-
ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ପୁନଃ ଆରମ୍ଭ କରିବା ଦାବି-ବିଜେଡି,
ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ଓ ଓଡ଼ିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ ହ୍ରାସ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ଯୋଗୁ ୫ କିଲୋ ଚାଉଳ କାଟ ପ୍ରସଙ୍ଗକୁ ନେଇ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ବ୍ରହ୍ମଗିରି ବ୍ଲକର 25 ଗୋଟି ପଞ୍ଚାୟତ, କୃଷ୍ଣପ୍ରସାଦ ବ୍ଲକର 21 ଗୋଟି ପଞ୍ଚାୟତ ଓ ପୁରୀସଦର ବ୍ଲକର 11 ଗୋଟି ପଞ୍ଚାୟତର ବିଜୁ ଜନତା ଦଳ ପକ୍ଷରୁ ସମସ୍ତ ବ୍ଲକ ସମ୍ମୁଖରେ ଧାରଣା ସହିତ ପ୍ରତିବାଦ କରାଯାଇଛି। ବ୍ରହ୍ମଗିରି ବ୍ଲକରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ଧାରଣାସ୍ଥଳରେ ଯୋଗ ଦେଇଥିଲେ। ଶ୍ରୀ ଦାସବର୍ମା କହିଛନ୍ତି କରୋନା ମହାମାରୀ ସମୟରେ କେନ୍ଦ୍ରସରକାର ସ୍ଵତନ୍ତ୍ର ଭାବରେ ଅତିରିକ୍ତ ୫ କେଜି ମାଗଣା ଚାଉଳ ଗରିବ ହିତାଧିକାରୀଙ୍କୁ ପ୍ରଦାନ କରୁଥିଲେ। ହେଲେ କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରିବା ଯୋଗୁଁ ହିତାଧିକାରୀଙ୍କୁ ମିଳୁଥିବା 5 କେଜି ଲେଖାଏଁ ଚାଉଳ ବନ୍ଦ ହୋଇଯାଇଛି। ଫଳରେ ଲକ୍ଷ ଲକ୍ଷ ଗରିବ ଲୋକଙ୍କ ପେଟକୁ ଲାତ ମାରିଥିବା ଅଭିଯୋଗ ଆଣିଛନ୍ତି ବୋଲି ଦାସବର୍ମା କହିଛନ୍ତି। ଏହି କଥାକୁ କେନ୍ଦ୍ରସରକାର ଉପଲବ୍ଧି କରି ତୁରନ୍ତ 5କେଜି ଚାଉଳର ପୁନଃ ଯୋଜନା ଆରମ୍ଭ କରିବା ଆବଶ୍ୟକ ବୋଲି ଦାବି କରିଛନ୍ତି। ବିକେନ୍ଦ୍ରୀକୃତ ଧାନ ସଂଗ୍ରହ ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶାରେ ଉତ୍ପାଦିତ ହେଉଥିବା ଚାଷିକୁଳର ସମସ୍ତ ଚାଉଳକୁ କ୍ରୟ କରିବା ପାଇଁ କେନ୍ଦ୍ରସରକାର ଏଫସିଆଇ ମାଧ୍ୟମରେ ଅନୁବନ୍ଧିତ ହୋଇଛନ୍ତି।
ରାଜ୍ୟ ସରକାର ଓ ଏଫସିଆଇ ମଧ୍ୟରେ ହୋଇଥିବା ଏମଓୟୁ ସର୍ତ୍ତ ଅନୁସାରେ ରାଜ୍ୟର ସମସ୍ତ ବଳକା ଚାଉଳ କେନ୍ଦ୍ର ସରକାର ଉଠାଇବା କଥା କିନ୍ତୁ ରାଜ୍ୟ ସରକାରଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ପାତରଅନ୍ତର ନୀତି ଯୋଗୁଁ ରାଜ୍ୟର ଚାଷିକୂଳ ଅଶେଷ କ୍ଷତି ସହୁଛନ୍ତି ଏବଂ ରାଜ୍ୟର କୃଷିଭିତ୍ତିକ ଗ୍ରାମୀଣ ଅର୍ଥନୀତି ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହେଉଛି। ସଂଘୀୟ ବ୍ୟବସ୍ଥା ରେ କେନ୍ଦ୍ରସରକାର ରାଜ୍ୟ ପ୍ରତିଥିବା ଗଣତାନ୍ତ୍ରିକ ଦାୟିତ୍ଵ ନିର୍ବାହ କରିବା ପାଇଁ ଶ୍ରୀ ଦାସବର୍ମା ତାଙ୍କ ବକ୍ତବ୍ୟରେ ମତପ୍ରକାଶ କରିଛନ୍ତି। ବ୍ରହ୍ମଗିରି ବ୍ଲକ ସମ୍ମୁଖରେ ସଭା କାର୍ଯ୍ୟ ପରିଚାଳନା କରୁଥିବା ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳର ବରିଷ୍ଠ ନେତା ଭଗବାନ ନାୟକ କହିଛନ୍ତି ଧାନ କିଣା ବାବଦରେ ବଜେଟ ଅନୁଦାନ 20 ହଜାର କୋଟି ଟଙ୍କା କାଟି ଦେବା କେତେ ଦୂର ସମୀଚିନ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଅନୁରୂପ ଭାବେ ପୁରୀ ସଦର ବ୍ଲକ 11 ଗୋଟି ପଞ୍ଚାୟତର ବିଜୁ ଜନତା ଦଳ ପକ୍ଷରୁ ପୁରୀ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ କାର୍ତ୍ତବିଯ୍ୟ ସ୍ଵାଇଁ ଓ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ନୁନୁ ମିଶ୍ରଙ୍କ ନେତୃତ୍ବରେ ପୁରୀ ସଦର ବ୍ଲକ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା । ଏହା ପରେ କୃଷ୍ଣପ୍ରସାଦ ବ୍ଲକ 21 ଗୋଟି ପଞ୍ଚାୟତ ବିଜୁ ଜନତା ଦଳ ପକ୍ଷରୁ କୃଷ୍ଣ ପ୍ରସାଦ ବ୍ଲକ ବିଜୁ ଜନତା ଦଳ ସଭାପତି ଲକ୍ଷ୍ମୀଧର ସାହୁ ଓ ବ୍ରହ୍ମଗିରି ବ୍ଲକ ସଭାପତି ବିଦ୍ୟାଧର ସ୍ଵାଇଁଙ୍କ ନେତୃତ୍ବରେ କୃଷ୍ଣପ୍ରସାଦ ବ୍ଲକ ସମ୍ମୁଖରେ ପ୍ରତିବାଦ କରାଯାଇଛି। ପରିଶେଷରେ ତିନି ଗୋଟି ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ଵପ୍ନାରାଣି ସ୍ଵାଇଁ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, କୃଷ୍ଣ ପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରେଇ, ଜିଲ୍ଲା ପରିଷଦ ସଦସ୍ୟ ସନ୍ଦିପ କୁମାର ଜେନା, ଉପାଧ୍ୟକ୍ଷ ଶକୁନ୍ତଳା ଗଡ଼ୁ, ପୁରୀ ସଦର ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି ନିରଞ୍ଜନ ପରିଡ଼ା ଓ ବିଜୁ ଜନତା ଦଳର ବରିଷ୍ଠ ନେତା, ସମସ୍ତ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ଯୁବ, ଛାତ୍ର ଓ ମହିଳା ନେତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।