ଭୁବନେଶ୍ୱର, ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜ୍ୟସ୍ତରୀୟ ଓଡ଼ିଆ ପ୍ରବନ୍ଧ, ଓଡ଼ିଆ ତର୍କ, ଇଂରାଜୀ ପ୍ରବନ୍ଧ, ଇଂରାଜୀ ତର୍କ ଓ କୁଇଜ ପ୍ରତିଯୋଗିତା ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହା ପୂର୍ବରୁ ରାଜ୍ୟର ୧୨୮୮ ଗୋଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ତରରେ ଓ ଜିଲା ସ୍ତରରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଜିଲ୍ଲା ସ୍ତରୀୟ ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୩୦ଟି ଜିଲ୍ଲାର ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାର ବିଷୟବସ୍ତୁଗୁଡିକ ମୁଖ୍ୟତଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଆୟୋଜିତ ହେଉଥିବା ହାକାଥନ ପାଇଁ ଉଦ୍ଦିଷ୍ଟ ବିଷୟବସ୍ତୁ ଯଥା ଶକ୍ତି ସଂରକ୍ଷଣ, ଜଳବାୟୁ ପରିବର୍ତନର ପ୍ରଭାବ, ମହିଳା ସଶକ୍ତିକରଣ, ସାଇବର ଠକେଇ, ଇ-ବାଣିଜ୍ୟ, ସ୍ୱାସ୍ଥ୍ୟସେବା, ସ୍ମାର୍ଟ କୃଷି ଇତ୍ୟାଦି ଉପର ଆଧାରିତ ଥିଲା । ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କୃତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ପ୍ରେରଣା ଦେଇଥିଲେ । ଏହି ସମାରୋହରେ ସଭାପତିତ୍ୱ କରୁଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର. ଆୟାର ଅଂଶଗ୍ରହଣ କାରି ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରରେ ଭାଗ ନେବାର ସୁଯୋଗ ପାଇଥିବାରୁ ବଧେଇ ଜଣାଇବା ସଙ୍ଗେ ସଙ୍ଗେ ନିଜର ପ୍ରତିଭାକୁ ବଜାୟ ରକ୍ଷୟିବାପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ନିର୍ଦ୍ଦେଶକ ଡ. ବିଜୟା କୁମାରୀ ପାତ୍ର, ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ କୁମାର ବଳ, ଓସେପାର ସହ ନିର୍ଦ୍ଦେଶକ ଶ୍ରୀମତୀ ବିଜୟଲକ୍ଷ୍ମୀ ଆଦି ଯୋଗଦାନ କରି କୃତି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।
Related Stories
November 25, 2024