
ଭୁବନେଶ୍ୱର,ଚାକିରି ଦେବା ନାଁରେ ଠକେଇ କରୁଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) । ଗିରଫ ମାଷ୍ଟରମାଇଣ୍ଡ ହେଉଛି ଧର୍ମପାଲ୍ ସିଂ । ୧୭ ରାଜ୍ୟର ଲୋକଙ୍କୁ ଠକିଥିବା ଧର୍ମପାଲ୍ ସିଂକୁ ବିହାରରୁ ଗିରଫ କରିଛି ଇଓଡବ୍ଲୁ ।
ସୂଚନା ଅନୁଯାୟୀ ଅଭିଯୁକ୍ତ ଧର୍ମପାଲ୍ ନକଲି ୱେବସାଇଟ୍ ପ୍ରସ୍ତୁତ କରି ସରକାରୀ ଚାକିରିର ବିଜ୍ଞାପନ ଦେଇ ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥା ନାଁରେ ଲୋକଙ୍କୁ ଠକୁଥିଲା । ଚାକିରି ପାଇଁ ଲୋକେ ଆବେଦନ କରିବା ପରେ ଅନଲାଇନ ପରୀକ୍ଷା ଓ ଇଂଟରଭିଉ ମଧ୍ୟ କରାଉଥିଲା । ବିଭିନ୍ନ ପରୀକ୍ଷା ପାଇଁ ସିଲାବସ ମଧ୍ୟ ଆଶାୟୀମାନଙ୍କୁ ଦେଉଥିଲା । ଏଭଳି ୱେବସାଇଟକୁ ସତ ଭାବି ଲକ୍ଷ ଲକ୍ଷ ପିଲା ଆପ୍ଲିକେସନ ଫି ଡିପୋଜିଟ୍ କରି ଅନଲାଇନ ପରୀକ୍ଷା ଓ ଇଂଟରଭିଉ ଦେଉଥିଲେ । ଆପ୍ଲିକେସନ ଫି ବାବଦକୁ ଲକ୍ଷ ଲକ୍ଷ ପିଲାଙ୍କଠୁ କୋଟି କୋଟି ଟଙ୍କା ରୋଜଗାର କରୁଥିଲା ଧର୍ମପାଲ । ବହୁ ଅଭିଯୋଗ ଆସିବା ପରେ ଇଓଡବ୍ଲୁ ଦୀର୍ଘଦିନ ଧରି ଧର୍ମପାଲକୁ ଖୋଜୁଥିବା ବେଳେ ଶେଷରେ ବିହାରରୁ ଗିରଫ କରିବାରେ ସକ୍ଷମ ହୋଇଛି । ବିହାରରୁ ଗିରଫ କରାଯିବା ପରେ ଧର୍ମପାଲ୍ ସିଂକୁ ୫ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି ।