ମାଲକାନଗିରି, ଜାତୀୟ ସେବା ଯୋଜନାର ରାଜ୍ୟ ଅଧିକାରୀ ତଥା ଯୁବ ରେଡକ୍ରସ୍ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା କୁଡୁମୁଲଗୁମ୍ମା ସ୍ମିତ ଡାରୱିନ ସ୍ମାରକୀ ମହାବିଦ୍ୟାଳୟ ଠାରେ ଆୟୋଜିତ ହେଉଥିବା ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିରରେ ଯୋଗଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଯୋଜିତ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ସହ ଡ. ବେହେରା ଜିଲ୍ଲାର ସମସ୍ତ ଜାତୀୟ ସେବା ଯୋଜନା ଅଧିକାରୀ ଏବଂ ଯୁବ ରେଡକ୍ରସ୍ ପରାମର୍ଶଦାତା ମାନଙ୍କର ମିଳିତ ବୈଠକରେ ଉଭୟ ସଂସ୍କାର କାର୍ଯ୍ୟର ପର୍ଯ୍ୟାଲୋଚନା କରିଛନ୍ତି ।
ଉକ୍ତ ବୈଠକରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଜୟନ୍ତ କୁମାର ପଣ୍ଡା ଉପସ୍ଥିତ ରହି ସମସ୍ତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ସରୋଜ କୁମାର ମହାପାତ୍ର, ପୂର୍ବତନ ଜାତୀୟ ସେବା ଯୋଜନା ଅଧିକାରୀ ନମିତା ଦଣ୍ଡସେନା, ଜିଲ୍ଲା ଯୁବ ରେଡକ୍ରସ୍ ସମ୍ପାଦକ ଡ. ରଞ୍ଜନ କୁମାର ସ୍ବାଇଁ ଓ ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଡି. ଆଶିଷ ରାଠୋର ରାଜ୍ୟ ଅଧିକାରୀଙ୍କ ନିକଟରେ ଜିଲ୍ଲାରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ । ରାଜ୍ୟ ଅଧିକାରୀ ଡ. ବେହେରା ସମସ୍ତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧିକାରୀଙ୍କ ନିକଟରୁ ମତାମତ ଆହ୍ବାନ କରିବା ସହ କାର୍ଯ୍ୟକ୍ରମ ଆୟୋଜନରେ ହେଉଥିବା ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧିକାରୀଙ୍କ ଦ୍ବାରା ଦିଆଯାଇଥିବା ପ୍ରସ୍ତାବ ଗୁଡ଼ିକୁ ଗ୍ରହଣ କରିବା ସହିତ ଜିଲ୍ଲାରେ ସଂଗଠନକୁ ଅଧିକ ଦୃଢ଼ କରିବା ଦିଗରେ ଅଧିକ ପ୍ରୟାସ କରିବା ଲାଗି ଶ୍ରୀ ବେହେରା ପରାମର୍ଶ ଦେଇଥିଲେ । ସରକାରଙ୍କ ଦ୍ବାରା ମାଲକାନଗିରି ଭଳି ଆଦିବାସୀ ଜିଲ୍ଲାରେ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିବା ସହିତ ଆଗାମୀ ଦିନରେ ସ୍ବାଭିମାନ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ନେଇ ଶିବିର ଆୟୋଜନ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ ସଭାରେ ବିଭିନ୍ନ ମହାବିଦ୍ୟାଳୟର ୨୫ରୁ ଉର୍ଦ୍ଧ୍ଵ ଅଧିକାରୀ ଯୋଗଦାନ କରିଥିଲେ ।