ଭୁବନେଶ୍ୱର, ନବ ଦାସ ହତ୍ୟା କାଣ୍ଡ ପଛରେ ଅନେକ ରହସ୍ୟ ରହିଛି । ବିଧାନସଭାରେ ନବ ଦାସଙ୍କ ହତ୍ୟାକାଣ୍ଡର ଗୁମର ଖୋଲିବ । ମୁଦାଲାକୁ ଖଲାସ କରିଦେବା ପାଇଁ ପୋଲିସ ଚେଷ୍ଟା କରୁଛି । ନବ ଦାସ ହତ୍ୟାକାଣ୍ଡର ଗୁମର ଖୋଲୁଛି ବୋଲି ହେଉଛି ମୋ ବିରୁଦ୍ଧରେ ଷଡଯନ୍ତ୍ର ହେଉଛି । ଏହା କହିଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ।
ସେ କହିଛନ୍ତି ଯେ ନବ ଦାସଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀମାନେ ମୋ ବିରୁଦ୍ଧରେ ଏଇ ପ୍ରକାର ପ୍ରାୟୋଜିତ କାର୍ଯ୍ୟକ୍ରମ କରୁଛନ୍ତି । ମୋତେ ମ୍ୟାନେଜ ନ କରି ପାରିବାରୁ ମୋ ବିରୁଦ୍ଧରେ ଏହି ଷଡ଼ଯନ୍ତ୍ର କରାଯାଇଛି । ମୁଁ ନବ ଦାସଙ୍କ ହତ୍ୟାକାଣ୍ଡର ଗୁମର ଖୋଲୁଥିବାରୁ ସେମାନେ ଭୟଭୀତ ହୋଇ ଯାଇଛନ୍ତି । ମୋ ବିରୁଦ୍ଧରେ ଥିବା ଅଭିଯୋଗକୁ ନେଇ ଯଦି ସେମାନେ ଆଲୋଚନା କରିବାକୁ ଚାହୁଁଛନ୍ତି ମୁଁ ଖୋଲା ବିତର୍କ ପାଇଁ ପ୍ରସ୍ତୁତ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଧାନସଭାରେ ବି ଯଦି ମୋ ବିଷୟ ସେମାନେ ଉଠେଇବେ ମୁଁ ଆଲୋଚନା ପାଇଁ ପ୍ରସ୍ତୁତ । ବାସଭବନ ଆଗରେ ବିକ୍ଷୋଭକୁ ନେଇ କହିଲେ ଗତକାଲି କିନ୍ନରମାନେ ଆସିଥିଲେ ବିକ୍ଷୋଭ କରିବା ପାଇଁ ମିଠା ଖାଇ ମୋତେ ଆଶୀର୍ବାଦ କରି ଯାଇଛନ୍ତି । ସେହିପରି ଆଜି ଯେଉଁ ବିକ୍ଷୋଭ ହେଇଛି ସେମାନେ ଗତକାଲି ମୋ ଘରକୁ ଆସି କହିଥିଲେ ଯେ ଆମକୁ ଉପରୁ ନିର୍ଦ୍ଦେଶ ଅଛି ବିକ୍ଷୋଭ କରିବା ପାଇଁ ଆମେ ଆପଣ ଘର ଆଗରେ ଟିକିଏ ବିକ୍ଷୋଭ କରିବୁ । ନବ ଦାସଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀମାନେ ଏ ସବୁ ପ୍ରାୟୋଜିତ ଭାବେ କରାଉଛନ୍ତି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।