
ଭୁବନେଶ୍ୱର, ୫ ଦଫା ଦାବି ନେଇ ବିଶ୍ୱକପ୍ ହକି ଖେଳ ସମୟରେ ଉଚ୍ଛେଦ ହୋଇଥିବା ଶହ ଶହ ଭିନ୍ନକ୍ଷମ ଉଠାଦୋକାନୀମାନେ ଭୁବନେଶ୍ୱର କଳ୍ପନାଛକସ୍ଥିତ ବିଏମ୍ସି ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଶୁକ୍ରବାର ଦିନ ଭିନ୍ନକ୍ଷମ ଉଠାଦୋକାନୀ ସଂଘର ସଭାପତି ନାରାୟଣ ସାହୁଙ୍କ ନେତୃତ୍ୱରେ ୬ଜଣିଆ ପ୍ରତିନିଧି ମଣ୍ଡଳୀ, ବିଶ୍ୱ ହକି ଖେଳ ସମୟରେ ଉଚ୍ଛେଦ ଭିନ୍ନକ୍ଷମ ଉଠାଦୋକାନୀମାନଙ୍କୁ ଭେଣ୍ଡିଂଜୋନ ମାଧ୍ୟମରେ ଥଇଥାନ କରିବା, ବିଏମ୍ସି ପରିଚୟ ପତ୍ର ସମସ୍ତଙ୍କୁ ପ୍ରଦାନ କରିବା, ଉଚ୍ଛେଦ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ହଇରାଣ ହରକତ ହେଉଥିବା ଭିନ୍ନକ୍ଷମ ଉଠାଦୋକାନୀମାନଙ୍କୁ ଭରଣ ପୋଷଣ ପାଇଁ ୧୫ ଜହାର ଲେଖାଏଁ ଟଙ୍କା ପ୍ରଦାନ କରିବା, ଉଚ୍ଛେଦ ସମୟରେ ଆଇନ ମାନିନଥିବା କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ , ସମସ୍ତ ଭିନ୍ନକ୍ଷମମାନଙ୍କ ପାଇଁ ସରକାରୀ ଏବଂ ବେସରକାରୀସ୍ତରରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ଆଦି ୫ ଦଫା ଦାବି ନେଇ ବିଏମ୍ସି ମେୟର ସୁଲୋଚନା ଦାସଙ୍କ ସହ ବିଭିନ୍ନ ସମସ୍ୟା ଓ ଥଇଥାନ ଲାଗି ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ । ଆଲୋଚନା ପରେ ମେୟର ଦାବିଗୁଡ଼ିକ ଯଥାର୍ଥ ବୋଲି କହି ଉଚ୍ଛେଦ ହୋଇଥିବା ସମସ୍ତ ଭିନ୍ନକ୍ଷମ ଉଠାଦୋକାନୀମାନଙ୍କୁ ଭେଣ୍ଡିଂଜୋନ ମାଧ୍ୟମରେ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ବିଏମ୍ସି ସ୍ମାଟସିର୍ଟିର ବରିଷ୍ଠ ଅଧିକାରୀ ମନୋରଞ୍ଜନ ସାହୁଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଥିଲେ ।