୁ ଜିଲାରେ ଶହ ଶହ କୋଟି ଟଙ୍କାର ନଳକୂପ ଓ ପାଇପ ଯୋଗେ ଜଳ ଯୋଗାଣ ହୋଇଥିଲେ ମଧ୍ୟ ଅଧିକାଂଶ ଅଞ୍ଚଳରେ ଏସବୁ ଫେଲ୍ ମାରିଛି। ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡ଼ିଥିବା ନଜିର ରହିଛି। ଏହି ମେଗା ପାନୀୟ ଜଳ ପ୍ରକଳ୍ପ ଯେପରି ଲୋକଙ୍କୁ ଦୀର୍ଘ ବର୍ଷ ଧରି ଜଳ ଯୋଗାଇପାରିବ ସେନେଇ ବଡ଼ ବଡ଼ ବୋର୍ଓ୍ବେଲ୍ ଗଭୀର ଭାବେ ଖୋଳାଯିବାକୁ ସାଧାରଣରେ ମତ ପ୍ରକାଶ ପାଉଛି। ନଚେତ୍ ସମୟକ୍ରମେ ଏହି ମେଗା ଜଳ ପ୍ରକଳ୍ପର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ।