ସାଲେପୁର, କଟକ-ଚାନ୍ଦବାଲି ରାସ୍ତାର ଜଗତପୁର ଠାରୁ ଅସୁରେଶ୍ଵର ପର୍ଯ୍ୟନ୍ତ ବଜାରରେ ବ୍ୟବସାୟ କରୁଥିବା ୫୦ ଭାଗରୁ ଉର୍ଦ୍ଧ୍ଵ ବ୍ୟବସାୟୀ ଦିନକୁ ଦିନ ସେମାନଙ୍କ ଦୋକାନଗୁଡିକୁ ରାସ୍ତା ଉପରକୁ ମଡାଇ ଚାଲିଛନ୍ତି । ଧୀରେ ଧୀରେ ଜବରଦଖଲ ବ୍ୟବସାୟୀଙ୍କ ସଂଖ୍ୟା ବଢିବାରେ ଲାଗିଥିଲା ବେଳେ ଯାନବାହନ ଯାତାୟାତରେ ବହୁ ଭିଡ ହେଉଥିବାରୁ ଟ୍ରାଫିକ୍ ସମସ୍ୟା ଅଣାୟତ ହୋଇପଡିଛି । କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାରେ ପ୍ରତ୍ୟେକ ଦିନ ଏହି ବାଟଦେଇ ବହୁ ଉଚ୍ଚପଦସ୍ଥ ଅଧିକାରୀ, ପୋଲିସ, ପ୍ରଶାସନ, ମନ୍ତ୍ରୀ, ବିଧାୟକ, ଯାତାୟାତ କରିଥାଆନ୍ତି । ବେଳେ ବେଳେ ଏହି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଗାଡି ଏବଂ ଜରୁରୀକାଳିନ ପରିସ୍ଥିତିରେ ଆମ୍ବୁଲାନ୍ସ ଓ ଦମକଳ ଗାଡି ମଧ୍ୟ ଟ୍ରାଫିକ୍ ସମସ୍ୟାରେ ପଡିଥାଏ । ବ୍ୟବସାୟୀମାନେ ରାସ୍ତା ଉପରକୁ ଦୋକାନ ମଡାଇ କରିଥିବା ବେଳେ ପ୍ରତ୍ୟେକ ସମୟରେ ଟ୍ରାଫିକ୍ ସମସ୍ୟା ଦେଖାଯାଉଥିବା ଘଟଣା ସମସ୍ତେ ଉପଲବ୍ଧି କରୁଥିଲେ ମଧ୍ୟ ଉକ୍ତ ସମସ୍ୟାର ସମାଧାନ ପାଇଁ କେହି ଯତ୍ନବାନ୍ ହେଉନଥିବାରୁ ଜନସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଜବରଦଖଲ ହଟାଇବାର ଦାୟିତ୍ଵ ସ୍ଥାନୀୟ ପୋଲିସ ଏବଂ ତହସିଲ ପ୍ରଶାସନ ଉପରେ ରହିଥିଲେ ମଧ୍ୟ ସେମାନଙ୍କର ନିଷ୍କ୍ରିୟତା ଯୋଗୁ ଉକ୍ତ ସମସ୍ୟା ଦୂର ହୋଇ ପାରୁନଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ଆବଶ୍ୟକ ହେଲେ ଏଭଳି ଘଟଣା ପାଇଁ ବହୁ ବୁଦ୍ଧିଜୀବୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ ପନ୍ଥା କିମ୍ବା ଜନସ୍ଵାର୍ଥ ମାମଲାର ଆଶ୍ରୟ ନେବା ପାଇଁ ସଜବାଜ ହେଉଥିବା ବିଶେଷ ସୂତ୍ରରୁ ଜଣାଯାଇଛି । ରାସ୍ତା ଉପରକୁ ଦୋକାନ ଗୁଡିକ ମାଡି ଆସିଥିବାରୁ ଯାନବାହନ ରାସ୍ତା ଉପରେ ପାର୍କିଂ କରୁଥିବା ଯୋଗୁ ବେଳେବେଳେ ରାସ୍ତା ସଂପୂର୍ଣ୍ଣ ବନ୍ଦ ହୋଇ ପଛକୁ ପଛ ଗାଡି ଗୁଡିକ ଲମ୍ବା ଲାଇନ ଦେଉଥିବାର ଦେଖିବାକୁ ମିଳିଛି । ସାଲେପୁରକୁ ଏନ୍.ଏ.ସି. ମାନ୍ୟତା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଉଥିଲା ବେଳେ ଟ୍ରାଫିକ୍ ସମସ୍ୟା ସମାଧାନ କ୍ଷେତ୍ରରେ କେହି ଗୁରୁତ୍ଵ ଦେଉନଥିବାରୁ ଦିନକୁ ଦିନ ଅଞ୍ଚଳରେ ଦୁର୍ଘଟଣା ବଢୁଥିବା ଦେଖିବାକୁ ମିଳୁଛି ।
କିଛିଦିନ ତଳେ ନିଶ୍ଚିନ୍ତକୋଇଲି ବଜାର ବ୍ୟବସାୟୀ ସଂଘ କାର୍ଯ୍ୟାଳୟରେ ସ୍ଥାନୀୟ ଆଇଆଇସିଙ୍କ ସମେତ ସଂଘର ସଭାପତି, ସଡକ ସୁରକ୍ଷାକର୍ମୀ, ସ୍ଵେଚ୍ଛାସେବୀ, ଜିଲ୍ଲା ଆଞ୍ଚଳିକ ପରିବହନ କର୍ମଚାରୀମାନେ ଏକ ବୈଠକ କରି ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ଏକ ନିଷ୍ପତି ଗ୍ରହଣ କରିବା ସହିତ ଜବରଦଖଲକାରୀଙ୍କୁ କିଭଳି ଉଚ୍ଛେଦ କରାଯିବ ସେ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନାର ବିଷୟବସ୍ତୁ ସଂକ୍ରାନ୍ତରେ ସ୍ଥାନୀୟ ତହସିଲ ପ୍ରଶାସନ ଓ ଅନ୍ୟାନ୍ୟ ପ୍ରଶାସନମାନଙ୍କୁ ମଧ୍ୟ ଜଣାଇ ଦିଆଯାଇଥିଲା । ଇତି ମଧ୍ୟରେ ଏକମାସ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏଥିପ୍ରତି ଜିଲ୍ଲା ପୋଲିସ ଓ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।