
ଚମ୍ପୁଆ, ଆଜି ପବିତ୍ର ମହାଶିବରାତ୍ରି। ଏହି ଅବସରରେ ଚମ୍ପୁଆ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠ ଗୁଡିକ ହୋଇ ଉଠିଛି ଉତ୍ସବ ମୁଖର। ଚମ୍ପୁଆ ବାବା ଚନ୍ଦ୍ରଶେଖର ମହାଦେବ, ମହେଶ୍ଵରପୁର ବାବା ଝାଡ଼େଶ୍ଵର ମହାଦେବ, ପାଞ୍ଚପୋଖରୀଆ ବାବା ଧବଳେଶ୍ଵର ମହାଦେବଙ୍କ ସମେତ କରଞ୍ଜିଆ, ଭଣ୍ଡା, ରିମୁଳି, କାଳିକାପ୍ରସାଦ, କୋଦଗାଡ଼ିଆ ଆଦି ପ୍ରମୁଖ ଶୈବ ପୀଠ ମାନଙ୍କରେ ଭକ୍ତ ମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ତେବେ ମହାଦୀପ ରାତ୍ର ଦଶଟା ପରେ ଉଠିବାର ସୂଚନା ମିଳିଛି। ମନ୍ଦିର ଗୁଡିକରେ ସୁନ୍ଦର ସାଜସଜ୍ଜା, ଆଲୋକମାଳା, ଭଜନ, କୀର୍ତନ, ପାଲା, ପ୍ରବଚନ ଯୋଗୁଁ ଏକ ଭକ୍ତିମୟ ଓ ଭାବମୟ ପରିବେଶ ସୃଷ୍ଟି ହୋଇଛି। ଯେଉଁ ଭକ୍ତମାନେ ଉପବାସ କରି ମହାଦୀପ ଜାଳିବା ପାଇଁ ଆସୁଛନ୍ତି ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଲେମ୍ବୁ ପାଣି ସହିତ ପ୍ରସାଦ ସେବନର ଆୟୋଜନ କରାଯାଇଛି। ଭକ୍ତ ମାନେ ଧାଡିରେ ଯାଇ ଠାକୁର ଦର୍ଶନ କରୁଛନ୍ତି। ମହିଳା ଓ ପୁରୁଷ ଭକ୍ତ ମାନଙ୍କପାଇଁ ଅଲଗା ଅଲଗା ବାରିକେଟ କରାଯାଇଛି। ମନ୍ଦିର ସମ୍ମୁଖରେ ଅନେକ ଉଠା ଭୋଗ ଦୋକାନର ଧାଡି ଲାଗିଥିବା ଦେଖାଯାଇଛି। ଆଜି ଏହି ପବିତ୍ର ମହା ଶିବରାତ୍ରି ପାଇଁ ଚମ୍ପୁଆ ସହର ଠାରୁ ଗ୍ରାମାଞ୍ଚଳ ଉତ୍ସବ ମୁଖର ହୋଇଉଠିଛି।