-
ପୋଲିସ ଓ ତହସିଲ ପ୍ରଶାସନ ନିରବ
ସାଲେପୁର, କଟକ-ଚାନ୍ଦବାଲି ରାସ୍ତାର ଜଗତପୁର ଠାରୁ କଟିକଟା ପର୍ଯ୍ୟନ୍ତ ବହୁ ଅମାନିଆ ବ୍ୟବସାୟୀ ସର୍ବସାଧାରଣଙ୍କ ସରକାରୀ ସ୍ଥାନକୁ ମନଇଚ୍ଛା ବ୍ୟବହାର କରୁଛନ୍ତି । ଯାହାଦ୍ଵାରା ଜନସାଧାରଣ ଚଳପ୍ରଚଳରେ ନାହିଁନଥିବା ସମସ୍ୟା ଭୋଗ କରୁଛନ୍ତି । ପ୍ରତ୍ୟେକ ଦିନ ବାଲି ଓ ଗୋଡି ବ୍ୟବସାୟୀମାନେ ବଡ ବଡ ଟ୍ରକ୍ ସାହାଯ୍ୟରେ ବାଲି ଓ ଗୋଡି ଆଣି ସେମାନଙ୍କୁ ସୁବିଧା ହେଲା ଭଳି ରାସ୍ତା କଡରେ ଗଦା କରୁଛନ୍ତି । ପରବର୍ତ୍ତୀ ସମୟରେ ଟ୍ରାକ୍ଟର ସାହାଜ୍ଯରେ ସେଗୁଡିକୁ ନେଇ ବିଭିନ୍ନ ଲୋକଙ୍କ ଘରେ ବିକ୍ରି କରିଥାଆନ୍ତି । ବଡ ଟ୍ରକ୍ ରେ ରାସ୍ତା କଡରେ ବାଲିଗୋଡି ଗଦା କରୁଥିବା ସମୟରେ ଏହା ରାସ୍ତା ମଝି ପର୍ଯ୍ୟନ୍ତ ମଧ୍ୟ ଗଦା ହୋଇ ରହୁଛି । ଯାହାଦ୍ଵାରା ଯାତାୟାତରେ ଅସୁବିଧା ଦେଖାଦେଇଛି । ଅନେକ ସମୟରେ ଅଜାଣତରେ ବାଇକ ଆରୋହୀମାନେ ଏହି ବାଲି ଓ ଗୋଡି ଉପରେ ସେମାନଙ୍କର ଗାଡି ଚଢାଇ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ପଡି ଖଣ୍ଡିଆ ଖାବରା ହେଉଥିବାର ନଜିର ମଧ୍ୟ ରହିଛି । ଏହାଛଡା ବହୁ ଲୋକ ସେମାନଙ୍କର ଘର କିମ୍ବା ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ କରୁଥିବା ସମୟରେ ମଧ୍ୟ ରାସ୍ତା ଉପରେ ବାଲି ଗୋଡି ଓ ଇଟା ଗଦା କରି ରଖିଥିବାରୁ ଯାତାୟାତରେ ବାଧା ଉପୁଜୁଛି । ଏହାଛଡା ଅନେକ ଲୋକ ସର୍ବସାଧାରଣ ଚଳପ୍ରଚଳ ସ୍ଥାନରେ ନିଜ ନିଜର ସୁବିଧା ପାଇଁ ସେଗୁଡିକୁ ଅବରୋଧ କରୁଥିବାରୁ ଲୋକମାନେ ମଧ୍ୟ ହଇରାଣ ହରକତ ହେଉଛନ୍ତି । ଏସବୁ ସଂକ୍ରାନ୍ତରେ ପୁଲିସ ଓ ତହସିଲ ପ୍ରଶାସନ ଜାଣିଥିଲେ ମଧ୍ୟ ନଜାଣିଲା ପରି ଅଭିନୟ କରୁଛନ୍ତି । ଜନସାଧାରଣଙ୍କୁ ଶୃଙ୍ଖଳିତ କରିବା ପାଇଁ ପୁଲିସକୁ କ୍ଷମତା ଦିଆଯାଇଥିଲେ ମଧ୍ୟ କ’ଣ ପାଇଁ ତାହାକୁ ବ୍ୟବହାର କରାଯାଉନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୌଣସି ସର୍ବସାଧାରଣ ସଂପତିରେ ଅପ୍ରିତିକର ଘଟଣା ସୃଷ୍ଟି ନହେବା ଏବଂ ଏହା କିପରି ସୁରକ୍ଷା କରାଯିବ ସେ ନେଇ ପୋଲିସ ହାତରେ ଭାରତୀୟ ଦଣ୍ଡବିଧି ଆଇନ ସଂହିତା ୧୦୭ ତଥା ପାଞ୍ଚ ଆଇନ ରହିଥିଲେ ମଧ୍ୟ ଅବାଧ୍ୟ ଲୋକଙ୍କ ଉପରେ ଏହା ଲାଗୁ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଯଦି ଏହି ଧାରା ଅମାନିଆ ଲୋକଙ୍କ ଉପରେ ଲଗାଯାଇ ପରବର୍ତ୍ତୀ ସମୟରେ ଏଭଳି କାର୍ଯ୍ୟ ନକରିବା ପାଇଁ ସଚେତନତା କରାଯାଆନ୍ତା ତାହା ହେଲେ ସର୍ବସାଧାରଣ ସୁରକ୍ଷିତ ଭାବେ ଚଳପ୍ରଚଳ କରିପାରନ୍ତେ ବୋଲି ମତପ୍ରକାଶ ପାଇଛି ।
ସେହିପରି ବିଭିନ୍ନ ସ୍ଥାନରେ ସରକାରୀ ଜାଗାଗୁଡିକୁ ଅନେକ ଲୋକ ବେଆଇନ ଭାବେ ଜବରଦଖଲ କରି ନିଜକାର୍ଯ୍ୟରେ ଲଗାଇ ଅନ୍ୟଲୋକମାନଙ୍କୁ ହଇରାଣ ହରକତ କରୁଥିଲେ ମଧ୍ୟ ତହସିଲ ପ୍ରଶାସନ ଏଥିପ୍ରତି ନଜର ଦେଉ ନାହିଁ । ସର୍ବସାଧାରଣ କିଭଳି ଉତ୍ତମ ଭାବେ ସେମାନଙ୍କର ଜୀବନ ନିର୍ବାହ କରିପାରିବେ ସେଥିପ୍ରତି ଜିଲ୍ଲା ପୋଲିସ ଓ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି ।