ପୁରୀ ,ସଡ଼କ ସୁରକ୍ଷା ଏକ ସାମୁହିକ ଦାୟିତ୍ୱ।ବିଭିନ୍ନ ବିଭାଗ ପରସ୍ପର ମଧ୍ୟରେ ସୁସମନ୍ୱୟ ରଖି କାର୍ଯ୍ୟ କଲେ ଏହାର ସୁଫଳ ମିଳିବା ସହ ଅନେକ ଜୀବନ ରକ୍ଷା ହୋଇ ପାରିବ ବୋଲି ସଡକ ସୁରକ୍ଷା ର ସୁପ୍ରିମକୋର୍ଟ ମନିଟରିଂ କମିଟିର ସେକ୍ରେଟାରୀ ସଞ୍ଜୟ ମିତ୍ତଲ ମତବ୍ୟକ୍ତ କରିଛନ୍ତି।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ପରିବହନ ବିଭାଗ ପକ୍ଷରୁ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ମିତ୍ତଲ ପ୍ରତି ରାଜ୍ୟର ସଡକ ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ମାର୍ଗଦର୍ଶିକା ଜାରି କରିଛନ୍ତି।ଏହାକୁ ଅନୁପାଳନ କରାଗଲେ ନିଶ୍ଚିତ ଭାବେ ଦୁର୍ଘଟଣା ହ୍ରାସ ପାଇବା ସହ ସଡକର ସ୍ୱାସ୍ଥ୍ୟ ମଧ ସୁସ୍ଥ ରହିବ।ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗ, ପୋଲିସ ବିଭାଗ, ପରିବହନ ବିଭାଗ ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଯୋଗ ପାଇଁ ସେ ବିଶେଷ ଭାବେ ପରାମର୍ଶ ଦେଇଥିଲେ।ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା କନୱର ବିଶାଲ ସିଂ ସଡକ ସୁରକ୍ଷା ପାଇଁ ନିୟମିତ ଯୁଗ୍ମ ଧରପଗଡ ଜାରି ରହିଛି।ଲୋକ ମାନଙ୍କୁ ସଚେତନ କରାଯାଉଛି। ଲୋକ ମାନଙ୍କ ସୁରକ୍ଷା ପାଇଁ ଏହି ଭଳି କାର୍ଯ୍ୟାନୁଷ୍ଠାନ ନିରନ୍ତର ଜାରି ରହିବ ବୋଲି ସେ କହିଥିଲେ।ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ରାସ୍ତା ଦୁର୍ଘଟଣା କୁ ସମ୍ପୂର୍ଣ୍ଣ ରୋକାଯାଇ ନ ପାରିଲେ ମଧ୍ୟ ଏହାର ମାତ୍ରା ହ୍ରାସ କରିବା ଜରୁରୀ। ପ୍ରତ୍ୟେକ ସ୍ତରରେ ଏହାକୁ ପ୍ରତିହତ ପାଇଁ ପଦକ୍ଷେ ନେବାକୁ ମତଦେଇଥିଲେ।ପରିବହନ ବିଭାଗର ଯୁଗ୍ମ ସଚିବ ବିଷଦ ତଥ୍ୟ ପ୍ରଦାନ କରି ଦୁର୍ଘଟଣା ପ୍ରବଣ ସ୍ଥାନ ଓ କାରଣ ଚିହ୍ନଟ କରି ବୈଜ୍ଞାନିକ ପଦ୍ଧତିରେ ଏହାର ନିରାକରଣ , ବ୍ୟାପକ ସଚେତନତା ସୃଷ୍ଟି ,ଦୁର୍ଘଟଣା ପରେ ପରେ ଆହତ ଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ଥିବା ଗୁଡ ସମରିଟାନ ବ୍ୟବସ୍ଥା ସମ୍ପର୍କରେ ଜନଚେତନା ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଥିଲେ। ସଡକ ସୁରକ୍ଷା ପାଇଁ ଓଡିଶା ପରିବହନ ବିଭାଗ ଅନେକ କ୍ଷୁଦ୍ର ଚଳଚ୍ଚିତ୍ର କରି ରାଷ୍ଟ୍ରୀୟ ସ୍ତରରେ ବେଶ ପ୍ରଶଂସିତ ହୋଇଛି ବୋଲି ସେ କହିଥିଲେ। ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲା ପରିବହନ କାର୍ଯ୍ୟାଳୟ ର ବିବିଧ ତଥ୍ୟ ଉପସ୍ଥାପନ କରିଥିଲେ।ଏନ ଏଚ ୩୧୬ ରେ ୪୩ ଟି ଦୁର୍ଘଟଣା ସ୍ଥଳ ଚିହ୍ନଟ କରିଯାଇ ହମ୍ପ୍ସ, ସାଇନେଜ କରାଯାଇଛି।୧୦ ସ୍ଥାନରେ ବେଗ ନିୟନ୍ତ୍ରଣ ସାଇନେଜ ସ୍ଥାପନ ହୋଇଛି।ସତ୍ୟବାଦୀ, ସାତସଙ୍ଖ, ପଟନାୟକିଆ,ମାଳତୀ ପାଟପୁର ଓ ହରେକୃଷ୍ଣପୁର ଛକ ଠାରେ ଆଲୋକ ବ୍ୟବସ୍ଥା କରାଯାଇଛି।ଅବରୋଧ ଉଛେଦ କରାଯାଇଛି ବୋଲି ସୂଚନା ଦେଇଥିଲେ।ଜିଲ୍ଲାରେ ୨୦୨୧ ରେ ୧୯୭ ଟି ଦୁର୍ଘଟଣା ଘଟିଥିବା ବେଳେ ୧୨୨ ଜଣଙ୍କ ର ମୃତ୍ୟୁ ହୋଇଥିଲା।ସେହିପରି ୨୦୨୨ରେ ୧୯୭ ଟି ଦୁର୍ଘଟଣା ହୋଇ ୧୪୬ ଜଣଙ୍କ ର ମୃତ୍ୟୁ ଘଟିଥିଲା। ୨୦୨୩ ଜାନୁଆରୀ ମାସ ରେ ୧୮ ଟି ଦୁର୍ଘଟଣା ହୋଇ ଥିବା ବେଳେ ୧୩ ଜଣଙ୍କ ର ମୃତ୍ୟୁ ଘଟିଛି।୨୦୨୨ ମସିହାରେ ୩୪୧୩ ବିନା ହେଲମେଟ ଯାଞ୍ଚ କରାଯାଇ ୨୩୮ ଲାଇସେନ୍ସ ସସପେଣ୍ଡ କରାଯାଇଥିବା ବେଳେ ଦ୍ରୁତ ଗତି କ୍ଷେତ୍ରରେ ୩୬୧୫ କେଶ ମଧ୍ୟରୁ ୯୪୭ ଲାଇସେନ୍ସ ସସପେଣ୍ଡ କରାଯାଇଛି। ସିଟବେଲ୍ଟ ଉଲ୍ଲଘଂନ କ୍ଷେତ୍ରରେ ୧୧ଜଣ,ଗାଡି ଚାଳନା ବେଳେ ମୋବାଇଲ ବ୍ୟବହାର କ୍ଷେତ୍ରରେ ୫ ଜଣ,ମାଦକ ଦ୍ରବ୍ୟ ସେବନ କରି ଗାଡି ଚାଳନା କ୍ଷେତ୍ରରେ ୯୯ ଜଣଙ୍କ ଲାଇସେନ୍ସ ସସପେଣ୍ଡ କରାଯାଇଛି ବୋଲି ପରିବହନ ବିଭାଗ ସୂତ୍ରରୁ ପ୍ରକାଶ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ପ୍ରଫୁଲ୍ଲ ଚନ୍ଦ୍ର ବଡ଼ଜେନା, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ,ପୁରୀ ତହସିଲଦାର କ୍ଷିରୋଦ କୁମାର ବେହେରା, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ଅଜିତ କୁମାର ମହାପାତ୍ର,ପରିବହନ ବିଭାଗର ଅନ୍ୟାନ୍ୟ ଅଧିକାରୀ,କର୍ମଚାରୀ ଓ ସଡକ ସୁରକ୍ଷା କମିଟି ସଦସ୍ୟ ମାନେ ଯୋଗ ଦେଇଥିଲେ।
Related Stories
November 1, 2024