-
ବିକାଶ ପ୍ରକଳ୍ପଗୁଡିକ ଶୀଘ୍ର କାର୍ଯ୍ୟକାରୀ ହେଉ ଏବଂ କଲ୍ୟାଣମୂଳକ ପଦକ୍ଷେପ ସମସ୍ତ ହିତାଧିକାରୀଙ୍କ ନିକଟରେ ପହଂଚିବାକୁ ସୁନିଶ୍ଚିତ କରନ୍ତୁ – ମୁଖ୍ୟମନ୍ତ୍ରୀ
-
ଆଇଏସ ଅଧିକାରୀ ମାନେ ନୂତନ ସଶକ୍ତ ଓଡ଼ିଶା ଗଠନ ଦିଗରେ କାମ କରନ୍ତୁ
ଭୁବନେଶ୍ୱର.“ଆମର ସମସ୍ତ ବିକାଶମୂଳକ ପ୍ରକଳ୍ପଗୁଡିକ ଖୁବ୍ କମ୍ ସମୟ ମଧ୍ୟରେ କାର୍ଯ୍ୟକାରୀ ହେଉ ଏବଂ ଆମର କଲ୍ୟାଣମୂଳକ ପଦକ୍ଷେପ ସମସ୍ତ ହିତାଧିକାରୀଙ୍କ ନିକଟରେ ପହଂଚୁ, ଏହା ମୁଁ ଦେଖିବାକୁ ଚାହେଁ । ଲକ୍ଷ୍ୟ ହାସଲ ପାଇଁ ଜିଲ୍ଲାମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହେବା ଉଚିତ ଏବଂ ଅନ୍ୟମାନଙ୍କ ପାଇଁ ମାନଦଣ୍ଡ ସ୍ଥିର କରିବା ଉଚିତ ।” ଦୁଇ ଦିନିଆ ଆଇଏଏସ ସମ୍ମିଳନୀକୁ ଆଜି ଏଠାରେ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ସେ ସମସ୍ତ ଆଇଏଏସ ଅଧିକାରୀ ମାନଙ୍କୁ ନୂତନ ସଶକ୍ତ ଓଡ଼ିଶା ଗଠନ ଦିଗରେ କାମ କରିବାକୁ ଆହ୍ୱାନ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରୂପାନ୍ତରଣ କ୍ଷେତ୍ରରେ ଓଡିଶା ଅନେକ ରାଜ୍ୟ ଠାରୁ ଆଗରେ ରହିଛି । କ୍ରୀଡ଼ା, ସ୍ୱାସ୍ଥ୍ୟସେବା, ବିଦ୍ୟାଳୟର ପରିବର୍ତ୍ତନ, ମହିଳା ସଶକ୍ତିକରଣ, ଦକ୍ଷତା ବିକାଶ, ଫସଲ ଉତ୍ପାଦନ, କୋଭିଡ୍ ପରିଚାଳନା ଆଦି କେତେକ କ୍ଷେତ୍ରର ବିଶେଷ ଉଲ୍ଲେଖର ଆବଶ୍ୟକତା ରହିଛି ।
୫ଟି ଇନିସିଏଟିଭ୍ ଏବଂ ‘ମୋ ସରକାର – ଦୁଇ ପଦକ୍ଷେପ କାରଣରୁ ଅଧିକରୁ ଅଧିକ ଲୋକ ମାନଙ୍କ ପାଖକୁ ପ୍ରଶାସନ ପହଂଚି ପାରୁଛି । ଜିଲ୍ଲାସ୍ତରରେ ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନ ଅଧିକରୁ ଅଧିକ ଲୋକଙ୍କ ନିକଟକୁ ପହଂଚି ସେମାନଙ୍କର ସମସ୍ୟାକୁ ଜାଣିବା ଓ ଟେକ୍ନୋଲଜିର ବ୍ୟବହାର କରି ସରଳ ଓ ତ୍ୱରିତ ଭାବେ ତାଙ୍କ ସମସ୍ୟାର ସମାଧାନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି, ଓଡିଶା ବର୍ତ୍ତମାନ ଏକ ଖାଦ୍ୟ ବଳକା ରାଜ୍ୟ ହୋଇଛି । ରାଜ୍ୟ ବର୍ତମାନ ଜାତୀୟ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗଦାନ ଦେଉଛି । କୃଷି ଏବଂ ସହଯୋଗୀ କ୍ଷେତ୍ର ଗ୍ରାମାଂଚଳର ଲୋକଙ୍କୁ ସର୍ବାଧିକ ନିଯୁକ୍ତି ଯୋଗାଇଥାଏ ।
ତେଣୁ ଆମେ ଚାଷ ଯାନ୍ତ୍ରିକରଣ, ଫସଲ ବିବିଧକରଣ, ଉଦ୍ୟାନ କୃଷି ଏବଂ ଫୁଲ ଚାଷ , ଦୁଗ୍ଧ ଚାଷ ଏବଂ ମତ୍ସ୍ୟଚାଷ ଉପରେ ଅଧିକ ଧ୍ୟାନ ଦେବା ଉଚିତ । ଆମର ‘ମିଲେଟ ମିଶନ’ ବର୍ତ୍ତମାନ ପୁଷ୍ଟିକର ଉନ୍ନତି ପାଇଁ ଜାତୀୟ ସ୍ତରରେ ନିଆଯାଇଛି । ଗ୍ରାମାଂଚଳର ଅର୍ଥନୀତିକୁ ପୁନର୍ଜୀବିତ କରିବାର ଏହି କ୍ଷେତ୍ରର ସାମର୍ଥ୍ୟ ଅଛି । ଆମକୁ ଏହି କ୍ଷେତ୍ରରେ ଉତ୍କର୍ଷତା ଜାରି ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟର ଆର୍ôଥକ ବିକାଶରେ ଷ୍ଟାର୍ଟ ଅପ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏ ବାବଦରେ ସରକାର ଅନେକ କାର୍ଯ୍ୟ କରିଛନ୍ତି ।
ସେ କହିଛନ୍ତି ଯେ ମହିଳା ସଶକ୍ତିକରଣ ଆମର ସମସ୍ତ ପଦକ୍ଷେପର ମୂଳ ଅଟେ । ଆମେ ଆମର ମିଶନ୍ ଶକ୍ତି ଗୋଷ୍ଠୀକୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗରେ ରୂପାନ୍ତର କରିବାକୁ ଇଚ୍ଛା କରୁଛୁ । ଆମେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ କରୁଛୁ, ଯାହା ଦ୍ୱାରା ସେମାନେ ସେମାନଙ୍କର ୟୁନିଟ୍କୁ ସମୃଦ୍ଧ ୟୁନିଟରେ ପରିଣତ କରିପାରିବେ । ଆସନ୍ତା ପାଂଚ ବର୍ଷ ମଧ୍ୟରେ ଆମର ମିଶନ୍ ଶକ୍ତି ଗୋଷ୍ଠୀକୁ ୫୦ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ଆମର ଲକ୍ଷ୍ୟ ରହିଛି । ଏହି ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଜିଲ୍ଲାପାଳ ମାନେ ମିଶନ ଶକ୍ତି ଗୋଷ୍ଠୀକୁ ସମସ୍ତ ସମ୍ଭାବ୍ୟ ସମର୍ଥନ ଯୋଗାଇବା ଆବଶ୍ୟକ ବୋଲି ସେ କହିଛନ୍ତି ।
ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା, ବିଦ୍ୟାଳୟ ପରିବର୍ତ୍ତନ, ପର୍ଯ୍ୟଟନ ପ୍ରୋତ୍ସାହନ, କ୍ରୀଡ଼ା ପରି ଅନ୍ୟ ଫ୍ଲାଗସିପ୍ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ଆଇଏଏସ ଅଧିକାରୀ ମାନେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।
କୋରାପୁଟ ପ୍ରଶାସନ ଦ୍ୱାରା ପରିକଳ୍ପିତ ଓ କାର୍ଯ୍ୟକାରୀ ହୋଇଥିବା ଏହି ମିଶନ୍ ଶକ୍ତି ଇଣ୍ଡଷ୍ଟ୍ରିଆଲ୍ ପାର୍କକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ । ଏହା ସମଗ୍ର ରାଜ୍ୟ ଦ୍ୱାରା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ ପ୍ରଦୀପ ଅମାତ, ନିରଞ୍ଜନ ପୂଜାରୀ ଓ ଟୁକୁନି ସାହୁ ଉପସ୍ଥିତ ଅଛନ୍ତି । ଏଥିରେ ୧୭ଟି ବିଷୟ ଉପରେ ବିଶେଷ ଆଲୋଚନା କରାଯିବ । ସରକାରଙ୍କ ଯୋଜନା ଓ ଆଭିମୁଖ୍ୟ ତୃଣମୂଳ ସ୍ତରରେ କେତେ ଦୂର ପହଂଚି ପାରୁଛି, ସେନେଇ ଆଲୋଚନା ହେଉଛି । ପ୍ରଥମ ଅଧିବେଶନ ଗୁଡ଼ ଗଭରନେନ୍ସ ଉପରେ ରହିଛି ।
ଆସନ୍ତାକାଲି କୋଣାର୍କ ଇକୋ ରିଟ୍ରିଟ ବୈଠକର ଦ୍ୱିତୀୟ ଦିନ ଆଲୋଚନା କରାଯିବ । ଏଥିରେ କାଳିଆ, ମମତା, ବିଜୁ ସ୍ୱାସ୍ଥ୍ୟ ଯୋଜନା ,ମୁକ୍ତା ଭଳି ବିଭିନ୍ନ ବିଷୟରେ ଆଲୋଚନା କରାଯିବ । ଡୋର ଟୁ ଷ୍ଟେପ ଡେଲିଭରି ଉପରେ ଗୁରୁତ୍ୱ ଦିଆଯାଉଛି । ଯେଉଁ ସବୁ ଜାଗାରେ ତ୍ରୁଟି ରହୁଛି ସେସବୁ ଉପରେ ଆଲୋଚନା କରାଯିବ ।