କଟକ, କଟକ ମହାନଗର ନିଗମ (ସିଏମସି)ରେ ଅଫିସର, ମେୟର ଓ କର୍ପୋରେଟରଙ୍କ ମଧ୍ୟରେ ବିବାଦ ଲାଗିରହିଛି । ବିଭିନ୍ନ ଦାବି ନେଇ ବିଜେପି ଓ କଂଗ୍ରେସ କର୍ପୋରେଟରମାନେ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଦେଇଛନ୍ତି । ଗତକାଲି ରାତିରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ସେଠାରେ ପହଂଚି ଧାରଣାରେ ସାମିଲ ହୋଇଥିଲେ । ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ କର୍ପୋରେଟରଙ୍କ ନିକଟରେ ହାତ ଯୋଡ଼ି ଧାରଣରୁ ଉଠିବା ପାଇଁ ମେୟର ସୁବାସ ସିଂ ଅନୁରୋଧ କରିଥିଲେ । ହେଲେ ସେମାନେ ନିଜ ଜିଦ୍ ରେ ଅଟଳ ରହିଥିଲେ । ସେମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣାସ୍ଥଳରୁ ଉଠିବେ ନାହିଁ ବୋଲି କହିଥିଲେ ।
ସିଏମସିର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଡି.ଆର.ତ୍ରିପାଠୀଙ୍କୁ ବଦଳି, ବିନା ବିରୋଧୀଙ୍କ ଉପସ୍ଥିତିରେ ପାରିତ ହୋଇଥିବା ବିଲ୍ କୁ ପ୍ରତ୍ୟାହାର କରିବା ଓ ବିଧାୟକ ମୋକିମଙ୍କୁ କ୍ଷମା ପ୍ରାର୍ଥନା ପ୍ରସ୍ତାବ ଦେବାକୁ କର୍ପୋରେଟରମାନେ ଦାବି କରିଥିଲେ ।
ସୂଚନାଯୋଗ୍ୟ, ଗତକାଲି କଟକ ମହାନଗର ନିଗମରେ କାଉନସିଲ୍ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ଆରମ୍ଭରୁ ହୋ-ହଲ୍ଲା ଓ ପାଟିତୁଣ୍ଡ ହୋଇଥିଲା । କଂଗ୍ରେସ ପରି ବିଜେପି କର୍ପୋରେଟରମାନେ ମଧ୍ୟ ବିଭିନ୍ନ ଅଭିଯୋଗ ଆଣି ହୋ-ହଲ୍ଲା କରିଥିଲେ । ପରେ ବିରୋଧୀ କର୍ପୋରେଟରମାନେ ବୈଠକ ବର୍ଜନ କରି ଧାରଣାରେ ବସିଥିଲେ ।