
ଗଞ୍ଜାମ, ଗଞ୍ଜାମ ଜିଲାର ବିଭିନ୍ନ ଶିବାଳୟ ଗୁଡିକରେ ମହାଶିବରାତ୍ରୀ ଉତ୍ସବ ଅନୁଷ୍ଠିତ ହେଉଛି । ଜିଲାରେ ଥିବା ଗୋକର୍ଣ୍ଣେଶ୍ଵର, ଉତରେଶ୍ଵର, ଧବଳେଶ୍ଵର, ରାମେଶ୍ଵର, ଘଟକେଶ୍ଵର, ବାବା ବାଲୁଙ୍କେଶ୍ଵର, ବାବା ମୁକ୍ତେଶ୍ଵର ପ୍ରଭୃତି ଶିବାଳୟ ଗୁଡିକରେ ଆଜି ପ୍ରତ୍ୟୁଷରୁ ମଙ୍ଗଳଆଳତି ପରେ ଶିବଦର୍ଶନ ପାଇଁ ପ୍ରବଳ ଭକ୍ତସମାଗମ ହୋଇଛି । ବିଭିନ୍ନ ସ୍ଥାନରେ ମନ୍ଦିର ଗୁଡିକୁ ରଙ୍ଗିନ ଆଲୋକମାଳାରେ ସଜ୍ଜା ହୋଇଥିବା ବେଳେ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସଂନ୍ଧ୍ୟାରେ ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନେ ଜାଗର ଜାଳିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ବିଳମ୍ବିତ ରାତ୍ରରେ ମନ୍ଦିର ଚୁଡାରେ ମହାଦୀପ ଦର୍ଶନ ପାଇଁ ଭକ୍ତ ମାନେ ଅପେକ୍ଷା କରି ରହିଥିବା ଜଣାପଡିଛି ।