-
ଅଭିଯୁକ୍ତ ଗୋପାଳକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର କରାଇଲା କ୍ରାଇମବ୍ରାଂଚ
ଝାରସୁଗୁଡ଼ା, ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବା ପରେ ଆଜି ତାକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର କରିଛି କ୍ରାଇମବ୍ରାଂଚ । ଏହାପରେ ତାକୁ ଝାରସୁଗୁଡ଼ା ସବଜେଲ୍ କୁ ପଠାଯାଇଥିଲା । ସେଠାରୁ ପୁଣି ତାକୁ ଚୌଦ୍ଵାର ଜେଲ୍ କୁ ନିଆଯିବାକୁ ପ୍ରକ୍ରିୟା ଜାରୀ ରହିଛି ।
ପ୍ରଥମରୁ ଗୋପାଳ ସ୍ଵୀକାର କରିଛି ସେ ହିଁ ମନ୍ତ୍ରୀ ନବ କିଶୋରଙ୍କୁ ହତ୍ୟା କରିଛି । ତେବେ ହତ୍ୟାକାଣ୍ଡର ଉଦ୍ଦେଶ୍ୟ ଏବଂ ଏହା ପଛରେ ଅନ୍ୟ କାହାରି ସମ୍ପୃକ୍ତି ରହିଛି କି ନାହିଁ ତାହା ଜାଣିବା ପାଇଁ ଗୋପାଳକୁ ତିନି ଥର ରିମାଣ୍ଡରେ ନେଇ ପଚଣା ଉଚରା କରିବା ସହ ଗୋପାଳର ବିଭିନ୍ନ ପରୀକ୍ଷା କରିଛି କ୍ରାଇମବ୍ରାଂଚ ।
ନାର୍କୋ ଆଲାସିସିସ ଟେଷ୍ଟ ଗୁଜୁରାଟର ଗାନ୍ଧୀନଗରରେ ଥିବା ଡିରେକ୍ଟୋରେଟ ଅଫ ଫରେନସିକ୍ ସାଇନ୍ସ ସର୍ଭିସେସ (ଡିଏଫଏସଏସ)ରେ କରାଯାଇଥିଲା । ଗତ ୯ ତାରିଖରେ ଗୋପାଳର ପଲିଗ୍ରାଫ ପରୀକ୍ଷା କରାଯାଇଥିଲା । ଏହା ପୂର୍ବରୁ ଗୋପାଳର ଲେୟାର୍ଡ ଭଏସ ଆନାଲିସିସ୍ ଟେଷ୍ଟ ଏବଂ ସାଇକୋଲୋଜିକାଲ ଆସେସମେଂଟ ଟେଷ୍ଟ କରାଯାଇଥିଲା । କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇଥିଲା । ତା’ର ଆର୍ଥିକ କାରବାର, ବ୍ୟାଙ୍କ ଆକାଉଂଟ, ମିଳିଥିବା କାର୍ ଓ ବିଭିନ୍ନ ଲିଙ୍କ୍ ବାବଦରେ ତଦନ୍ତ ହୋଇଛି । ତେବେ ହତ୍ୟାକାଣ୍ଡର ଉଦ୍ଦେଶ୍ୟ କ’ଣ ଥିଲା ଏବଂ ଏହା ପଛରେ ଆଉ କିଏ ରହିଛି ସେନେଇ ଖୋଳତାଡ଼ ଜାରୀ ରଖିଛି କ୍ରାଇମବ୍ରାଂଚ । ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ଵରେ କ୍ରାଇମବ୍ରାଂଚର ତିନୋଟି ଟିମ୍ ମାମଲାର ତଦନ୍ତ କରୁଛନ୍ତି । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ପି. ଦାସ ତଦନ୍ତର ତଦାରଖ କରୁଛନ୍ତି ।
ପ୍ରକାଶ ଥାଉକି, ଗତ ୨୯ ତାରିଖ ମଧ୍ୟାହ୍ନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋରଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ତାଙ୍କ ଛାତିରେ ଗୁଳି ବାଜିଥିଲା । ଭୁବନେଶ୍ଵର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେହିଦିନ ସଂନ୍ଧ୍ୟାରେ ୬୧ ବର୍ଷିୟ ନବକିଶୋରଙ୍କ ପରଲୋକ ଘଟିଥିଲା ।