ଭୁବନେଶ୍ୱର,ଆସନ୍ତାକାଲି (ଶନିବାର) ପ୍ରଭୂ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଜାଗର ଯାତ୍ରା ଅନୁଷ୍ଠିତ ହେବ । ଲିଙ୍ଗରାଜଙ୍କ ଜାଗରଯାତ୍ରା ପାଇଁ ୩୨ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ରହିବେ । କେଂଟ୍ରାଲ ରୁମ ଜରିଆରେ ସୁରକ୍ଷା ଯାଂଚ ପାଇଁ ବ୍ୟବସ୍ଥା କରାଯାଇଛି । ମନ୍ଦିର ଭିତର, ବାହାର , ପାର୍କିଂ ସିସିଟିଭି ସର୍ଭିଲାନ୍ସରେ ରହିବ । ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବେ । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଗାଡି ରଖିବା ପାଇଁ ୧୬ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ । ଏହାପରେ ଭକ୍ତମାନେ ରାତି ୧୦ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରିପାରିବେ । ଶନିବାର ରାତି ୩ଟାରୁ ପ୍ରଭୁ ଲିଙ୍ଗରାଜଙ୍କର ମଙ୍ଗଳ ଆଳତୀ ଓ ଅବକାଶ ନୀତି କରାଯିବ । ଏହାପରେ ଭୋର ସାଢେ ୩ଟାରୁ ୧୧ଟା ଯାଏଁ ସାହାଣ ମେଲାଦର୍ଶନ ହେବ । ଦିନ ୧୨ଟାରେ ମହାସ୍ନାନ ହେବ । ଏହାପରେ ଅପରାହ୍ନ ୩.୪୫ରୁ ୪.୪୫ ପର୍ଯ୍ୟନ୍ତ ଘଂଟାଏ ଧରି ସାହାଣମେଲା ଦର୍ଶନ ହେବ । ତେବେ ସନ୍ଧ୍ୟା ୭ଟାରେ ଶ୍ରୀଜୀଉଙ୍କ ପହୁଡ ପଡିବ । ଏହାପରେ ସନ୍ଧ୍ୟା ୭ଟା ୧୦ରୁ ୭ଟା ୩୦ ମଧ୍ୟରେ ସନ୍ଧ୍ୟା ଆଳତୀ ଓ ଟେରାଫିଟା ହେବ । ରାତି ୮ଟା ୫୫ରୁ ୧୦ ଟା ପର୍ଯ୍ୟନ୍ତ ସନ୍ଧ୍ୟା ଧୂପ ଓ ତୀର୍ଥ ଜଳ ଆନୟନ କରାଯିବ । ରାତି ୧୦ଟାରେ ମହାଦୀପ ଉଠିବ । ମହାଦୀପ ଉଠିବା ପରେ ଆଉ ଏକ ଘଂଟା ଧରି ଭକ୍ତମାନେ ସାହାଣମେଲା ଦର୍ଶନ କରିବେ । ଏହାପରେ ଚାରିପ୍ରହର ପୂଜା, ହରିହର ଭେଟ ହେବ ଶେଷରେ ବଡସିଂହାର ବେଶ ହେଇ ପହୁଡ ପଡିବ ।