-
କେନ୍ଦ୍ରୀୟ ଯୋଜନାର ସଠିକ କ୍ରିୟାନ୍ୱୟନ ପାଇଁ ପଂଚାୟତିରାଜ ସଂସ୍ଥାର ପ୍ରତିନିଧି ମାନଙ୍କୁ ସାମିଲ କରିବା ଜରୁରୀ – କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ପଂଚାୟତିରାଜ ସଂସ୍ଥା ମାନଙ୍କର ପ୍ରତିନିଧି ମାନଙ୍କୁ ସଠିକ ଭାବେ ଶକ୍ତିଶାଳୀ ନ କଲେ ଓ ସେମାନଙ୍କୁ ସାମିଲ ନ କଲେ କେନ୍ଦ୍ରୀୟ ଯୋଜନା ଗୁଡିକର ସଠିକ ଭାବେ କ୍ରିୟାନ୍ୱୟନ କିମ୍ବା ଧନରାଶିର ସଠିକ ବିନିଯୋଗ ହୋଇ ପାରିବ ନାହିଁ । ଭୁବନେଶ୍ୱର ଠାରେ ପଂଚାୟତରେ (ଏଲଏସଡିଜି) ଲୋକାଲାଇଜେସନ୍ ଉପରେ ତିନି ଦିନିଆ ଜାତୀୟ କର୍ମଶାଳାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।
ସେ କହିଛନ୍ତି ଯେ ବର୍ତମାନ ପ୍ରତ୍ୟେକ ଜିଲ୍ଲାରେ ସ୍କିଲ ମ୍ୟାପିଂର କାର୍ଯ୍ୟ ଜିଲ୍ଲାପାଳ ମାନଙ୍କର ତତ୍ୱାବଧାନରେ ଚାଲିଛି । ଏହି କାର୍ଯ୍ୟରେ ସମସ୍ତ ସରପଂଚ, ବ୍ଲକ ଚେୟାରମ୍ୟାନ ତଥା ଜିଲ୍ଲା ପରିଷଦର ସଦସ୍ୟ ମାନଙ୍କୁ ସହଯୋଗ ପ୍ରଦାନ କରିବାକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଅପିଲ କରିଛନ୍ତି ।
ଉଲ୍ଲେଖନୀୟ ଯେ ପଂଚାୟତିରାଜ ମନ୍ତ୍ରଣାଳୟ, ଭାରତ ସରକାର, ପଂଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାର ଏବଂ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ (ଏସଆରଆରଡି ଏବଂ ପିଆର), ଓଡ଼ିଶାର ସହଯୋଗରେ ଥିମ୍ ୩ : ଶିଶୁ ଅନୁକୂଳ ଗ୍ରାମ ଓ ଥିମ୍ ୯ : ମହିଳା ଅନୁକୂଳ ଗ୍ରାମ ର ବିଷୟଗତ ନୀତି ଗ୍ରହଣ କରି ଗ୍ରାମ ପଂଚାୟତରେ ସଷ୍ଟେନେବଲ୍ ଡେଭଲପମେଣ୍ଟ ଗୋଲର ଲୋକାଲାଇଜେସନ ଉପରେ ଜାତୀୟ କର୍ମଶାଳାକୁ ଭୁବନେଶ୍ୱର ଠାରେ ଆଜି ଠାରୁ ଆୟୋଜନ କରାଯାଉଛି ।