
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ସବୁଠାରୁ ବିଶ୍ଵସ୍ଥ ଓ ବିଶ୍ୱାସଯୋଗ୍ୟ ଗଣମାଧ୍ୟମ ହେଉଛି ରେଡିଓ। ବେତାର ତଥା ରେଡିଓ ଆଜି ବିଶ୍ୱକୁ ଏକ ପରିବାର ଭଳି ଯୋଡି ରଖିଛି ।ଚଳିତ ବର୍ଷ ରେଡିଓ ଦିବସରେ ଜାତିସଂଘ ର ବାର୍ତା ହେଉଛି “ରେଡିଓ ଓ ଶାନ୍ତି”। ଏହି ଅବସରରେ ବଡ଼ଦାଣ୍ଡ ସେବା ସଂଗଠନ ପକ୍ଷରୁ ବିଶ୍ଵ ରେଡିଓ ଦିବସ ୨୦୨୩ ପାଳିତ ହୋଇଛି। ବଡ଼ଦାଣ୍ଡ ସ୍ଥିତ ମରଚିକୋଟ ଛକ ନିକଟରେ ସ୍ଥାନୀୟ ବ୍ୟବସାୟୀ, ବାସିନ୍ଦା ଓ ଯାତ୍ରୀଙ୍କ ଉପସ୍ଥିତି ରେ ପାଳନ କରାଯିବା ସହ ସମସ୍ତଙ୍କୁ ରସଗୋଲା ବଣ୍ଟନ କରାଯାଇଥିଲା। ଏହି ଅବସରରେ ସଂଗୃହିତ ହୋଇଥିବା ବିଭିନ୍ନ ମଡେଲ ର ପୁରାତନ ରେଡିଓ ଗୁଡ଼ିକୁ ପୁଷ୍ପ ମାଧ୍ୟମରେ ସୁସଜ୍ଜିତ ହୋଇ ରଖା ଯାଇ ସେଗୁଡିକୁ ବେଦ ପାଠ ଓ ଶଙ୍ଖଧ୍ଵନି ସହ ପୂଜା କରାଯାଇଥିଲା। ଉପସ୍ଥିତ ଥିବା ସମସ୍ତେ ରେଡିଓ ସହ ଯୋଡ଼ି ହୋଇଥିବା ନିଜ ନିଜର ସ୍ମୃତି ଓ ଅନୁଭବକୁ ପ୍ରକାଶ କରିଥିଲେ। ବଡ଼ଦାଣ୍ଡରେ ଯାତାୟାତ କରୁଥିବା ଅନେକ ଯାତ୍ରୀ ଓ ପର୍ଯ୍ୟଟକ ପୁରୁଣା ରେଡିଓ ସହ ସେଲ୍ଫି ଓ ଫୋଟୋ ଉଠାଉ ଥିବାର ଦୃଶ୍ୟ ମଧ୍ୟ ଥିଲା ବେଶ ଆନନ୍ଦଦାୟକ। ରେଡିଓ ବ୍ୟବହାରକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଅନୁଷ୍ଠାନ ତରଫରୁ ସ୍ଥାନୀୟ ବ୍ୟବସାୟୀ ରତ୍ନାକର ନାଥ ଙ୍କୁ ଏକ ରେଡିଓ ଉପହାର ସ୍ବରୂପ ମଧ୍ୟ ପ୍ରଦାନ କରାଯାଇଥିଲା। ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ “ବଡ଼ଦାଣ୍ଡ ସେବା” ସଙ୍ଗଠନ ର ମନୋଜ କୁମାର ସାହୁ, ମଞ୍ଜୁଲତା ସାହୁ, ସୁନିଲ ମହାପାତ୍ର, ବାଲକୃଷ୍ଣ ମହାପାତ୍ର, ଜଗନ୍ନାଥ ପାଢ଼ୀ,କୁମୁଦିନୀ ପାଢ଼ୀ, ନାରାୟଣ ରାୟସିଂ ଓ ଭାସ୍କର ମହାନ୍ତିଙ୍କ ସମେତ ସ୍ବେଛାସେବୀ ସତ୍ୟନାରାୟଣ ସାହୁ ଓ ବିପିନ୍ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।