
ଭଦ୍ରକ, ଭଦ୍ରକ ଆରଡ଼ି ସ୍ଥିତ ଶ୍ରୀ ଆଖଣ୍ଡଳମଣି ପୀଠରେ ଆଜି ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । ଏହି ଅବସରରେ ବାବାଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ଜଳାଭିଶେକ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ବାବା ଆଖଣ୍ଡଳମଣିଙ୍କ ଜାଗର ନୀତିକାନ୍ତି ଅନୁଯାୟୀ, ଆଜି ଭୋର୍ ୪ଟାରେ ମଙ୍ଗଳ ଆଳତୀ, ୪ଟା ୩୦ରେ କନିକା ରାଜାଙ୍କ ପହିଲି ଘର୍ଷଣ ଲାଗି, ଭୋର ୫ଟାରେ ପାଳିଆ ସେବାୟତଙ୍କ ପକ୍ଷରୁ ଖେଚୁଡ଼ି ଓ ଅନ୍ନନୀତି ଭୋଗଲାଗି ହୋଇଥିଲା । ସକାଳ ୫ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତ ମାନେ ବାବାଙ୍କ ଦର୍ଶନ କରିପାରିବେ ।
ସଂନ୍ଧ୍ୟା ୬ଟାରେ ପ୍ରଥମ ପ୍ରହର ଘର୍ଷଣଲାଗି, ଜଳାଭିଷେକ, ପଂଚ ଉପଚାର ପୂଜା, ରାତି ୮ଟାରେ ଦ୍ଵିତୀୟ ପ୍ରହର ଘର୍ଷଣ ଲାଗି, ଜଳାଭିଷେକ, ମଧୁସ୍ନାନ, ପଂଚ ଉପଚାର ପୂଜା ଅନୁଷ୍ଠିତ ହେବ । ସେହିପରି ରାତି ୧୦ଟାରେ ତୃତୀୟ ପ୍ରହର ଘର୍ଷଣ ଲାଗି, ଜଳାଭିଷେକ, ଦୁଗ୍ଧ ସ୍ନାନ, ପଂଚ ଉପଚାର ପୂଜା ଅନୁଷ୍ଠିତ ହେବ । ଏହାପରେ ରାତି ୧୧ଟାରେ ଚତୁର୍ଥ ପ୍ରହର ପୂଜା, ଘୃତ ସ୍ନାନ, ଘର୍ଷଣ ଲାଗି, ୧୦୮ କଳସ ଜଳଲାଗି, ପଂଚ ଉପଚାର ପୂଜା ଅନୁଷ୍ଠିତ ହେବ । ରାତି ୧୨ଟାରେ ମଣିବାବାଙ୍କ ସୁନାବେଶ ଆରମ୍ଭ ହୋଇ ରାତି ୧ଟା ୩୦ରେ ସୁନାବେଶ ସମ୍ପନ୍ନ ହେବ । ଏହାପରେ ସର୍ବସାଧାରଣ ଦର୍ଶନ, ରାତି ୨ଟାରେ ମହାଦୀପ ପ୍ରସ୍ତୁତି, ରାତି ୩ଟା ୧୫ରେ ମହାଦୀପ ଷୋଡ଼ଶ ଉପଚାରରେ ପୂଜା, ପ୍ରତିଷ୍ଠା, ଅଗ୍ନି ସଂଯୋଗ, ଯଜ୍ଞ, ଭୋର ୪ଟାରେ ମହଦୀପ ବେଢ଼ା ପରିକ୍ରମା ଏବଂ ଭୋର୍ ୪ଟା ୩୦ରୁ ୫ଟା ମଧ୍ୟରେ ମହାଦୀପ ମନ୍ଦିର ଚୂଡ଼ାରେ ସ୍ଥାପନ ହେବ । ଭକ୍ତ ମାନେ ମନ୍ଦିର ବେଢ଼ାରେ ଜାଗର ଜାଳିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆଇନ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।